ଗୁରୁତର ରୋଗୀଙ୍କ ପାଇଁ ଫାଇଜର ବଟିକାକୁ ଅନୁମୋଦନ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHO(World Health Organization) ଫାଇଜରର ପାକ୍ସଲୋଭିଡ୍‌ ବଟିକାକୁ କରୋନାରେ ଆକ୍ରାନ୍ତ  ଗୁରୁତର ରୋଗୀଙ୍କ ନିକଟରେ ବ୍ୟବହାର କରିବାକୁ ଅନୁମତି ଦେଇଛି । ସାମାନ୍ୟରୁ ମଧ୍ୟମ ଧରଣର ସଂକ୍ରମିତ ହୋଇଥିଲେ ମଧ୍ୟ ଯଦି ରୋଗୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି ତେବେ ତାଙ୍କୁ ଏହି ବଟିକା ଦିଆଯାଇପାରିବ ।

କରୋନାରେ ଅଧିକ ଗୁରୁତର ହୋଇନଥିଲେ ମଧ୍ୟ ଯେଉଁ ବ୍ୟକ୍ତି ଅନ୍ୟ କୌଣସି ଗୁରୁତର ରୋଗରେ ପୀଡ଼ିତ ଥିବେ ଏବଂ କରୋନରେ ସଂକ୍ରମିତ ହୋଇଥିବେ ତାଙ୍କୁ  ଫାଇଜରର ଓରାଲ ଆଣ୍ଟିଭାଇରାଲ ଡ୍ରଗ୍ ଦିଆଯାଇପାରିବ । ବିଶେଷ କରି ଭ୍ୟାକ୍ସିନ୍‌ ନେଇ ନଥିବା ବ୍ୟକ୍ତି, ଅଧିକ ବୟସ୍କ ଏବଂ କମ୍‌ ରୋଗପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି ଏହି ସୁବିଧା ପାଇପାରିବେ ।

ସୂଚନାଯୋଗ୍ୟ, ଏହି ଧରଣର ରୋଗୀଙ୍କ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍‌ ଫାର୍ମ ‘ଜିଲ୍‌ଡ୍‌’ଦ୍ବାରା ନିର୍ମିତ ଭୂତାଣୁ ନିରୋଧୀ ଔଷଧ ‘ରେମ୍‌ଡେସିଭିୟର୍‌’କୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସର୍ତ୍ତମୂଳକ ଅନୁମୋଦନ ଦେଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି, ଏବେ ମିଳୁଥିବା ବିକଳ୍ପଗୁଡ଼ିକ ଠାରୁ ‘ଫାଇଜର୍‌’ର ଏହି ଖାଇବା ଔଷଧ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ରକ୍ଷା କରୁଛି। ଏହାର ପ୍ରୟୋଗ ସହଜ ଏବଂ ଅନ୍ୟ ଔଷଧ ଅପେକ୍ଷା କମ୍‌ କ୍ଷତିକାରକ। ୩,୧୦୦ଜଣ ରୋଗୀଙ୍କ ଉପରେ ଦୁଇଟି ପର୍ଯ୍ୟାୟରେ ପ୍ରୟୋଗ କରାଯାଇ ପରୀକ୍ଷା କରାଯିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଔଷଧକୁ ଅନୁମୋଦନ କରିଛି। କିନ୍ତୁ, ଏହି ଔଷଧ କେବଳ ୧୮ରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କୁ ଦିଆଯାଇ ପାରିବ। ଅନ୍ତଃସତ୍ତ୍ୱା ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ଏହାର ପ୍ରୟୋଗ ନିଷେଧ କରାଯାଇଛି।

WHOର କହିବା ହେଉଛି ଔଷଧକୁ ୯୫ଟି ଦେଶରେ ବିକ୍ରି କରିବାକୁ ୩୦ ଜଣ ନିର୍ମାତାକୁ  କୁହାଯାଇଛି, ତାହା ମଧ୍ୟ ଶସ୍ତାରେ । କିନ୍ତୁ ଗୁଣବତ୍ତା ଦୃଷ୍ଟିରୁ ତାହା ଏବେ ସମ୍ଭବ ହୋଇପାରିବ ନାହିଁ । ଏହାଦ୍ୱାରା ଗରିବ ଏବଂ ମଧ୍ୟମ ଆୟକାରୀ ଦେଶ ଗୁଡ଼ିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।