ଟିମ୍ ଇଣ୍ଡିଆର କୋଚ୍ ହେବାକୁ ମନା କଲେ ନେହେରା, ଏବେ କିଏ ସମ୍ଭାଳିବେ ଗୁରୁ ଦାୟିତ୍ବ

1 min read

ନୂଆଦିଲ୍ଲୀ: ସରିଛି ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ନୂଆ କୋଚ ସନ୍ଧାନରେ ବିସିସିଆଇ। ଦ୍ରାବିଡଙ୍କ ପରେ ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରାଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଇଥିଲା ବିସିସିଆଇ । ମାତ୍ର ଏହାକୁ ମନା କରି ଦେଇଛନ୍ତି ନେହେରା । ଏବେ କାହାକୁ ଦାୟିତ୍ବ ଦେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ବିସିସିଆଇ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ବଢ଼ାଇପାରେ । ଟି-୨୦ ବିଶ୍ବକପରେ ନୂଆ କୋଚ ରଖିପାରେ ବିସିସିଆଇ। ମାତ୍ର ଏଯାବତ ରାହୁଲ ଦ୍ରାବିଡ କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦମଦାର ପ୍ରଦର୍ଶନ କରୁଛି । ନମ୍ବର ଓ୍ବାନ୍ ଟିମ ରହିଥିଲେ ସୁଦ୍ଧା ଏଯାବତ ୧୦ ବର୍ଷ ହେବ କୌଣସି ଆଇସିସି ଟ୍ରଫି ଜିତିନାହିଁ । ନିକଟରେ ଦିନିକିଆ ବିଶ୍ବକପରେ ଭାରତ ଉପବିଜେତା ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ମାତ୍ର ଫାଇନାଲରେ ଶକ୍ତିଶାଳି ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ହୋଇଛି । ସେପଟେ ଆଶିଷ ନେହେରାଙ୍କ ପ୍ରଶିକ୍ଷଣ ସମ୍ପର୍କରେ ଯଦି କହିବା ତାହେଲେ ସେ ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ ରହିଛନ୍ତି । ତାଙ୍କ କୋଚିଂରେ ଦଳ ଗୋଟିଏଥର ଚାମ୍ପିୟନ ହୋଇଛି । ଅଭିଜ୍ଞତା କାରଣରୁ ବିସିସିଆଇ ତାଙ୍କୁ ଗୁରୁ ଦାୟିତ୍ବ ଦେବାକୁ ଲକ୍ଷ୍ୟ ରଖିଥିଲା । ମାତ୍ର ଏହାକୁ ଏଡାଇ ଦେଇଥିଲେ ନେହେରା ।