କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ? ଶିବକୁମାର ନା ସିଦ୍ଧରମେୟା? କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବିଜୟ ମିଳିବା ପରେ ଏହି ପ୍ରଶ୍ନ ଏବେ ଉଙ୍କିମାରିଛି । ଦଳ ବହୁମତଠୁ ଅଧିକ ଆସନ ଜିତିଛି ସତ, ହେଲେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଦ୍ୱନ୍ଦ ଦେଖା ଦେଇଛି । କଂଗ୍ରେସ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା, ଏପରି ସ୍ଥିତିରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଜାରି ରହିଛି ।

କୁହାଯାଉଛି ଯେ ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି। ତେବେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାରି ଅଛନ୍ତି – ସିଦ୍ଧରମେୟା ଏବଂ ଡିକେ ଶିବକୁମାର। ଡିକେ ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କର୍ଣ୍ଣାଟକର ବଡ଼ ନେତା ଭାବରେ ପରିଚିତ। ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରୁ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ଦଳ ପାଇଁ କାଠିକର ପାଠ ହେବ।

ନିର୍ବାଚନରେ ବଡ଼ ବିଜୟ ପରେ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲି ତାହା ପୂରା କରିଛି । ମୁଁ ଅଖଣ୍ଡ କର୍ଣ୍ଣାଟକର ଲୋକଙ୍କ ପାଦରେ ପଡ଼ି ଆଶୀର୍ବାଦ ଭିକ୍ଷା କରୁଛି ଏବଂ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଉଛି । ଲୋକମାନେ ଆମ ଉପରେ ବିଶ୍ୱାସ କଲେ ଆଉ ଭୋଟ୍ ଦେଲେ । ମୁଁ ଭୁଲିପାରିବିନି ଯେ ଯେବେ ସୋନିଆ ଗାନ୍ଧି ମୋତେ ଭେଟିବା ପାଇଁ ଜେଲ୍ ଆସିଥିଲେ । ବିଶ୍ୱାସ ଦେଖାଇଥିବାରୁ ଗାନ୍ଧି ପରିବାର ଏବଂ ସିଦ୍ଧରମେୟାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ।

ଅନ୍ୟପକ୍ଷରେ ସିଦ୍ଧରମେୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ । ଏହା ଏକ ବଡ଼ ବିଜୟ ଅଟେ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ । ସେମାନେ ବିଜେପି ସରକାରର ନୀତିକୁ ଅତିଷ୍ଟ ହୋଇଯାଇଥିଲେ । ଏହି ନିର୍ବାଚନ ଲୋକସଭା ନିର୍ବାଚନର ଏକ ସିଢି ଅଟେ । ମୋତେ ଆଶା ଅଛି ଯେ ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏ ବିଜୟର ଶ୍ରେୟ କର୍ଣ୍ଣାଟକର ଜନତାଙ୍କୁ ଯାଉଛି । ଘୃଣାର ବଜାର ଏବେ ବନ୍ଦ ହୋଇଯାଇଛି ଏବଂ ପ୍ରେମର ଦୋକାନ ଖୋଲିଛି । ପ୍ରଥମ କ୍ୟାବିନେଟରେ ହିଁ କଂଗ୍ରେସ ପ୍ରତିଜ୍ଞା ଦେଇଥିବା ୫ ପ୍ରତିଶ୍ରୁତି ପୂରଣ କରିବ । ହେଲେ ରାହୁଲ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ସେନେଇ କିଛି କହିନଥିଲେ । ଅନ୍ୟପକ୍ଷରେ ପରାଜୟର ସାମ୍ନା କରିଥିବା ବିଜେପି ପୁଣିଥରେ ଅପରେସନ ଲୋଟସ୍ ଚଲାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ବିଜେପି । ଯଦି ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟ ଜଣେ ନାରାଜ୍ ହେବା ସ୍ୱାଭାବିକ । ହେଲେ ଯଦି ସିନ୍ଧିଆଙ୍କ ଭଳି ଏମାନଙ୍କ ମଧ୍ୟରୁ କେହି ଜଣେ ଦଳ ସହ ବିଦ୍ରୋହ କରନ୍ତି ତେବେ କଂଗ୍ରେସକୁ ସରକାର ଗଢ଼ିବାରେ ସମସ୍ୟା ହେବ । ପୂର୍ବରୁ ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା କହିସାରିଛନ୍ତି । ହେଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ ବି କିଛି କହିନାହାନ୍ତି । ହେଲେ ତାଙ୍କ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟା ଆଗରୁ ହିଁ କହିସାରିଛନ୍ତି ଏହା ତାଙ୍କର ଶେଷ ନିର୍ବାଚନ । ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଏପରି ସ୍ଥିତିରେ ଶେଷଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳ କରିବା ନେଇ ଚର୍ଚ୍ଚା ହେଉଛି ।

ଅନେକ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯଦି ଡିକେ ଶିବକୁମାରଙ୍କୁ ଦଳ ମୁଖ୍ୟମନ୍ତ୍ରୀ ନକରେ ତେବେ ମଧ୍ୟ ସେ ଦଳ ସହ ବିଦ୍ରୋହ କରିବେନି । କାରଣ ପୂର୍ବରୁ ବିଜେପି ଶିବକୁମାରଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏମିତି କି ତାଙ୍କୁ ଜେଲ୍ ଯିବା ପାଇଁ ମଧ୍ୟ ପଡ଼ିଥିଲା । ଏହି କାରଣରୁ ସେ କେବେ ବି ଦଳ ସହ ବିଦ୍ରୋହ କରିବେନି ବୋଲି କୁହାଯାଉଛନ୍ତି । ସିଦ୍ଧରମେୟା ହିଁ ପୁଣିଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ।