ମହାରାଷ୍ଟ୍ର ପଲିଟିକ୍ସ: ମହାୟୁତି ମୁଖ୍ୟମନ୍ତ୍ରୀ କିଏ ? ଫଡନଭିସ ରିଟର୍ଣ୍ଣ ନା ସିନ୍ଦେ ରିପିଟ୍
ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ଧମାକାଦାର ବିଜୟ । ୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ୨୩୩ ଆସନରେ ବିଜୟ ହୋଇଛି । ମେଣ୍ଟରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନସିପି ରହିଛନ୍ତି । ବଡ଼ ବିଜୟ ସହ ମହାୟୁତି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ମେଣ୍ଟ ପାଇଁ ବଡ଼ ଚିନ୍ତା ପାଲଟି ପାରେ । ମେଣ୍ଟ ସିନ୍ଦେକୁ ମୁଖ୍ୟମନ୍ତ୍ରୀ ଭାବେ ରିପିଟ୍ କରିବ ନା ୧୩୨ ଆସନ ଜିତିଥିବା ବିଜେପି ନିଜ ଦଳର ପ୍ରାର୍ଥୀକୁ ମୁଖ୍ୟମନ୍ତ୍ରୀ କରିବ ତାହା ଏବେ ରାଜନୈତିକ ଚର୍ଚ୍ଚାର କାରଣ ପାଲଟିଛି । ସେପଟେ ଅଜିତ ପାଓ୍ବାର ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାବି କରିପାରନ୍ତି ।
ବିଜେପି ନିଜର ମୁଖ୍ୟମନ୍ତ୍ରୀ କରିବ ନା ପୁଣି ଥରେ ଶିବସେନାର ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଚାଲିଛି ଅଙ୍କକଷା । ବିଜେପି ଏକାକୀ ୧୩୨ ସିଟ୍ ହାତେଇ ଥିବାରୁ ଏଥର ନିଜ ଦଳରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବ ବୋଲି ଚର୍ଚ୍ଚା ହେଉଛି । ଏପରି ହେଲେ ଦେବେନ୍ଦ୍ର ଫଡନଭିସଙ୍କୁ ଏହି ପଦ ମିଳିପାରେ । ଦିଲ୍ଲୀରେ ମୋଦିଙ୍କ ବିଜୟ ଅଭିଭାଷଣରେ ଏହାର ସଂକେତ ମିଳିଛି । କାରଣ ଫଡନଭିସଙ୍କୁ ସେ ଖୋଲାଖୋଲି ପ୍ରଶଂସା କରିଥିଲେ । ଫଡନଭିସ ୨୦୧୪ରୁ ୨୦୧୯ ଯାଏଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିଲେ । ତା’ପୂର୍ବରୁ ନାଗପୁରର ମେୟର ଥିଲେ । ଗତ ସରକାରରେ ସେ ଉପମୁଖ୍ୟମନ୍ତ୍ରୀ ଥିଲେ । ହୁଏତ ଏଥର ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରି ପାରନ୍ତି ।
ଯଦି ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଏ, ତେବେ ଏକନାଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ । ଅଜିତ ପାୱାର ଏଥର ମଧ୍ୟ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି । ମହାରାଷ୍ଟ୍ର ନିର୍ବାଚନରେ ଏଥର ବିଜେପି ଏକାକୀ ୧୩୨ଟି ସିଟ୍ ପାଇଥିବା ବେଳେ ସିନ୍ଦେଙ୍କ ଶିବସେନା ୫୭ ଓ ଅଜିତଙ୍କ ଏନସିପି ୪୧ ସିଟ୍ ହାତେଇଛନ୍ତି । ଉଦ୍ଧବ ଠାକରେଙ୍କ ଶିବସେନା ୨୦ ସିଟ୍ ପାଇଥିବା ବେଳେ କଂଗ୍ରେସ ୧୬ ଓ ଶରଦ ପାୱାରଙ୍କ ଏନସିପି ୧୦ଟି ସିଟ୍ ଜିତିବାକୁ ସକ୍ଷମ ହୋଇଛି ।