ଟି-୨୦ ବିଶ୍ବକପରେ ଭାରତ ପାଇଁ କିଏ କରିବେ ଓପନିଂ?

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପରେ ପରାଜୟ ପରେ ଟି-୨୦ ବିଶ୍ବକପ ଜିତିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ଦିନିକିଆ ବିଶ୍ବକପର ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ଦୃଷ୍ଟିରେ ଟି-୨୦ରେ ଏହାକୁ ଦୋହରାଇବ ନାହିଁ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତେବେ ଟି-୨୦ ବିଶ୍ବକପରେ ଭାରତ କାହାକୁ ଦଳରେ ସ୍ଥାନ ଦେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯୁବ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବାବେଳେ ଆଗକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି ଭାରତ । ଦଳର ଯୁବ ଖେଳାଳିମାନେ ଦମଦାର ଫର୍ମରେ ରହିଥିବାବେଳେ ଟି-୨୦ ବିଶ୍ବକପରେ ଭାରତ ପାଇଁ କିଏ ଓପନିଂ କରିବ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା କେଉଁମାନେ ଓପନିଂ କରିବାର ସମ୍ଭାବନା ରହିଛି ।

ରୋହିତ ଶର୍ମା: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓପନିଂ କରିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଟି-୨୦ରେ ମଧ୍ୟ ହିଟମ୍ୟାନଙ୍କ ରେକର୍ଡ ଭଲ ରହିଛି । ଏଣୁ ସେ ଓପନିଂ କରିବେ । ତାଙ୍କ ସହ କିଏ ଓପନିଂ କରିବ?

ଇଶାନ କିଶାନ: ଇଶାନ କିଶାନ ଭାରତ ପାଇଁ ପୂର୍ବରୁ ବହୁ ମ୍ୟାଚରେ ଓପନିଂ କରିଛନ୍ତି । ତାଙ୍କ ବିକଳ୍ପଭାବେ ଓ୍ବିକେଟ କିପରଙ୍କ ଉପରେ ଯଦି ନଜର ପକାଇବା ତାହେଲେ ପନ୍ଥ, ସଞ୍ଜୁ ସାମସନ, ଜିତେଶ ଶର୍ମା ଏବଂ କେ.ଏଲ. ରାହୁଲ ରହିଛନ୍ତି । ଏମାନଙ୍କ ଅପେକ୍ଷା ଇଶାନ କିଶାନଙ୍କ କିପିଂ ଭଲ ରହିଛି । ସେପଟେ ପନ୍ଥ ଟି-୨୦ ବିଶ୍ବକପ ବେଳକୁ ସୁସ୍ଥ ହୋଇ ଦଳକୁ ଫେରିବେ କି ନାହିଁ ତାହା ସ୍ଥିର ହୋଇନାହିଁ । ସଞ୍ଜୁ ସାମସନ ନିୟମିତ ଦଳରେ ପ୍ରାୟତଃ ସ୍ଥାନ ପାଉନଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ଯଦି ଇଶାନ ବିଶ୍ବକପ ଦଳରେ ସ୍ଥାନ ପାଆନ୍ତି ତାହେଲେ ସେ ଓପନିଂ କରିବା ପାଇଁ ଦାବିଦାର ରହିବେ ।

ଶୁଭମନ ଗିଲ: କ୍ରିକେଟର ତିନୋଟି ଯାକ ଫର୍ମାଟରେ ଗିଲଙ୍କ ରେକର୍ଡ ଭଲ ରହିଛି । ଏଣୁ ସେ ଯଦି ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଆନ୍ତି ତାହେଲେ ରୋହିତ ସହ ଦିନିକିଆ ବିଶ୍ବକପ ଭଳି ଓପନିଂ ପାଳି ସମ୍ଭାଳିପାରନ୍ତି ।

ଋତୁରାଜ ଗାଏକ୍ବାଡ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଗାଏକ୍ବାଡଙ୍କ ପ୍ରଦର୍ଶନ ବେଶ ଉଚ୍ଚ କୋଟିର ରହିଥିଲା । ଶତକୀୟ ପାଳି ଖେଳି ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ତେବେ ସେ ଯଦି ଟି-୨୦ ବିଶ୍ବକପରେ ସ୍ଥାନ ପାଆନ୍ତି ତାହେଲେ ଓପନିଂ ବ୍ୟାଟିଂ କରିବା ପାଇଁ ଦାବିଦାର ରହିବେ ।

ଜଶସ୍ବୀ ଜୟଓ୍ବାଲ: ଆଇପିଏଲ ହେଉ କି ଟି-୨୦ ସିରିଜ । ସବୁବେଳେ ପ୍ରଥମରୁ ବୋଲରଙ୍କ ଉପରେ ପ୍ରେସର ପକାଉଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଜଣେ ପ୍ରତିଭାବାନ ଖେଳାଳି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମଧ୍ୟ ଭଲ ଖେଳିଛନ୍ତି । ଏଣୁ ସେ ଯଦି ଦଳରେ ସ୍ଥାନ ପାଆନ୍ତି ତାହେଲେ ଓପନିଂ କରିବେ ବୋଲି କୁହାଯାଉଛି।