ନୋ ହେଣ୍ଡସେକ ବିବାଦରେ ବଡ଼ ଖୁଲାସା, ଅସଲ ଦୋଷୀ ପାକିସ୍ତାନ !

1 min read

ନନ୍ଦିଘୋଷ ବ୍ୟୁରୋ :  ୧୪ ସେପ୍ଟମ୍ବରରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳାଳି ହେଣ୍ଡସେକ୍ ନ କରିବାକୁ ନେଇ ଏକ ବିବାଦ ଉଠିଛି । ଏବେ ଏହି ମାମଲାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟକୁ ଆଇସିସି ନିର୍ଦ୍ଦେଶ ଦେଇଛି କି, ଟସ ସମୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ମିଳାଇବେ ନାହିଁ ।

ଆଉ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଦିନ ପରେ, ପିସିବି ଆଇସିସିକୁ ମେଲ କରିଥିଲା । ଯେଉଁଥିରେ ସେ ମ୍ୟାଚ ରେଫରି ଟସ ସମୟରେ ନିୟମ ପାଳନ କରିନଥିବା ଦାବି କରିଥିଲା । ଆଇସିସି ସଙ୍ଗେସଙ୍ଗେ ଏହି ମାମଲାର ତଦନ୍ତ କରି ପିସିବିକୁ ଏହାର ଜବାବ ଦେଇଥିଲା । ଆଉ ମ୍ୟାଚ ରେଫରି ନିଜ ଆଚରଣ ଉଲ୍ଲଂଘନ କରିନଥିବା କଥା କହିଥିଲା । ଇମେଲରେ ଏହା ମଧ୍ୟ ଦର୍ଶାଯାଇଥିଲା କି, ଟସ୍ ସମୟରେ ହାତ ନମିଳାଇବା ଏସିସିର ନିର୍ଦ୍ଦେଶକୁ ପାଳନ କରାଯାଇଛି । ସବୁଠୁ ବଡ଼ କଥା ହେଲେ ଏସିସି ଅଧ୍ୟକ୍ଷ ପିସିବିର ମୁଖ୍ୟ ମୋହସିନ ନକବି ଅଛନ୍ତି । ଯଦି ଏସିସି ଏହି ନିର୍ଦ୍ଦେଶ ଦେଇଛି ତାହା ହେଲେ ଏହା ମୋହସିନ ନକବିଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ଧରାଯିବ । ଆଇସିସି ପାଇକ୍ରଫ୍ଟଙ୍କ ପ୍ରଶଂସା କରିବା ସହ ସେ ନିଜ କାର୍ଯ୍ୟ ଭଲ ଭାବରେ ସମ୍ପାଦନ କରିଥିବା କଥା କହିଛି । ଅ

ଅନ୍ୟପଟେ ପାକିସ୍ତାନ ବୋର୍ଡ ମଧ୍ୟ ସେମାନଙ୍କର ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲା। ବୁଧବାର ଦିନ, ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବିଗୁଡ଼ିକୁ ଦୋହରାଇଥିଲା। ମ୍ୟାଚ ରେଫରିର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କିନ୍ତୁ ଏହାର ଜବାବରେ  ଆଇସିସି ଆଧିକ ସୂଚନା ମାଗିଥିଲା । ଯାହାର ଉତ୍ତର ଏଯାଏଁ ପିସିବି ଦେଇନି ।

୧୭ ସେପ୍ଟେମ୍ବରରେ ପାକିସ୍ତାନ ଦଳ ସମୟ ମଧ୍ୟରେ ପଡ଼ିଆକୁ ଯାଇ ନଥିଲା ଏବଂ ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାକୁ ଲାଗିଲା, ସେତେବେଳେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ନିଜେ ଏକ ପରାମର୍ଶ ଦେଇଥିଲେ। ସେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ଏବଂ ମ୍ୟାନେଜର ନାଭିଜ୍ ଆକ୍ରମ ଚିମାଙ୍କ ସହିତ ଏକ ବୈଠକ ଡାକିଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ମ୍ୟାଚ୍ ରେଫରିଙ୍କ ରୁମରେ ପ୍ରଶିକ୍ଷକ ମାଇକ୍ ହେସନ୍ ମଧ୍ୟ ଉପସ୍ଥିତ ଥିଲେ  । ପାଇକ୍ରଫ୍ଟ ଭୁଲ ବୁଝାମଣା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପାଇକ୍ରଫ୍ଟ କ୍ଷମା ମାଗି ନାହାଁନ୍ତି। ବୈଠକର ଏକ ଭିଡିଓ, ଯାହାର କୌଣସି ଶବ୍ଦ ନାହିଁ, ଭାଇରାଲ ହେଉଛି। ପିସିବି ଦାବି କରୁଛି ଯେ ମ୍ୟାଚ୍ ରେଫରି କ୍ଷମା ମାଗିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ରିପୋର୍ଟ ପାକିସ୍ତାନକୁ ପର୍ଦ୍ଦାଫାସ କରିଛି।