ବିରୋଧୀ ଦଳ ନେତା ପଦ: ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’

1 min read

ଭୁବନେଶ୍ବର: ବିଜେପିରେ ଆରମ୍ଭ ହୋଇଛି ଶିଂଘ ଲଢ଼େଇ । କିଏ ଜିତିବ ବାଜି ଆଉ କିଏ ହାରିବ ? ଏ ପ୍ରଶ୍ନ ଏବେ ଭୁବନେଶ୍ୱରରୁ ଦିଲ୍ଲୀ ଯାଏ ଘୂରି ବୁଲୁଛି । ବିଧାନସଭାରେ ପଦ୍ମ ଦଳର କିଏ ମଙ୍ଗୁଆଳ ସାଜିବ ତା’କୁ ନେଇ ଛକାପଞ୍ଝା ଏବେ ବଢ଼ି ବଢ଼ି ଚାଲିଛି । ଏ ପଦ ପାଇଁ ମୁଖ୍ୟତଃ ମୋହନ ଚରଣ ମାଝୀ, ଜୟ ନାରାୟଣ ମିଶ୍ର ରେସରେ ଅଛନ୍ତି । ଏ ଦୁଇ ଭେଟେରାନଙ୍କ ମଧ୍ୟରୁ କାହା ମୁଣ୍ଡରେ ଦଳୀୟ ହାଇକମାଣ୍ଡ ସୁନା କଳସ ଢ଼ାଳିବେ ତାହା ଏବେ ମିଲିୟନ ଡଲାରର ପ୍ରଶ୍ନ । ତେବେ ଖୋଦ ବିଜେପି ଶିବିରର ବହୁ ପୁରୁଖା ନେତାଙ୍କ ଯୁକ୍ତି ହେଉଛି ବିରୋଧୀ ଦଳ ନେତା ପଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ମୋହନ ଫିଟ୍ ନୁହନ୍ତି । ଯେ ନିଜ ନିର୍ବାଚନମଣ୍ଡଳୀ କଥା ବୁଝିପାରୁନାହାନ୍ତି, ସେ ବିଧାନସଭାରେ କି ରଣକୌଶଳ ଆଦରିବେ ?

ପ୍ରଦୀପ୍ତଙ୍କ ପରେ କିଏ ? ବିଜେପି ଯଦି ସ୍ୱାସ୍ଥ୍ୟାବସ୍ଥା କାରଣରୁ ପ୍ରଦୀପ୍ତ ନାଏକଙ୍କୁ ବିରୋଧୀ ଦଳ ନେତା ପଦରୁ ଅବ୍ୟାହତି ଦିଏ ତେବେ ତାଙ୍କ ଆସନରେ କିଏ ବସିବ ? ବିଜେପି ବିଧାୟକମାନେ ବିଧାନସଭାରେ କାହା ଇସାରାରେ କାମ କରିବେ ? ଏହାକୁ ନେଇ ଦଳ ଭିତରେ ଏବେ ଆରମ୍ଭ ହୋଇଛି ଟୁପୁରୁ ଟାପୁରୁ ।  ତେବେ ଖୋଦ ଦଳୀୟ ମହଲରେ ଜୋରଦାର ଆଲୋଚନା ଯେ, ଜୟନାରାୟଣ ଏବଂ ମୋହନ ଏବେ ଏ ପଦ ଉପରେ ଆଖି ପକାଇଛନ୍ତି । ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏ ପଦ ପାଇଁ ଲୋଭ ସମ୍ବରଣ କରିପାରୁ ନାହାନ୍ତି । ଜୟନାରାୟଣ ଓ ମୋହନ ଦିଲ୍ଲୀରେ ଡେରା ପକାଇଛନ୍ତି ।  କଳ ବଳେ କୌଶଳେ କିଭଳି ନେତା ଲଡୁ ଖାଇବେ ସେଥିପାଇଁ ଲବିକୁ ଜୋରଦାର କରିଛନ୍ତି । ରାଜନୈତିକ ମହଲର ଯୁକ୍ତି ହେଉଛି, ବିଜେପି ପ୍ରଥମ ଥର ପାଇଁ ବିଧାନସଭାରେ ବିରୋଧୀ ଦଳ ଆସନରେ ବସିଛି । ବିରୋଧୀ ଦଳ ନେତା ପଦ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ । ଏହି ପଦର ସ୍ୱତନ୍ତ୍ର ଗରିମା ରହିଛି । ଏହି ପଦ ପାଇଁ ତୁଳନାତ୍ମକ ଭାବେ ମୋହନଙ୍କ ଅପେକ୍ଷା ଜୟ ବେଶୀ ଯୋଗ୍ୟ । ଜୟଙ୍କ ଅଭିଜ୍ଞତା ଓ ରାଜନୈତିକ ଉପସ୍ଥିତ ବୁଦ୍ଧି ହିଁ ଦଳକୁ ଗୃହ ପରିଚାଳନାରେ ବେଶ ଲାଭ ଦେବ । ଏହାଛଡ଼ା ଚଳିତ ବିଧାନସଭାରେ ବିରୋଧୀ ଦଳ ନେତା ପଦ ପାଇଁ ଜୟ ଅଧିକାଂଶ ବିଧାୟକଙ୍କ ପ୍ରଥମ ପସନ୍ଦ ଥିଲେ । ଜୟଙ୍କ ପଲା ଭାରି ଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋର୍ଟରେ ଏବେ ବଲ୍ । ତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ  ହେବ ।

ଦୀର୍ଘଦିନ ହେବ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ । ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରେ ବିଜେପି ବିଧାୟକ ଏବେ ବିଧାନସଭାରେ ବାଟବଣା । ମୁରବୀବିହୀନ ଭଳି କାମ କରୁଛନ୍ତି ବିଜେପି ବିଧାୟକ । ଦିଶାହୀନ ଭାବେ ଦଳୀୟ ବିଧାୟକ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି । କେତେବେଳେ କାହାକୁ ଟାର୍ଗେଟ୍ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି । କେତେବେଳେ ବିଷ୍ଣୁ ସେଠୀ କଂଗ୍ରେସ ଉପରେ ବର୍ଷିଲେଣି ତ କେତେବେଳେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କଲେଣି । ସେପଟେ ମୋହନ ମଧ୍ୟ ନିଜ ବ୍ୟକ୍ତିଗତ ଦବଦବା ଦେଖାଇବାକୁ ଯାଇ ସରକାରଙ୍କୁ ତୀର୍ଯ୍ୟକ ଶବ୍ଦବାଣ ମାରୁଛନ୍ତି । ପ୍ରଦୀପ୍ତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ନୂଆ ନେତା ବାଛିବାକୁ ଦିଲ୍ଲୀରେ ଲବି ତେଜିଛି । ତେବେ ଜୟନାରାୟଣଙ୍କୁ ଏ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ତେଜିଛି ।

ଗତ ଶନିବାର ଦିନ ବିଜେପିର ଦୁଇ ବରିଷ୍ଠ ନେତା ଜୟନାରାୟଣ ଓ ମୋହନ ଦିଲ୍ଲୀରେ ପହଞ୍ଚି ଏ ସମ୍ପର୍କରେ ଦଳର ବରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିଛନ୍ତି । ମାତ୍ର ଏ ଦୁଇ ବିଧାୟକ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଦୁହେଁ ପବ୍ଲିକ ଆକାଉଣ୍ଟସ କମିଟିର ଶହେ ବର୍ଷ ପୂର୍ତ୍ତି ଉତ୍ସବକୁ ଆସିଥିବା କହିଛନ୍ତି । ଏପରିକି ଦଳର ସାଧାରଣ ସଂପାଦକ ରବି ନାୟକ କହିଛନ୍ତି, ଯେ କେହି ବିଧାୟକ ଦିଲ୍ଲୀ ଯାଇନାହାନ୍ତି  । ମାତ୍ର ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ନ୍ୟାୟରେ ଖୋଦ ବିଜେପିର ଭିତିରି ମହଲ କହୁଛି, ଜୟନାରାୟଣ  ଓ ମୋହନଙ୍କ ମଧ୍ୟରୁ ଜଣଙ୍କୁ ପରବର୍ତ୍ତୀ ବିରୋଧୀଦଳ ନେତା ପଦରେ ବସାଇବାକୁ ଦଳ ଚିନ୍ତା କରୁଛି ।

ରାଜେନୖତିକ ମହଲର ଅନୁମାନ କହୁଛି, ଜୟନାରାୟଣ ବିରୋଧୀଦଳ ନେତା ମୁକୁଟ ପିନ୍ଧିବାର  ସମ୍ଭାବନା ଅଧିକ । ଯଦିଓ ଜୟନାରାୟଣ ପ୍ରାୟତଃ ଅସୁସ୍ଥତା ଦେଇ ଗତି କରୁଛନ୍ତି ତଥାପି  କିଛିଦିନ ହେଲା ସେ ଧର୍ମେନ୍ଦ୍ରଙ୍କ ପ୍ରଶଂସକ ତାଲିକାରେ ସର୍ବାଗ୍ରେ ରହିଛନ୍ତି । ଧର୍ମେନ୍ଦ୍ରଙ୍କ କିଛି ଟୁଇଟକୁ ସେ ବରାବର ରିଟୁଇଟ ଓ ଲାଇକ୍ କରୁଥିବା ଦେଖିବାକୁ ମିଳିଛି । ସହଜେ ବିଜେପିରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାନ୍ତରାଳ ସଂଗଠନକୁ ନେଇ ଦଳ ଲୋକହସା । ତେଣୁ ବିରୋଧୀ ଦଳ ନେତା ପଦକୁ ନେଇ ଛକି-ଶୂନ ଖେଳ ପଦାକୁ ନଆସୁ ସେଥିପାଇଁ ଦଳ ବେଶ୍ ସତର୍କ ରହିଛି ।

Leave a Reply