spot_img

Latest Posts

ବିଲକିସ ବାନୋଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିଥିବା ଆଇନଜୀବୀ ବୃନ୍ଦା କିଏ?

ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ଏହି ଘଟଣାରେ ସପୃକ୍ତ ଥିବା ସମସ୍ତ ୧୧ ଦୋଷୀଙ୍କୁ କ୍ଷମା କରିଥିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଲକିସ୍ ବାନୋ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ବେଆଇନ, ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଆରମ୍ଭରୁ ଏହି ପ୍ରସଙ୍ଗରେ ବୃନ୍ଦା ଗ୍ରୋଭର ସ୍ୱର ଉତ୍ତୋଳନ କରିଥିଲେ। ତେବେ ବୃନ୍ଦା ଗ୍ରୋଭର କିଏ? ଯିଏ ବିଲକିସଙ୍କୁ ପାଇଁ ନ୍ୟାୟ ଦେଇଛନ୍ତି । ଜାଣନ୍ତୁ ତାଙ୍କ ବିଷୟରେ ।

ବୃନ୍ଦା ଗ୍ରୋଭର ଜଣେ ମାନବାଧିକାର ଆଇନଜୀବୀ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଲାଭ କରିଛନ୍ତି। ଏହା ବ୍ୟତୀତ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର କରିଛନ୍ତି। ବହୁ ମାନବାଧିକାର ସମ୍ବନ୍ଧୀୟ ଆନ୍ଦୋଳନରେ ବୃନ୍ଦା ସକ୍ରିୟ ମଧ୍ୟ ଅଛନ୍ତି। ମହିଳା ଏବଂ ଶିଶୁମାନଙ୍କ ପ୍ରତି ଘରୋଇ ହିଂସା ଏବଂ ଯୌନ ହିଂସା ଇତ୍ୟାଦିରୁ ରକ୍ଷା କରିବା ପାଇଁ ପ୍ରଣୟନ ହୋଇଥିବା ଆଇନର ଚିଠା ତିଆରି କରିବାରେ ସେ ସହଯୋଗ କରିଛନ୍ତି। ଅତ୍ୟାଚାର, ସାମ୍ପ୍ରଦାୟିକ ତଥା ଟାର୍ଗେଟ ହିଂସା ବିରୋଧରେ ଆଇନ ପ୍ରଣୟନ ସପକ୍ଷରେ ସେ ଓକିଲାତି କରିଥାନ୍ତି । ଏସବୁ ପ୍ରସଙ୍ଗରେ ଆଇନ ଆଣିବାକୁ ନେଇ ସେ ମୁଖର ।

ବୃନ୍ଦା ଦେଶର ଜଣେ ବରିଷ୍ଠ ଓକିଲ ଭାବରେ ଜଣାଶୁଣା। ସେ ୧୯୮୯ ମସିହାରୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟାନ୍ୟ ଟ୍ରାଏଲ କୋର୍ଟରେ ଓକିଲାତି କରୁଛନ୍ତି । ସେ ଅପରାଧିକ ଆଇନ, ମହିଳାଙ୍କ ଅଧିକାର ଏବଂ ମାନବିକ ଅଧିକାର ସହ ଜଡିତ। ୨୦୧୩ରେ ଟାଇମ୍ ମାଗାଜିନ୍ ତାଙ୍କୁ ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା |

ବିଲକିସ୍ ବାନୋ ମାମଲାରେ ଦୋଷୀଙ୍କ ଦଣ୍ଡ କମାଇବା ପାଇଁ ଯେଉଁ ଆବେଦନ ହୋଇଥିଲା ତା ବିରୋଧରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ । ସମସ୍ତ ୧୧ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଆଇନଜୀବୀ ବୃନ୍ଦା କହିଛନ୍ତି ଯେ,ମାମଲାର ନିରପେକ୍ଷ ବିଚାର ପାଇଁ ଗୁଜୁରାଟ ସରକାର ଏହି କେସକୁ ମହାରାଷ୍ଟ୍ରକୁ ପଠାଇଥିଲେ ଯାହା ଦ୍ବାରା ଠିକ୍ ନ୍ୟାୟ ହୋଇପାରିବ ।  କିନ୍ତୁ ଗୁଜୁରାଟ ସରକାର ବିନା କୌଣସି ଅଧିକାରରେ  ଅପରାଧୀଙ୍କୁ କ୍ଷମାଦାନ କରିଥିଲେ । ସରକାରଙ୍କ କ୍ଷମାଦାନ ନିଷ୍ପତ୍ତି ଆଇନ ବିରୁ୍ଦ୍ଧରେ ଥିଲା। ଅପରାଧୀମାନେ ପୂର୍ବରୁ ବହୁତ ଆଶ୍ୱସ୍ତି  ପାଇଛନ୍ତି ,ଏବେ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲରେ ରିପୋର୍ଟ କରିବାକୁ ପଡିବ।

Latest Posts

Don't Miss