ପାକିସ୍ତାନରେ କିଏ ଗଢିବ ସରକାର?

1 min read

ଇସଲାମବାଦ: ପାକିସ୍ତାନରେ କିଏ କରିବେ ସରକାର ଚାଲିଛି ପ୍ରକ୍ରିୟା। ପିଏମଏଲ-ଏନ ନେତା ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ  ନିର୍ବାଚନରେ ଉଭୟ ପିଏମଏଲ-ଏନ ନେତା ନଓ୍ବାଜ ସରିଫ ଓ ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଇମ୍ରାନ ଖାଁ ନିଜ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରିଛନ୍ତି । କାହାର ବିଜୟ ହୋଇଛି ସେ ନେଇ ସ୍ପଷ୍ଟ ଆସୁନାହିଁ । ଗତକାଲି ପିଏମଏଲ ଏକ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବୋଲି ସରିଫ ଦାବି କରିବା ସହ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ । କୁହାଯାଉଛି ପିଟିଆଇ ବର୍ତ୍ତମାନ ସୁଦ୍ଧା ୯୯ ଆସନରେ ବିଜୟୀ ହୋଇଛି । ପିଏମଏଲ-ଏନ ୭୧, ପିପିପି ୫୩, ଏମକ୍ଯୁଏମ ୧୭ ଆସନ ହାସଲ କରିଛନ୍ତି । ସେପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ୟବହାର କରି ଇମ୍ରାନଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଛି । ଏହି ବାର୍ତ୍ତାରେ ସରିଫଙ୍କ ଦାବିକୁ ଇମ୍ରାନ ଅଗ୍ରାହ୍ୟ କରିଛନ୍ତି । ବାର୍ତ୍ତାରେ ଇମ୍ରାନ କହିଛନ୍ତି- ନଓ୍ବାଜ ସରିଫଙ୍କ ଲଣ୍ଡନ ପ୍ଲାନ ଫେଲ୍ ମାରିଛି । ଗତବର୍ଷ ଶେଷ ଭାଗରେ ତିନି ଥରର ପ୍ରଧାନମନ୍ତ୍ରୀ ସରିଫ ଲଣ୍ଡନରୁ ସ୍ବଦେଶ ଫେରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ । ସରକାର ଗଠନ ଲାଗି ପିପିପି ସହ ଆଲୋଚନା ହୋଇଥିବା ସେ ଦାବି କରିଛନ୍ତି । ତେଣେ ପାକିସ୍ତାନର ନିର୍ବାଚନ ନିୟମ ଅନୁସାରେ ସ୍ବାଧୀନ ସଦସ୍ୟମାନେ ସରକାର ଗଠନ କରିପାରିବେ ନାହିଁ ବୋଲି ନିୟମ ଥିବାରୁ ସମସ୍ୟା ଅଧିକ ଘନୀଭୂତ ହୋଇଛି । ତେବେ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ମିଶି ସେମାନେ ସରକାର କରିପାରିବେ । ତେଣେ ସରକାର ଗଠନ ଲାଗି ପିପିପି ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଓ ଉପାଧ୍ୟକ୍ଷ ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ସହ ନଓ୍ବାଜ ଆଲୋଚନା କରିଥିବା ସୂଚନା ମିଳିଛି ।