ମହାବଳ ବାଘକୁ ମାରିଲା କିଏ ? ସସପେନ୍ସ ବଢାଇଲା ବାଘ ମୃତଦେହ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବୁଢିପଦା ଗାଁରୁ ମହାବଳ ବାଘର ମୃତଦେହ ଓ ଛାଲ ଜବତକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ବାଘକୁ କିଏ ମାରିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ ।  ବାଘର ମୃତଦେହ ସହ ଛାଲ ଜବତ ପରେ ତନାଘନା ଆରମ୍ଭ କରିଛି ବନ ବିଭାଗ । ଘଟଣାରେ ୪ ଜଣକୁ ଗିରଫ କରାଯାଇଛି । ଏମାନଙ୍କୁ ରିମାଣ୍ଡରେ ଆଣି ବାଘ ମୃତ୍ୟୁର ରହସ୍ୟ ଖୋଜିବାକୁ ଯୋଜନା କରିଛି ବନ ବିଭାଗ ।

ପ୍ରଶ୍ନ ଉଠୁଛି ସଂପୃକ୍ତ ଗାଁର ଆଖପାଖ ଜଙ୍ଗଲରେ ମହାବଳ ରହୁଥିଲା କି ? ଏନେଇ ଜଙ୍ଗଲ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଯଦି ବନ ବିଭାଗ ତଥ୍ୟ ସତ ତେବେ ଅଞ୍ଚଳକୁ ମହାବାଳ ବାଘର ମୃତଦେହ ଆସିଲା କେଉଁଠୁ ? ଅନ୍ୟ କେଉଁଠି ମହାବଳ ବାଘକୁ ଶିକାର କରାଯିବା ପରେ ଏଠାରେ ଆଣି ପକାଯାଇନି ତ ?

ପ୍ରାଥମିକ ରିପୋର୍ଟ ମୁତାବକ, ବୁଢିପଦା ଗାଁ ପାଖ ଜଙ୍ଗଲକୁ ୩ଟି ମଇଁଷି ଚରିବାକୁ ଯାଇଥିଲେ । ସେହି ମଇଁଷିମାନଙ୍କୁ ବାଘ ଖାଇ ଦେଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଗୋଟିଏ ମଇଁଷିର ମୃତଦେହରେ ବିଷ ମିଶାଇ ଦେଇଥିଲେ ମୁଖ୍ୟ ଅଭିଯୁକ୍ତ ଦୁର୍ଯ୍ୟୋଧନ ମହାକୁଡ଼ । ଏହି ବିଷ ମିଶା ମଲା ମଇଁଷିକୁ ବାଘ ଖାଇବା ପରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ପରେ ଦୁର୍ଯ୍ୟୋଧନଙ୍କ ପରିବାର ଲୋକେ ବାଘର ଛାଲ କାଢି ଘରେ ରଖିଥିଲେ । ବନବିଭାଗ ଦୁର୍ଯ୍ୟୋଧନଙ୍କ ଘରେ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ।