କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ?
ନନ୍ଦିଘୋଷ ବ୍ୟୁରୋ: କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ? ମନମୋହନ ରିପିଟ୍ ନା ନୂଆ ମୁହଁ। ଏହାକୁ ଦ୍ବନ୍ଦ୍ବରେ ଅଛନ୍ତି ବିଜେପି ନେତା ଓ କର୍ମୀ। ଆରମ୍ଭ ହୋଇଛି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପର୍ବ। ବୁଥ୍, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରର କର୍ମକର୍ତ୍ତା ନିର୍ବାଚନ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି କର୍ମଶାଳା। ସରକାର ଗଠନ ପରେ ଚଳଚଞ୍ଚଳ ହୋଇଛି ବିଜେପି ଶିବିର। ନୂଆ ରାଜ୍ୟ ପଦାଧିକାରୀଙ୍କୁ ନେଇ ଦଳୀୟ ମହଲରେ ବଢ଼ିଛି ଉତ୍ସାହ। ମନ୍ତ୍ରିମଣ୍ଡଳରେ ୬ ମନ୍ତ୍ରୀଙ୍କୁ ଦଳ ସାମିଲ କରିପାରିନଥିବା ବେଳେ, ନୂଆ ସରକାରରେ ନିଗମ ନିଯୁକ୍ତି ବି ହୋଇପାରିନାହିଁ । ଏସବୁ ପଦବୀ ପୂରଣ ପାଇଁ ଦଳ ପକ୍ଷରୁ କିଛି ଆଭାସ ମିଳୁନାହିଁ। ଏପରି ସ୍ଥିତିରେ ପରବର୍ତ୍ତି କମିଟି ଉପରେ ରହିଛି ସମସ୍ତଙ୍କ ନଜର।
ସରକାର ଗଠନ ପରେ ବି ଶାସକ ଦଳରେ ଥମୁନି ଦ୍ବନ୍ଦ୍ବ। ବହୁ ଗୋଷ୍ଠୀରେ ବିଭକ୍ତ ରାଜ୍ୟ ବିଜେପିକୁ ଘାରିଛି ସଙ୍ଗଠନ ଚିନ୍ତା । କାହାର ରହିବ ପଲ୍ଲା ଭାରି, ଚାଲିଛି ଅଙ୍କକଷା । ସରକାରରେ ୬ ମନ୍ତ୍ରୀ ଖାଲି ପଡ଼ିବାକୁ ନେଇ ବ୍ୟାକଫୁଟରେ ଅଛି ରାଜ୍ୟ ବିଜେପି । ସରକାର ଗଠନକୁ ୫ ମାସ ବିତିଲାଣି। ହେଲେ ଏଯାଏ ହୋଇପାରୁନି ନିଗମ ନିଯୁକ୍ତି। ଏଭଳି ସ୍ଥିତିରେ ଦଳରେ ଆରମ୍ଭ ହୋଇଛି ସାଙ୍ଗଠନିକ ନିର୍ବାଚନ ପର୍ବ । ସଙ୍ଗଠନକୁ ନିଜ ଅକ୍ତିଆରରେ ରଖିବାକୁ ଦଳର ବିଭିନ୍ନ ଗୋଷ୍ଠୀ ଭିତରେ ଚାଲିଛି ଛକାପଞ୍ଝା । ପ୍ରାଥମିକ ସଦସ୍ୟ ପରେ ଏବେ ବୁଥ କମିଟି ପାଇଁ ହେବ ନିର୍ବାଚନ । ଏହାପରେ ମଣ୍ଡଳସ୍ତରୀୟ ଓ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ନିର୍ବାଚନ ହେବ । ପ୍ରଶ୍ନ ଉଠୁଛି କିଏ ସମ୍ଭାଳିବେ ରାଜ୍ୟ ବିଜେପିର ମଙ୍ଗ। ମନମୋହନ ରିପିଟ୍ ନା ସାମ୍ନାକୁ ଆସିବେ ନୂଆ ମୁହଁ। ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପିର ମୁଖିଆ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ, ଟକ୍କର ଦେବାକୁ ପ୍ରତିଦ୍ବନ୍ଦୀ ବି ତୟାର ହେଉଛନ୍ତି। ନଭେମ୍ବର ୧୫ ଯାଏଁ ସକ୍ରିୟ ସଦସ୍ୟ ଅଭିଯାନ ଚାଲିବ । ଆଉ ଏବେ ଯାଏଁ ଅନଲାଇନରେ ୫୦ ଲକ୍ଷ ସଦସ୍ୟ ହୋଇଛନ୍ତି ବୋଲି କହିଛି ଦଳ।
ମନ୍ତ୍ରୀ ପଦ ଖାଲି, ନିଗମ ପଦବୀ ବି ଖାଲି। ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଳମ୍ବ ହେଉଛି ନିର୍ବାଚନ। ରାଜ୍ୟସଭା ପାଇଁ ଦଳ କାହାକୁ ବାଛିବ, ତାହା ବି ସ୍ଥିର ହୋଇପାରୁନି। ନୂଆ କମିଟିର ନିର୍ଦ୍ଦେଶ ଅନୁସାରେ ପଦବୀ ପାଇଁ ଚୟନ ହେବେ ନେତା। ତେଣୁ ନୂଆ କମିଟି ଉପରେ ଦଳର ନେତା ଓ କର୍ମୀଙ୍କ ନଜର ରହିଛି । ବିଜେପିରେ ଏବେ ଅନେକ ଗୋଷ୍ଠୀ ନିଜର ଦବଦବା ଦେଖାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ କାହାର ପଲ୍ଲା ଭରି ରହିବ, ସାଙ୍ଗଠନିକ ନିର୍ବାଚନରେ ତାହା ସ୍ପଷ୍ଟ ହେବ। ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କ୍ରେଡିଟ ଯାଉଥିବାରୁ ଦଳ ତାଙ୍କୁ ପୁଣି ଥରେ ସଙ୍ଗଠନ ଦାୟିତ୍ବ ଦେବା କଥା ଚିନ୍ତା କରୁଛି ବୋଲି ନିକଟତମ ମହଲରୁ ସୂଚନା ମିଳୁଛି । ହେଲେ ଦଳ ଭିତରେ ମନମୋହନ ଏକମାତ୍ର ପସନ୍ଦ ହୋଇନଥିବାରୁ କିଛି ପ୍ରତିଦ୍ବନ୍ଦୀ ବି ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁଆରୀ ସୁଦ୍ଧା ପ୍ରକ୍ରିୟା ସରିବାକୁ ଲକ୍ଷ୍ୟ ରଖିଛି ବିଜେପି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାଙ୍ଗଠନିକ ନିର୍ବାଚନ କର୍ମଶାଳାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କିଛି ମନ୍ତ୍ରୀ, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି। ହେଲେ ଅନେକ ସାଂସଦ, ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଥିବାରୁ ଦଳ ଭିତରେ ଆଲୋଚନାର ଖୋରାକ ଯୋଗାଇଛି ।