କିଏ ସେହି Mr. Fix it ଯିଏ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ହେବାକୁ ବ୍ୟାକୁଳ ?
1 min readନନ୍ଦିଘୋଷ ବ୍ୟୁରୋ: ଟିମ୍ ଇଣ୍ଡିଆରେ ଚାଲିଛି କଣ? କାହିଁକି ଦଳ କଙ୍ଗାରୁ ମାଟିରେ ବାରମ୍ବାର ହାରୁଛି? ଦଳର ବରିଷ୍ଠ ଖେଳାଳିମାନେ କରୁଛନ୍ତି କଣ? କାହିଁକି ସେମାନଙ୍କର ବ୍ୟାଟ ଧିମେଇ ଯାଇଛି? ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୨-୧ରେ ପଛୁଆ ରହିବା ପଛର କାରଣ କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ଭାରତୀୟ ଦଳର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହା ମଧ୍ୟରେ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କରିଛନ୍ତି ଏକ ବଡ଼ ଖୁଲାସା । ଟିମ୍ ଇଣ୍ଡିଆରେ ଯେ କିଛି ଗଡ଼ବଡ଼ ଚାଲିଛି, ଏହା ଗମ୍ଭୀରଙ୍କ ବୟାନରୁ ମିଳୁଛି ସ୍ପଷ୍ଟ ସଙ୍କେତ । ଡ୍ରେସିଂ ରୁମର ’ବିବାଦ’ ସାବର୍ଜନିକ ହେବା ଅନୁଚିତ ବୋଲି କହିଛନ୍ତି କୋଚ । ତେଣୁ ଡ୍ରେସିଂ ରୁମରେ କ’ଣ ବିବାଦ ହୋଇଥିଲା, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।
ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆକୁ ପରାଜୟ ଆଶଙ୍କା ଘାରିବାରେ ଲାଗିଛି । ଏହା ମଧ୍ୟରେ ଡ୍ରେସିଂ ରୁମର ମାହୋଲ ଠିକ୍ ନଥିବାର ମିଳିଛି ଆଭାସ । ଟେଷ୍ଟ କ୍ରିକେଟରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ମାହୋଲ ହୋଇଉଠିଛି ସରଗରମ୍ । ସିଡନୀ ଟେଷ୍ଟ ପରେ ରୋହିତ ନେଇପାରନ୍ତି ବଡ଼ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଧିନାୟକ ହେବା ପାଇଁ ନିଜର ନାମ ପ୍ରସ୍ତାବ ରଖିଛନ୍ତି । ଏନେଇ ସାମ୍ନାକୁ ଆସିଛି କିଛି ରିପୋର୍ଟ ।
ତେବେ ଅଧିନାୟକ ହେବାକୁ ଚାହୁଁଥିବା ଏହି ଖେଳାଳିଙ୍କ ନାମ ରିପୋର୍ଟର ଖୁଲାସା କରାଯାଇ ନାହିଁ । ସେ ଜଣେ ସିନିୟର ଖେଳାଳି ବୋଲି କୁହାଯାଇଛି । ଟିମକୁ ବର୍ତ୍ତମାନର ସ୍ଥିତିରୁ ସୁଧାରିବାକୁ ସେ ନିଜକୁ ‘Mr. Fix It’ ବୋଲି ମଧ୍ୟ କହିଛନ୍ତି । କୌଣସି ଯୁବ ଖେଳାଳି ଅଧିନାୟକ ପଦ ସମ୍ଭାଳିବା ଠିକ୍ ହେବ ନାହିଁ । କାରଣ ସେମାନଙ୍କ ନିକଟରେ ଏକ ଲମ୍ବା ରାସ୍ତା ପଡ଼ିଛି ବୋଲି ଏହି ଖେଳାଳି ଜଣଙ୍କ ମଧ୍ୟ କହିଛନ୍ତି । ଯଶସ୍ବୀ ଜୟସ୍ବାଲ, ନୀତୀଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, ହର୍ଷିତ ରାଣା, ଆକାଶ ଦୀପ, ମହମ୍ମଦ ସିରାଜ ବହୁତ ଯୁବ ଖେଳାଳି । ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ହୋଇନାହିଁ । ତେଣୁ ସେମାନେ ଟିମ୍ ଇଣ୍ଡିଆର ଦାୟିତ୍ବ ସମ୍ଭାଳିବାକୁ କେବେ ବି ଭାବିବେ ନାହିଁ । ସିରିୟର ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆସୁଛନ୍ତି ।
ଅନ୍ୟପକ୍ଷରେ ରୋହିତ ଏବେ ଟେଷ୍ଟ କ୍ୟାପ୍ଟେନ ଥିବାବେଳେ ବିରାଟ ପୁନର୍ବାର ଦାୟିତ୍ବ ନେବା ସପକ୍ଷରେ ଯାଇ ନ ପାରନ୍ତି । କାରଣ ଅତୀତରେ ସେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଥିଲେ । ବୁମ୍ରା ଏବେ ଟେଷ୍ଟରେ ଉପ-ଅଧିନାୟକ । ରାହୁଲ ଓ ପନ୍ତଙ୍କର ଆଇପିଏଲରେ ଅଧିନାୟକ ଭାବେ ଅଭିଜ୍ଞତା ରହିଛି । ଜାଡେଜା ମଧ୍ୟ ଚେନ୍ନାଇ ପାଇଁ କିଛି ମ୍ୟାଚରେ କ୍ୟାପ୍ଟେନ ଦାୟିତ୍ବ ସମ୍ଭାଳିଥିଲେ । ଏଭଳି ସ୍ଥିତିରେ କ୍ରିକେଟର ବଡ଼ ଫର୍ମାଟ ପାଇଁ ବୁମ୍ରା ହୋଇପାରନ୍ତି ପ୍ରଥମ ପସନ୍ଦ । ବୁମ୍ରାଙ୍କ ନେତୃତ୍ବରେ ଭାରତ ପର୍ଥ ଟେଷ୍ଟ ଜିତିଥିଲା । ତେଣୁ ରୋହିତଙ୍କ ସ୍ଥାନ ନେବା ପାଇଁ ବୁମ୍ରା ହିଁ ଏକନମ୍ବର କ୍ୟାଣ୍ଡିଡେଟ । ରାହୁଲ ଓ ପନ୍ତ ଭାଇସ-କ୍ୟାପ୍ଟେନ ପାଇଁ ଦାବିଦାର ହୋଇପାରନ୍ତି ।
ଡ୍ରେସିଂ ରୁମ ସଚ୍ଚୋଟ ଲୋକଙ୍କ ହାତରେ ରହିଲେ ଭାରତୀୟ କ୍ରିକେଟ ସୁରକ୍ଷିତ ରହିବ, ଏପରି କହିଛନ୍ତି କୋଚ ଗମ୍ଭୀର । ଡ୍ରେସିଂ ରୁମର ଆଲୋଚନା ଡ୍ରେସିଂ ରୁମରେ ହିଁ ରହିବା ଉଚିତ ବୋଲି ସେ କହିଛନ୍ତି । ଟିମ୍ ଇଣ୍ଡିଆର ଦୁଇ ଜଣ ଖେଳାଳି ଅଧିନାୟକ ପଦ ପାଇଁ ଆଶାୟୀ ଥିବା ଏକ ରିପୋର୍ଟରେ କୁହାଯାଇଛି । ଅଷ୍ଟ୍ରେଲିଆ ମାଟିରେ କିଛି ଖାସ୍ କରିପାରିବେ ବୋଲି ଏହି ଦୁଇ ଖେଳାଳି କରିଛନ୍ତି ବଡ଼ ଦାବି । ତେବେ ରିପୋର୍ଟକୁ ବିଶ୍ବାସକୁ ନେବା ସହଜ କଥା ନୁହେଁ । ସିଡିନ ଟେଷ୍ଟ ପରେ ପୂରା ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ।