ଓମିକ୍ରନ୍ ଆତଙ୍କ: ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଲା WHO

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ କାୟା ବଢୁଥିବା ବେଳେ ଧନୀ ରାଷ୍ଟ୍ରଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନିଜ ଦେଶର ନାଗରିକଙ୍କ ସୁରକ୍ଷା ପ୍ରଦାନ କରିବା ଲାଗି ଯେଉଁ ବୁଷ୍ଟର ଡୋଜ ପ୍ରଦାନ କରାଯାଉଛି ତାହାକୁ ସମାଲୋଚନା କରିଛି ସଂଗଠନ । ଏହି ଅସମାନୁପାତିକ ପ୍ରକ୍ରିୟା ପୁଣି ଥରେ ବିପଦକୁ ଡାକି ଆଣିବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଟିକାକରଣ ନେଇ ବସିଥିବା ବିଶେଷଜ୍ଞ କମିଟି ବୈଠକରେ ବୁଷ୍ଟର ଡୋଜ ନେଇ ଚିନ୍ତାପ୍ରକଟ କରାଯିବା ସହ ବିଭିନ୍ନ ଧନୀ ରାଷ୍ଟ୍ରକୁ ଏନେଇ ଚେତାବନୀ ଦିଆଯାଇଛି ।

ଟିକା ଅଭାବରୁ ଅନେକ କମ୍ ଆୟକରୀ ଓ ଗରିବ ରାଷ୍ଟ୍ର ସମସ୍ୟାରେ ରହିଥିବା ବେଳେ ସେହି ସବୁ ରାଷ୍ଟ୍ରକୁ ଟିକା ରପ୍ତାନି ଲାଗି ପରାମର୍ଶ ଦିଆଯାଇଛି । ଯେଉଁମାନେ ଟିକା ଅଭାବରୁ ଜୀବନ ବିପଦରେ ରହିଛନ୍ତି ସେମାନଙ୍କ ଟିକାକରଣକୁ ପ୍ରଥମେ ପ୍ରାଧାନ୍ୟ ଦେବାକୁ ଆହ୍ୱାନ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିକାକରଣ ବିଭାଗ ମୁଖ୍ୟ ଡାକ୍ତର କେଟ୍ ଓବ୍ରିଏନ । ଆଫ୍ରିକା ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ ଟିକାକରଣ ଅଭାବରୁ କରୋନା ତାଣ୍ଡବ ଜାରି ରହିଛି । ସେପଟେ ବ୍ରିଟେନରେ ଗୋଟିଏ ଦିନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବଢିଛି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ରୁ ଅଧିକ ହୋଇଛି ।

Leave a Reply