୨୦୦୫ର ସେହି ଟଙ୍କା ବଦଳରେ ପ୍ରଶ୍ନ ମାମଲା,ଯେଉଁଥିରେ ଯାଇଥିଲା ୧୧ ସାଂସଦଙ୍କ ପଦ

ନୂଆଦିଲ୍ଲୀ: ଟିଏମସିର ମହୁଆ ମୋଇତ୍ର ନିଜ ସାଂସଦ ପଦବୀ ହରାଇଛନ୍ତି । ହିରାନନ୍ଦାନୀ ଗ୍ରୁପକୁ ସୁହାଇବା ଭଳି ପ୍ରଶ୍ନ ପଚାରିବାକୁ ଟଙ୍କା ନେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ମହୁଆଙ୍କ ବିରୋଧରେ ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ତାଙ୍କ ଲୋକସଭା ସଦସ୍ୟତାକୁ ରଦ୍ଦ କରିଛନ୍ତି ବାଚସ୍ପତି । ଅବଶ୍ୟ ମହୁଆ ଏହାକୁ ନେଇ ଯୁଦ୍ଧଂଦେହିର ଡାକରା ଦେଇ ସାରିଲେଣି । ମୋତେ ଏବେ ୪୯ ବର୍ଷ,ମୁଁ ଆଉ ୩୦ ବର୍ଷ ପର୍ଯ୍ୟନ୍ତ ଏହା ବିରୋଧରେ ସଂସଦ ଭିତରେ ଓ ବାହାରେ ସଂଘର୍ଷ କରିବି ବୋଲି ସେ କହିଛନ୍ତି । ତାଙ୍କ ଦଳ ଓ ଦଳ ସୁପ୍ରିମୋ ତାଙ୍କ ସମର୍ଥନରେ ଛିଡା ହେଲେଣି । କଂଗ୍ରେସ ସମେତ ବାକି ବିରୋଧୀ ଦଳର ସଦସ୍ୟ ମହୁଆଙ୍କ ସମର୍ଥନରେ ସଂସଦ ପରିସରରେ ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ତଳେ ଏକାଠି ହୋଇଥିଲେ । କିନ୍ତୁ ବିରୋଧରେ ସେଭଳି ଧାର ନଥିଲା ଯେଉଁଭଳି ରହିବା କଥା । ଏହା ପଛରେ ୨୦୦୫ର ଗୋଟିଏ ଘଟଣା ରହିଛି ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି ।

ଗୋଟିଏ ଷ୍ଟିଙ୍ଗ୍ ଅପରେସନ ପାଇଁ ୧୧ ସଦସ୍ୟ ହରାଇଥିଲେ ପଦ

୨୦୦୫ରେ ଲୋକସଭାର ୧୦ ଜଣ ସଦସ୍ୟ ଓ ରାଜ୍ୟସଭାର ଜଣେ ସଦସ୍ୟଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଏହି ସଦସ୍ୟମାନଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ଥିଲା । ଏହି ୧୧ ଜଣଙ୍କ ମଧ୍ୟରେ ତିନୋଟି ବଡ଼ ଦଳର ସାଂସଦ ଥିଲେ । ବିଜେପି,ବିଏସପି ଓ କଂଗ୍ରେସ ସବୁଦଳର ସାଂସଦ ଷ୍ଟିଙ୍ଗ୍ ଅପରେସନର ଧରା ପଡ଼ିଥିଲେ ।  ଛତ୍ରପାଲ ସିଂ ଲୋଡା (ବିଜେପି), ଆନ୍ନା ସାହେବ ଏମ.କେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂ (ବିଜେପି), ରାମ ସେବକ ସିଂ (କଂଗ୍ରେସ), ନରେନ୍ଦ୍ର କୁମାର କୁଶବାହ(ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି) ସୁରେଶ ଚାନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୌଲ (ବିଏସପି), ୱାଇଜି ମହାଜନ (ବିଜେପି) ଏବଂ ରାଜ ରାମପାଲ (ବିଏସପି)ଙ୍କ ବିରୋଧରେ ପ୍ରଶ୍ନ ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ସେମାନଙ୍କୁ ନିଜ ସଦସ୍ୟତା ହରାଇବାକୁ ପଡ଼ିଥିଲା ।

ଏହି ୧୧ ସାଂସଦଙ୍କ ସତ ଗୋଟିଏ ଷ୍ଟିଙ୍ଗ୍ ଅପରେସନରୁ ପଦାକୁ ଆସିଥିଲା । ଦୁଇଜଣ ସାମ୍ବାଦିକଙ୍କ ସଂପୃକ୍ତ ସାଂସଦଙ୍କୁ ଭେଟି ଟଙ୍କା ନେଇ ପ୍ରଶ୍ନ ପଚାରିବାକୁ କହିଥିଲେ । ଯାହାକୁ ସାଂସଦ ମାନେ ଗ୍ରହଣ କରିଥିଲେ ।  ଏକ ନ୍ୟୁଜ୍ ଚ୍ୟାନେଲରେ ଷ୍ଟିଙ୍ଗ୍ ଅପରେସନ୍ ପ୍ରସାରିତ ହେବା ପରେ ଟଙ୍କା ବଦଳରେ ପ୍ରଶ୍ନର ଏହି ମାମଲା ସାମ୍ନାକୁ ଆସିଥିଲା। ନିଲମ୍ବିତ ସାଂସଦମାନେ ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ୨୦୦୭ ମସିହାରେ  ଏକ ରାୟରେ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ରିପୋର୍ଟରେ କ’ଣ ଅଛି ?

ଶୁକ୍ରବାର ଦିନ ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ମହୁଆଙ୍କ ଆଚରଣକୁ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ତଥା ଅପରାଧୀକ ବୋଲି ବର୍ଣ୍ଣନା କରି କଠୋର ଦଣ୍ଡ ଦାବି କରିଥିଲେ । ରିପୋର୍ଟରେ ତାଙ୍କୁ ଲୋକସଭାର ସଦସ୍ୟତାରୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା। କମିଟି ଏହାର ରିପୋର୍ଟରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ଏହି ଘଟଣାର ପୁଙ୍ଖାନୁପୁଙ୍ଖ, ଆଇନଗତ ଏବଂ ଅନୁଷ୍ଠାନିକ ତଦନ୍ତ ପାଇଁ ସୁପାରିଶ କରିଛି।