ହିମାଚଳରେ କାହାକୁ ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ, ଦୌଡ଼ରେ ତିନି ନେତା

ସିମଲା: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରୁଥିବା ନେଇ ଫାଳଫଳ ଟ୍ରେଣ୍ଡରୁ ସ୍ପଷ୍ଟ ଜଣାପଡ଼ିଛି । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ମୋଟ ସିଟ୍ ର ଫଳାଫଳ ଆସିନାହିଁ । ହେଲେ ବର୍ତ୍ତମାନ ସୁଦ୍ଧା ଯେଉଁ ଟ୍ରେଣ୍ଡ ଆସିଛି ସେଥିରେ କଂଗ୍ରେସ ବହୁମତ ପାଉଥିବା ଦେଖାଯାଇଛି । ପୁଣିଥରେ ହିମାଚଳରେ ୫ ବର୍ଷରେ ଥରେ ସରକାର ବଦଳାଇବାର ରୀତି କାଏମ ରହିବାକୁ ଯାଉଛି । ବର୍ତ୍ତମାନ ସରକାରରେ ଥିବା ବିଜେପି ପରାଜୟର ଦ୍ୱାର ଦେଶରେ ରହିଛି ।

୬୮ ଟି ଆସନ ମଧ୍ୟରୁ ପ୍ରାୟ ୩୯ଟିରେ କଂଗ୍ରେସ ଆଗୁଆ ରହିଛି ଯେତବେଳେ କି ବିଜେପି ମାତ୍ର ୨୬ ଟିରେ ଆଗୁଆ ରହିଛି । ସେହିପରି ଅନ୍ୟଦଳ ୩ଟିରେ ଆଗୁଆ ରହିଛନ୍ତି । ବହୁମତ ପାଇଁ ୩୫ ଆସନ ଆବଶ୍ୟକ ରହିଛି । ଯାହାକି କଂଗ୍ରେସ ଜିତୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏହି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି କଂଗ୍ରେସ ସରକାର ଗଠନ ଦିଗରେ ଲାଗିଛି ।

ଦଳର ଶୀର୍ଷ ନେତୃତ୍ୱ ବିଧାୟକମାନଙ୍କୁ ଘୋଡ଼ା ବେପାରରୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତି କରିଛନ୍ତି । କଂଗ୍ରେସ ବିଧାୟକମାନଙ୍କୁ ଚଣ୍ଡିଗଡ଼ ନେବା ପାଇଁ ହିମାଚଳ କଂଗ୍ରେସ ପ୍ରସ୍ତୁତି କରୁଛି । ଏହାପରେ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ଛତିଶଗଡ଼ର ରାୟପୁର ନିଆଯିବ । ବିଧାୟମାନଙ୍କ ରହିବା ପାଇଁ ରାୟପୁରରେ ହୋଟେଲ ମଧ୍ୟ ବୁକ୍ ହୋଇଥିବା ସୂଚନା ରହିଛି ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି ଯେ ବିଧାନସଭା ନିର୍ବାଚନର ଗଣତିର ଟ୍ରେଣ୍ଡରୁ ସ୍ପଷ୍ଟ ଯେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ସେହିପରି କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ବର୍ତ୍ତମାନ କଂଗ୍ରେସର ତିନି ଚେହେରା ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ଜଣାଯାଉଛି । ଦାବିଦାରଙ୍କ ମଧ୍ୟରେ ସୁଖୱିନ୍ଦର ସିଂହ ସୁକ୍ଖୁ, ମୁକେଶ ଅଗ୍ନିହୋତ୍ରୀ ଏବଂ ପ୍ରତିଭା ସିଂହ ଆଗରେ ରହିଛନ୍ତି ।

ଦଳର ପୂର୍ବତନ ରାଜ୍ୟ ସଭାପତି ଏବଂ ପ୍ରଚାର ସମିତିର ପ୍ରମୁଖ ସୁଖୱିନ୍ଦର ସୁକ୍ଖୁ ମଧ୍ୟ ହିମାଚଳର ନାଦୌନ ଆସନରୁ ନିର୍ବାଚନ ଲଢ଼ିଥିଲା । ଦଳ କ୍ୟାଡରଙ୍କ ମଧ୍ୟରେ ତାଙ୍କର ମଜବୁତ ଗ୍ରହଣୀୟତା ରହିଛି । ତିନି ଥରର ବିଧାୟକ ସୁକ୍ଖୁଙ୍କୁ ସିଏମ ପଦର ସବୁଠୁ ମଜବୁତ ଦାବିଦାରମାନଙ୍କ ମଧ୍ୟରେ ଜଣାଯାଉଛନ୍ତି । ଅବଶ୍ୟ ସେ ନିଜେ କହିଛନ୍ତି ଯେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ ।

ବିରୋଧୀ ଦଳ ନେତା ରହିଥିବା ମୁକେଶ ଅଗ୍ନିହୋତ୍ରୀ ହରୋଲିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ସେ ଚାରିଥର ବିଧାୟକ ରହିସାରିଛନ୍ତି । ସେ ମଧ୍ୟ ପ୍ରମୁଖ ଦାବିଦାର ଥିବା ଚର୍ଚ୍ଚା ହେଉଛି । ପ୍ରତିଭା ସିଂହ ବର୍ତ୍ତମାନ ସମୟରେ ହିମାଚଳ ପ୍ରଦେଶ ପିସିସି ସଭାପତି ଅଛନ୍ତି । ସେ ୨୦୦୪ରେ ମଣ୍ଡିରୁ ମହେଶ୍ୱର ସିଂହଙ୍କୁ ପରାଜିତ କରି ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ପ୍ରତିଭା ସିଂହ ବର୍ତ୍ତମାନ ସାଂସଦ ଅଛନ୍ତି ଏବଂ ସେ ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି । ସିଖୱିନ୍ଦର ସିଂହ ସୁକ୍ଖୁ ଏବଂ ମୁକେଶ ଅଗ୍ନିହୋତ୍ରୀ ନିଜ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ଆସୁଛନ୍ତି ।

ଦୁଇ ଅନ୍ୟ ନେତା ଆଶା କୁମାରୀ ଓ କୌଲ ସିଂହ ଠାକୁରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ରେସରେ ସାମିଲ ଥିବା କୁହାଯାଉଥିଲା ହେଲେ ଏବେ ଏମାନେ ଦୌଡରୁ ବାଦ୍ ପଡିଛନ୍ତି । ଡେଲହାଉସୀ ଆସନରୁ ଛଅ ଥର ବିଧାୟକ ଆଶା କୁମାରୀ ନିଜ ଆସନରେ ହାରୁଥିବାର ସ୍ପଷ୍ଟ ଜଣାଯାଉଛି । ସେହିପରି ଆଠ ଥରର ବିଧାୟକ କୌଲ ସିଂହ ଠାକୁର ମଧ୍ୟ ଦ୍ରାଙ୍ଗ ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କଠାରୁ ପଛରେ ଚାଲିଛନ୍ତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ମୁକେଶ ଅଗ୍ନିହୋତ୍ରୀ ଆତ୍ମବିଶ୍ୱାସ ଭରା ନଜର ଆସିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସକୁ ଏବେ ସରକାର ଗଠନ ପାଇଁ ବିଦ୍ରୋହୀ ଏବଂ ନିର୍ଦ୍ଦଳୀୟଙ୍କ ଆବଶ୍ୟକତା ପଡ଼ିବନି ।