ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ?

1 min read

ନୂଆଦିଲ୍ଲୀ: ସିକ୍ରେସି, ସସପେନସ୍ ମଧ୍ୟରେ ଆସିବ କି ସରପ୍ରାଇଜ? ୩ ରାଜ୍ୟର ଟପ୍ ଥ୍ରୀ ପୋଷ୍ଟ ଲାଗି ସରୁନି ଫର୍ମୂଲା । ନୂଆ ଫେସ୍ ନା ପୂର୍ବତନ ସିଏମ ନା ପୂର୍ବତନ କେନ୍ଦ୍ରମନ୍ତ୍ରୀ- କିଏ ପିନ୍ଧିବେ ମୁକୁଟ ତାହାର ହୋଇପାରୁନି ଫଏସଲା । ବିଜେପି ଅଭିଜ୍ଞତା କହୁଛି- ସବୁକିଛି ନିର୍ଭର କରୁଛି ଦଳର ଟପ୍ ଥ୍ରୀ ନେତା ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ଜେ.ପି. ନଡ୍ଡାଙ୍କ ଉପରେ । ୩ ରାଜ୍ୟର ୨୦ ଆଶାୟୀଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ୬ ଦିନ ପରେ ବି ହୋଇପାରୁନି ନିଷ୍ପତ୍ତି । ସେପଟେ ରାଜସ୍ଥାନ ପାଇଁ ନିଯୁକ୍ତ ହୋଇଛନ୍ତି ୩ ପର୍ଯ୍ୟବେକ୍ଷକ । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସରୋଜ ପାଣ୍ଡେ, ବିନୋଦ ତାୱାଡେଙ୍କୁ ଦିଆଯାଇଛି ଦାୟିତ୍ବ ।  ମଧ୍ୟପ୍ରଦେଶ ଲାଗି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କେ. ଲକ୍ଷ୍ମଣ ଓ ଆଶା ଲାକ୍ରାଙ୍କୁ ନିଯୁକ୍ତ କରାଯାଇଛି । ଛତିଶଗଡ଼ ପାଇଁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଓ ଦୁଶ୍ୟନ୍ତ ଗୌତମଙ୍କୁ ଦାୟିତ୍ବ ଦିଆଯାଇଛି ।

ଏବେ ଆସନ୍ତୁ ନଜର ପକାଇବା ବିଜେପିର କିଛି ସରପ୍ରାଇଜ ନିଷ୍ପତ୍ତି ଉପରେ । ୨୦୧୭ରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନାଁ ପ୍ରଥମରୁ ହିଁ ସିଏମ ଲିଷ୍ଟରେ ନଥିଲା କି ଚର୍ଚ୍ଚାରେ ନଥିଲା । କୌଣସି ପୋଷ୍ଟରରେ ବି ସେ ଦେଖାଯାଉ ନଥିଲେ । ମାତ୍ର କିଛି ଦିନ ପରେ ହଠାତ ଦିଲ୍ଲୀ ଯିବା ଲାଗି ଯୋଗୀଙ୍କୁ ଡାକିଥିଲେ ଅମିତ ଶାହ । ବାସ୍ ଅକସ୍ମାତ ତାଙ୍କୁ ସିଏମ ଭାବେ ଘୋଷଣା କରାଯାଇଥିଲା । ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ୨୦୨୧ରେ ବି ଗୁଜରାଟ ଅହମ୍ମଦାବାଦର ଏକ ଗାଁରେ ଚାରା ରୋପଣ କରୁଥିଲେ ଭୂପେନ୍ଦ୍ରଭାଇ ପଟେଲ । ହଠାତ ଆହୂତ ହୋଇଥିଲା ବିଧାୟକ ଦଳ ବୈଠକ । ବୈଠକର ଶେଷ ଧାଡିରେ ଚୁପଚାପ ବସିଥିଲେ ପଟେଲ । ତେବେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ସ୍ଥାନରେ ତାଙ୍କୁ ଅକସ୍ମାତ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ସମସ୍ତେ ହୋଇଯାଇଥିଲେ ହତବାକ୍ ।