କେଜ୍ରିଓ୍ବାଲ ଧରାଶାୟୀ କରିଥିବା ପରବେଶ ବର୍ମା କିଏ ?
1 min readନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲ ଧରାଶାୟୀ । ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ସିଟରୁ ପରବେଶ ବର୍ମାଙ୍କ ଠାରୁ ୩୧୮୨ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଜିଆଣ୍ଟ କିଲର୍ ହେଉଛନ୍ତି ବିଜେପିର ପରବେଶ ବର୍ମା। ସେ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ପରବେଶ ବର୍ମା ବିଜେପି ଫାୟାରବ୍ରାଣ୍ଡ ୟଙ୍ଗ୍ ଜେନେରେସନ ନେତା ଭାବେ ଜଣାଶୁଣା। କେଜରିୱାଲଙ୍କୁ ସିଧା ଟକ୍କର ଦେବାକୁ ପରବେଜଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ବିଜେପି। ତାହା ମାଷ୍ଟ୍ରରଷ୍ଟ୍ରୋକରେ ପ୍ରମାଣିତ ହୋଇଛି। ୩୧୮୨ ଭୋଟରେ ସେ କେଜ୍ରିଓ୍ବାଲଙ୍କୁ ହରାଇଛନ୍ତି ।
ପରବେଶ ବର୍ମା ଦିଲ୍ଲୀର ଏକ ପ୍ରମୁଖ ରାଜନୈତିକ ପରିବାରର ଅଟନ୍ତି । ସେ ପୂର୍ବତନ ବିଜେପି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ତାଙ୍କ କାକା ଆଜାଦ ସିଂହ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ମୁଣ୍ଡକା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପରବେଶ ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଆରକେ ପୁରମରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଫୋର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ MBA କରିଥିଲେ ।
୨୦୧୩ରେ ରାଜନୀତିରେ ପାଦ ଥାପିଥିଲେ
୨୦୧୩ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ମେହରୌଲି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଧାନସଭାରେ ବିଜୟୀ ହୋଇଥିଲେ। ସାଂସଦ ଥିବା ସମୟରେ, ସେ ସାଂସଦଙ୍କ ଦରମା ଏବଂ ଭତ୍ତା ସମ୍ପର୍କିତ ଯୁଗ୍ମ କମିଟିର ସଦସ୍ୟ ଥିଲେ। ସେ ନଗର ଉନ୍ନୟନ ସ୍ଥାୟୀ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।
କେଜ୍ରିୱାଲଙ୍କୁ ହଟାଇବା ଅଭିଯାନ
୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ, ପରବେଶ ବର୍ମା “କେଜରିୱାଲ ହଟାଓ, ଦେଶ ବଚାଓ” ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ବର୍ତ୍ତମାନର ଆପ ପ୍ରଶାସନ ଏହାର ପ୍ରାଥମିକ ପ୍ରତିଶ୍ରୁତି ପୂରଣ ନକରିବା ପାଇଁ ସମାଲୋଚନା କରାଯାଇଥିଲା। ତାଙ୍କ ପ୍ରଚାର ଅଭିଯାନରେ ସେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ସମୟରେ, ସେ ପ୍ରଦୂଷଣ ସମ୍ବନ୍ଧୀୟ ଚିନ୍ତା, ମହିଳା ସୁରକ୍ଷା ଏବଂ ନାଗରିକ ଭିତ୍ତିଭୂମିର ବିକାଶ ଭଳି ପ୍ରସଙ୍ଗ ଉଠାଇଥିଲେ। ସେ ଯମୁନା ସଫା କରିବାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।
ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା
ପରବେଶ ବର୍ମା ମଧ୍ୟ ନିଜର ବୟାନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ ମସିହାରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ହୋଇଥିବା ପ୍ରତିବାଦ ସମୟରେ ସେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କଠୋର ମନ୍ତବ୍ୟ ଦେଇଥିଲେ। ସେ ୨୦୨୨ ମସିହାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟବସାୟ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ, ଯାହା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା। ୨୦୨୩ ମସିହାରେ ଛଟ ପୂଜା ପୂର୍ବରୁ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡିଓରେ ସେ ଜଣେ ସରକାରୀ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିଲେ।
ସାହିବ ସିଂହ ବର୍ମାଙ୍କ ଆଦର୍ଶ ଅନୁସରଣ କରି ସେ ରାଜନୀତିରେ ଆଗକୁ ବଢ଼ୁଛନ୍ତି । ତାଙ୍କର ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି । କେଜ୍ରିଓ୍ବାଲଙ୍କୁ ହରାଇବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।