ଗ୍ୟାଙ୍ଗଷ୍ଟର‘ହାଇକୋର୍ଟ୍ ମହାରାଜା’ କିଏ ? ଯାହା ପାଇଁ ବିଷ ପିଇ ଆତ୍ମହତ୍ୟା କଲେ ଆଇଏଏସଙ୍କ ପତ୍ନୀ

1 min read

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବିଷ ପିଇ ଆଇଏଏସ୍ ଅଧିକାରୀ ରଣଜିତ କୁମାରଙ୍କ ପତ୍ନୀ ସୂର୍ଯ୍ୟ କୁମାର ଜେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ଏହି ଚିଠି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି  । ୯ ମାସ ପୂର୍ବରୁ ସେ କିପରି ‘ହାଇକୋର୍ଟ ମହାରାଜା’ ନାମକ ଜଣେ ଗ୍ୟାଙ୍ଗଷ୍ଟର ସହିତ ଜଡିତ ଥିଲେ ତାହା ଚିଠିରେ ଲେଖାଯାଇଛି  । ତେବେ କିଏ ଏହି ଗ୍ୟାଙ୍ଗଷ୍ଟାର ହାଇକୋର୍ଟ ମହାରାଜା  ।

ସୂଚନା ଅନୁଯାୟୀ, ତାମିଲନାଡୁର ବାସିନ୍ଦା ସୂର୍ଯ୍ୟ ଜେ ଗୁଜୁରାଟ କ୍ୟାଡରର ଆଇଏଏସ୍ ରଣଜିତ କୁମାରଙ୍କୁ ବିବାହ କରିଥିଲେ। ଉଭୟଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। ମାତ୍ର ୯ ମାସ ପୂର୍ବେ ସୂର୍ଯ୍ୟ ତାଙ୍କ ପରିବାର ଛାଡି ଗ୍ୟାଙ୍ଗଷ୍ଟର ହାଇକୋର୍ଟ ମହାରାଜା ପାଖକୁ ଚାଲି ଯାଇଥିଲେ। ହାଇକୋର୍ଟ ମହାରାଜା ତାମିଲନାଡୁର ଜଣେ ଗ୍ୟାଙ୍ଗଷ୍ଟର।

ସେତେବେଳେ ସେ ତାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ କିଛି ଜାଣି ନଥିଲେ  । ‘‘ଆମେ ଦୁହେଁ ସେଲୁନ୍ ବ୍ୟବସାୟରେ ଅଂଶୀଦାର ହୋଇଥିଲୁ, ଯାହା ପରେ ଆମର ସମ୍ପର୍କ ଆରମ୍ଭ ହୋଇଥିଲା  । ମୁଁ ମୋ ପରିବାର ଛାଡି ତାଙ୍କ ପାଖକୁ ଗଲି।

ଆତ୍ମହତ୍ୟା ନୋଟରେ ସୂର୍ଯ୍ୟ ଲେଖିଛନ୍ତି- ହାଇକୋର୍ଟ ମହାରାଜା ମଦୁରାଇର ଏସ କଲୋନୀର ଜଣେ ମହିଳାଙ୍କ ଠାରୁ ୭୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେ ତାଙ୍କ ଋଣ ପରିଶୋଧ କରୁଥିଲେ। ସେ ମହିଳା ଫାଇନାନ୍ସରଙ୍କ ୧.୩୫ କୋଟି ଟଙ୍କା ଋଣ ମଧ୍ୟ ସୁଝିଥିଲେ  ।କିନ୍ତୁ ଅନ୍ୟ ସ୍ଥାନରୁ ଋଣ ଆଣି ଆଉ ଗୋଟିଏ ଜାଗାର ଋଣ ପରିଶୋଧ କରିବାରୁ ତାଙ୍କ ଉପରେ ଚାପ ପଡିବାକୁ ଲାଗିଲା  । ତାଙ୍କର ଏବଂ ମହାରାଜାଙ୍କ ଋଣ ଆଶା ଠାରୁ ଅଧିକ ବୃଦ୍ଧି ପାଇଲା’’  ।

‘‘ଏହା ପରେ ମହାରାଜା ମହିଳା ଫାଇନାନ୍ସର ପୁଅକୁ ଅପହରଣ କରି ୨ କୋଟି ଟଙ୍କା ମୁଣ୍ଡ ଜାମିନ ରଖିବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ଯୋଜନା ବିଫଳ ହୋଇଥିଲା  । ଜୁଲାଇ ୧୧ରେ ମଦୁରାଇ ପୋଲିସ ମହାରାଜା ଏବଂ ତାଙ୍କ ସହଯୋଗୀ ସେଣ୍ଟିଲ କୁମାରଙ୍କୁ ଅପହରଣ ଅଭିଯୋଗରେ ଗିରଫ କରିଥିଲା’’।

 

ସୂର୍ଯ୍ୟ ଆହୁରି ମଧ୍ୟ ନୋଟରେ ଲେଖିଛନ୍ତି- ‘ମହାରାଜା ମୋ ସହ ବିଶ୍ୱାସଘାତକତା କରିଥିଲେ। ମୁଁ ଗିରଫଦାରିକୁ ଏଡାଇବାକୁ ଚାହୁଁଥିଲି  । ପରେ ମୁଁ ଜାଣିବାକୁ ପାଇଲି ଯେ ମହାରାଜା ଜଣେ କୁଖ୍ୟାତ ଅପରାଧୀ  । ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି’।

 ସୋମବାର ସୂର୍ଯ୍ୟ ଯେତେବେଳେ ତାଙ୍କ ସ୍ୱାମୀଙ୍କ ନିକଟକୁ ଫେରିଥିଲେ, ସେତେବେଳେ ତାଙ୍କ ଆଇଏଏସ ସ୍ବାମୀ ସହରର ବାହାରେ ଥିଲେ। କିନ୍ତୁ ତାଙ୍କ ପତ୍ନୀ ଫେରି ଆସିଥିବା ଖବର ପାଇବା ମାତ୍ରେ ସେ ସୁରକ୍ଷାକର୍ମୀଙ୍କୁ ସୂର୍ଯ୍ୟଙ୍କୁ ଘର ଭିତରକୁ ପ୍ରବେଶ ନ କରାଇଦେବା ପାଇଁ କହିଥିଲେ । ଏହା ପରେ ସୂର୍ଯ୍ୟ ତାଙ୍କ ସ୍ୱାମୀଙ୍କ ବାସଭବନ ବାହାରେ ବିଷ ପିଇଥିଲେ। ସେ ନିଜେ ଆମ୍ବୁଲାନ୍ସକୁ ମଧ୍ୟ ଡାକିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ସୂର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା। ଆତ୍ମହତ୍ୟା ନୋଟରେ ସୂର୍ଯ୍ୟ ତାଙ୍କ ସ୍ୱାମୀଙ୍କ ପାଇଁ ଲେଖିଛନ୍ତି – ରଣଜିତ୍ ଜଣେ ବହୁତ ଭଲ ଏବଂ ସମ୍ଭ୍ରାନ୍ତ ବ୍ୟକ୍ତି, ଯିଏ ମୋ ଅନୁପସ୍ଥିତିରେ ପିଲାମାନଙ୍କର ଯତ୍ନ ନିଅନ୍ତି।