କେବଳ ଅଭିମନ୍ୟୁ ନୁହେଁ ନାଗାର୍ଜୁନ ମଧ୍ୟ ଥିଲେ ଅର୍ଜୁନଙ୍କ ପୁତ୍ର ! ଜାଣନ୍ତୁ କେମିତି…

1 min read

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା  ସ୍ୱରୂପ ତାଙ୍କର ମୃତ  ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ  ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ  । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ  । ଦୀର୍ଘ ୭୧ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ  ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି ନାହାଁନ୍ତି ବରଂ ଯମରାଜାଙ୍କ ରାଜସିଂହାସନ ତଳେ  ଦଣ୍ଡାୟମାନ ହୋଇ ରହିଛନ୍ତି । ଏହି ଦୃଶ୍ୟ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜାଙ୍କୁ ପଚାରିଥିଲେ । ଯମରାଜା ଉତ୍ତରରେ ପଣ୍ଡୁ କରିଥିବା ପାପ ବିଷୟରେ ଅବଗତ କରାଇଥିଲେ ।

ବ୍ରହ୍ମହତ୍ୟା ଦୋଷର ଦୋଷୀ ହୋଇଥିଲେ ରାଜା ପଣ୍ଡୁ

ପଣ୍ଡୁ ଜୀବିତାବସ୍ଥାରେ ମୃଗୟା ସମୟରେ ଆଗ୍ନିକ  ଋଷିଙ୍କୁ ( ମୃଗ  ରୂପରେ ରତିକ୍ରୀଡ଼ା କରୁଥିବା ସମୟରେ) ଜଙ୍ଗଲରେ ଶର ନିକ୍ଷେପ କରି ବଧ କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ବୋଲି ଶ୍ରୀକୃଷ୍ଣଙ୍କୁ କହିଥିଲେ  । ବ୍ରହ୍ମହତ୍ୟା ଦୋଷରେ ଦୋଷୀ  ହୋଇଥିବାରୁ ଏବଂ ତା’ର ପ୍ରାୟଶ୍ଚିତ ପ୍ରତିକାର କରା ନହୋଇଥିବାରୁ  ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତିରୁ ବଞ୍ଚିତ ହୋଇ ଅଛନ୍ତି ।

କେମିତି ହେବ ପଣ୍ଡୁଙ୍କ ପ୍ରାଶ୍ଚିତ ?

ଶ୍ରୀକୃଷ୍ଣ ସନ୍ଦିପନୀଙ୍କର ପଂଚପୁତ୍ରଙ୍କର ଜୀବନ ପ୍ରଦାନ ସହ ଦ୍ୱାରକାକୁ  ଫେରି ଜ୍ୟେଷ୍ଠ ଭ୍ରାତ ବଳରାମଙ୍କୁ  ଯମପୁରରେ ଦେଖିଥିବା ସମସ୍ତ ଦୃଶ୍ୟ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଲେ। ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦ୍ର ପ୍ରସ୍ଥର ରାଜା  ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ଏହାର ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଲେ  । କୃଷ୍ଣ ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦ୍ରପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ। ପିତାଙ୍କ ଏତାଦୃଶ ଅବସ୍ଥା କଥା ଶୁଣି ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ନିଜକୁ ଧିକ୍କାର କଲେ । କେଉଁ ପ୍ରାୟଶ୍ଚିତ ଦ୍ୱାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ  । ବ୍ରହ୍ମହତ୍ୟା ଦୋଷରୁ ପିତ୍ରୁମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ। ପୁତ୍ର ଅବିଛିନ୍ନ ଭାବରେ ଅନ୍ନଦାନ ଦେବ। ଦ୍ୱିତୀୟଟି ହେଲା ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ  । ତୃତୀୟଟି ହେଲା ଧାରା ତୀର୍ଥ କରିବା ଅର୍ଥାତ୍ ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବା  । ଚତୁର୍ଥଟି ପୁତ୍ର ଯଦି ରାଜସ୍ୱୀୟ ଯଜ୍ଞ କରିପାରେ । ଏହି ଚାରୋଟି ମଧ୍ୟରୁ ଯୁଧିଷ୍ଠିରଙ୍କ ପକ୍ଷରେ ରାଜସ୍ୱୀୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣଯୋଗ୍ୟ ହେଲା  ।

ରାଜସ୍ୱୀୟ ଯଜ୍ଞ ପାଇଁ  ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ  । ଶତ୍ରୁ ମିତ୍ର ସମସ୍ତ ରାଜା ରାଜସ୍ୱୀୟ ଯଜ୍ଞରେ ଉପସ୍ଥିତ ରହିବେ  । ଏ ସମସ୍ତ ବିଚାର ବିମର୍ଶ ମଧ୍ୟରେ ପାଣ୍ଡବ ତଥା ଶ୍ରୀକୃଷ୍ଣଙ୍କର ପରମ ଶତୃ ଜରାସନ୍ଧ ହିଁ ଭୟର କାରଣ ହେଲା  । ରାଜା ଯୁଧିଷ୍ଠିର ଦ୍ୱାରକାରୁ  ଶ୍ରୀକୃଷ୍ଣଙ୍କୁ ଡକାଇ ସମସ୍ୟା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱିତୀୟ ପାଣ୍ଡବ ଭୀମକୁ ନିୟୋଜିତ କଲେ  । ଜରାସନ୍ଧ ବଧ ପରେ ରାଜସ୍ୱୀୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା । ରାଜା ଯୁଧିଷ୍ଠିରଙ୍କ ଆଦେଶରେ ପାଣ୍ଡବ ଚାରିଭାଇ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଗଲେ। ରାଜସ୍ୱୀୟ ଯଜ୍ଞ ଷୋଳଦିନ ଅନୁଷ୍ଠିତ ହେବ। ଏହି ଷୋଳଦିନ ଅବିଛିନ୍ନ ଭାବରେ ଅନ୍ନଦାନ, ବସ୍ତ୍ରଦାନ, ଧନରତ୍ନ ଦାନ  ଓ ଯଜ୍ଞ କୁଣ୍ଡରେ ଘୃତଦାନ ଅନୁଷ୍ଠିତ ହେବ  ।

ଅର୍ଜୁନ-ସନ୍ଧ୍ୟାବାଳୀଙ୍କ ପ୍ରେମ ଓ ନାଗର୍ଜୁନଙ୍କ ଜନ୍ମ

ପାତାଳ ରାଜା ବାସୁକୀଙ୍କୁ ନିମନ୍ତ୍ରଣ କରିବାକୁ ଅର୍ଜୁନ ପାତାଳପୁର ଗଲେ । ଅର୍ଜୁନ ପାତାଳପୁରରେ ପ୍ରବେଶ କରି ବାସୁକୀ ରାଜାଙ୍କୁ ରାଜସ୍ୱୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ। ବାସୁକୀ ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ । ଏକଥା ଶୁଣିଲା ପରେ ଅର୍ଜ୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ  କରିପାରିବେ ବୋଲି କହନ୍ତେ ବାସୁକୀ ପୃଥିବୀକୁ ଅର୍ଜ୍ଜୁନଙ୍କ ଧନୁହୁଳ ଉପରେ ରଖିଲେ । ବାସୁକୀଙ୍କ ଅନୁପସ୍ଥିତିରେ ଅର୍ଜ୍ଜୁନ  ନିଜର ଧନୁରେ ପୃଥିବୀକୁ ଧାରଣ କରି  ପାତାଳପୁରରେ ରହିଲେ। ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳି କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜ୍ଜୁନଙ୍କ ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ୱୀୟ ଯଜ୍ଞରେ ଯୋଗ ଦେବାକୁ ଆସିଲେ। ଇତି ଅବସରରେ ଅର୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ହେଲା । ବାସୁକୀ ରାଜଯଜ୍ଞ ସାରି ମର୍ତ୍ତ୍ୟରୁ ଫେରିଲେ । ସନ୍ଧ୍ୟାବାଳୀ ଓ ଅର୍ଜ୍ଜୁନଙ୍କ ପ୍ରେମ ସଂପର୍କ ଜାଣି କନ୍ୟାକୁ ଅର୍ଜ୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥ ଆସିବାକୁ ମନସ୍ଥ କଲେ  । ଅର୍ଜ୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିସହ ବୋଲି ଜାଣି  ରାଜପ୍ରାସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତି ବୋଲି ମନେ କରିବାକୁ  ଅର୍ଜ୍ଜୁନ ପତ୍ନୀକୁ ପ୍ରବୋଧନା ଦେଲେ । ସେହି ବୃକ୍ଷ ଅର୍ଜ୍ଜୁନ ବୃକ୍ଷ ନାମରେ ପରିଚିତ। ପରିଶେଷରେ ସନ୍ଧ୍ୟାବାଳୀଠାରୁ ବିଦାୟ ନେଇ ଅର୍ଜ୍ଜୁନ ମର୍ତ୍ତ୍ୟପୁରରେ ପହଞ୍ଚିଲେ। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ଯାବାଳୀର ଗର୍ଭସଂଚାର ହୋଇଥିଲା  । କୁମ୍ଭସଂକ୍ରାନ୍ତି ପାଂଚଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ରବିବାର ଦିନ ଦଶ ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମ ହେଲା  । ମାତା ସନ୍ଧ୍ୟାବାଳୀ ନାଗକୁଳର ଏବଂ ପିତା ତୃତୀୟ  ପାଣ୍ଡବ ଅର୍ଜ୍ଜୁନ । ଉଭୟଙ୍କ ନାମ ସମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା ।

Leave a Reply