ଲିଙ୍ଗରାଜ ଅଘଟଣ: କାଲି ପ୍ରତିକ୍ରିୟା ଦେଇ ସରକାର ଆଜି ଚୁପ, ଦାୟୀ କିଏ ?
1 min read
ଭୁବନେଶ୍ବର: ବିଜେଡି ସରକାର ଯିବା ପରେ ଆସିଲା ଡବଲ ଇଞ୍ଜିନ ସରକାର । ତେବେ ନୂଆ ସରକାର ସହ ସତେ ଯେମିତି ମାଡ଼ି ଆସିଛି ବିଭ୍ରାଟ ପରେ ବିଭ୍ରାଟ । ଆଇନ ଶୃଙ୍ଖଳା ଭୁଶୁଡ଼ିବା ପରିସ୍ଥିତି ହେଉ କି ନାରୀ ନିର୍ଯାତନା, ଗତ ୮ ମାସରେ ରାଜ୍ୟକୁ କଳଙ୍କିତ କରିଛି ଗୋଟିଏ ପରେ ଗୋଟିଏ କାଣ୍ଡ । ସରକାର ଆସିବା ପରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଗଲେ । ସେ ସମୟରେ ସରକାର ସଜାଗ ହେଲେନି । ଗତକାଲି ସକାଳେ ଠେଲାପେଲା ଧସ୍ତାଧସ୍ତିରୁ ଆରମ୍ଭ ହୋଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିରେ ସେବାୟତ ପଡ଼ିବାରେ ସରିଲା । ମୋହନ ସରକାର କେବଳ ସମୀକ୍ଷା କରନ୍ତି । ହେଲେ ସମସ୍ତଙ୍କୁ ନେଇ ଚାଲୁ ନଥିବାରୁ ଦୀର୍ଘ ୮ ମାସ ହେଲା ଚରମ ପ୍ରଶାସନିକ ଦାୟିତ୍ବହୀନତା ନେଇ ରାଜ୍ୟ ଗତି କରୁଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ।
ପୂର୍ବରୁ କେବେ ଏମିତି ହୋଇ ନଥିଲା । ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ହେଉଥିଲା । ହେଲେ ମହାଶିବରାତ୍ରୀରେ କେବେ ଭକ୍ତ ଅସୁବିଧାରେ ପଡ଼ୁ ନଥିଲେ । ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ଏପରି ଫେଲ୍ ମାରିଲା ଯେ ଘାଇଲା ହୋଇ ପଡ଼ିଥିଲେ ଭକ୍ତ । ଶେଷରେ ମହାପ୍ରଭୁଙ୍କ ମହାଦୀପ ଉଠାଉଥିବା ସେବାୟତ ବି ମନ୍ଦିର ଚଢୁ ଚଢୁ ପଡ଼ି ଆହତ ହେଲେ । ମହାଶିବରାତ୍ରୀରେ ଭିଆଇପି ପାସ୍ ବଣ୍ଟନକୁ ନେଇ ବି ବିବାଦ ମୁଣ୍ଡ ଟେକିଲାଣି ।
ତେବେ ମୋହନ ସରକାର ଆସିବା ପରଠାରୁ ଏପରି ବିଭ୍ରାଟ ନୂଆ ନୁହେଁ । ଗତ ଆଠ ମାସରେ ସରକାରଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ଆସିଲାଣି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦେଲା ପୋଲିସ । ତଦନ୍ତ କମିଶନ ନାଁରେ ଚାଲିଛି ବାହାନାବାଜି । ସେପଟେ ନ୍ୟାୟ ଅପେକ୍ଷାରେ ପୀଡ଼ିତା । ରଥଯାତ୍ରା ସମୟରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଓଡ଼ିଆ ଏଏସଓଙ୍କୁ ମାଡ଼ ମରିଲେ । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି । ତଦନ୍ତ ଆଳରେ ଏପରି ସ୍ପର୍ଶକାତର ମାମଲାକୁ ଭିନ୍ନ ଦିଗ ଦେବାକୁ ରାଜ୍ୟ ସରକାର ଚେଷ୍ଟା କରି ଚାଲିଛନ୍ତି । ସେହି ରଥଯାତ୍ରା ସମୟରେ ମହାପ୍ରଭୁ ବଳଭଦ୍ର ମୁହଁ ମାଡ଼ି ପଡ଼ିଗଲେ । ତାହା ବି ତଦନ୍ତର ଫାଇଲରେ ଗଡ଼ି ଚାଲିଛି । ହେଲେ ନିଷ୍କର୍ସ ବାହାରି ପାରୁନି । ଇ-କେଓ୍ବାଇସି ଓ ରାସନ କାର୍ଡ । ଏପରି ବୟାନ ଭିତରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ନୀରିହ ଆଦିବାସୀ ଚାଉଳ ନ ପାଇ ଅନାହାରରେ ପ୍ରାଣ ହରାଇଲେ । ଏହା ଭିତରେ ଆଳୁ ସହ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ହୋଇ ଚାଲିଛି । ନୂଆ ଅବକାରୀ ଆଇନ ଆଣିବା କଥା କହୁ କହୁ ଚିକିଟିରେ ମଦମୃତ୍ୟୁ ହେଲା । ସରକାରଙ୍କୁ ଚାରି ମାସ ଲାଗିଲା ତଦନ୍ତ ପ୍ରକ୍ରିୟା ଆଗେଇବାକୁ । ସବୁଠାରୁ ବଳି ଗଲା ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ସମୟରେ ପଡ଼ିଆରେ ଗୋଟାଏ ପଟ ଅନ୍ଧାର ହୋଇ ୩୨ ମିନିଟ ପାଇଁ ଖେଳ ବନ୍ଦ ରହିବା ଘଟଣା । ଏଥିରେ ବି କାରଣ ଦର୍ଶାଅ ନୋଟି ଜାରି କରି ସରକାର ଚୁପ୍ ।
ନୂଆ ସରକାର ଆସିବା ଦିନଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନ ଶୃଙ୍ଖଳା ଏପରି ଭୁଶୁଡ଼ି ପଡ଼ୁଛି ଯେ ରାଜରାସ୍ତାରେ ଲୋକଙ୍କ ଗଳା କଟା ଯିବା ସହ ଭିଆଇପିଙ୍କ ଘରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ । ହେଲେ ସରକାର କି ପ୍ରଶାସନ ସଜାଗ ହେଉ ନଥିବା ବିଜେଡି ଅଭିଯୋଗ କରିଛି । ଠିକ ସମୟରେ ସରକାର ସଜାଗ ନହେଲେ ଆଗକୁ ଆହୁରି ବିପଦ ଆସିବା ନେଇ ବିଜେଡି ଚେତାବନୀ ଦେଇଛି । ସେହିପରି ବାରମ୍ବାର ବିଭ୍ରାଟ ପାଇଁ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।
କେବଳ ଶାସକ ଦଳକୁ ନେଇ ସରକାର ଚାଲୁଛନ୍ତି । ବିଧାନସଭା ହେଉ କି ଗୃହ ବାହାରେ, କେଉଁଠାରେ ବି ବିରୋଧୀଙ୍କୁ ନେଇ କାମ କରୁ ନଥିବା ଅଭିଯୋଗ ଜୋର ଧରିଲାଣି । ହେଲେ ବିଭ୍ରାଟ ପରେ ବିଭ୍ରାଟ ଘଟି ସରକାରଙ୍କ ଛବି ମଳିନ ହେବା ପରେ ବିରୋଧୀଙ୍କ ସହଯୋଗ ମାଗିଛି ସରକାରୀ ଦଳ ।
ସମୀକ୍ଷା ଓ ପୂର୍ବ ସରକାରଙ୍କୁ ସମାଲୋଚନାରେ ସୀମିତ ରହୁଛନ୍ତି ସରକାର । ହେଲେ ନିଜ ଆଡ଼ୁ ରାଜ୍ୟ ପାଇଁ କଣ ନୂଆ କରି ବିକାଶ କାର୍ଯ୍ୟ କରିବେ, ସେ ନେଇ କୌଣସି ମାଷ୍ଟର ପ୍ଲାନ ନଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଲାଣି ।