ମୌଲାନା ମଦାନୀଙ୍କ ବିରୋଧ କରିଥିବା ଆଚାର୍ଯ୍ୟ ଲୋକେଶ କିଏ ?

1 min read

ନୂଆଦିଲ୍ଲୀ: ଓଁ  ଆଲ୍ଲା ଏକ । ଯେତେବେଳେ ରାମ, ବ୍ରହ୍ମ ନଥିଲେ ସେତେବେଳେ ମନୁ କାହାକୁ ପୂଜା କରୁଥିଲେ? ଏମିତି ପ୍ରଶ୍ନକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ସାମିଲ ହୋଇଥିଲେ ଅନେକ ଧର୍ମଗୁରୁ । ଜଲିୟତ ଉଲେମା-ଏ-ହିନ୍ଦର ମୁଖ୍ୟ ମୌଲାନା ସୟଦ ଅରସଦ ମଦନି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ। ପରବର୍ତ୍ତୀ ସମୟରେ ମୌଲାନାଙ୍କ ଏକ ବକ୍ତବ୍ୟକୁ ନାପସନ୍ଦ କରିଥିଲେ ଜୈନ ମୁନି । କହିଥିଲେ- ଆମେ ତାଙ୍କ କଥାରେ ସହମତ ନୁହେଁ  । ଆମେ କେବଳ ମିଳିମିଶି ରହିବା ଉପରେ ଏକମତ ।

ଆସନ୍ତୁ ଜାଣିବା ମୌଲାନା ମଦାନୀଙ୍କ ବିରୋଧ କରିଥିବା ଆଚାର୍ଯ୍ୟ ଲୋକେଶ କିଏ ? ଆଚାର୍ଯ୍ୟ ଲୋକେଶ ଏକାଧାରାରେ ଜଣେ ଧର୍ମ ଗୁରୁ, କବି ଓ ଲେଖକ । ସମାଜ ସୁଧାରକ ତଥା ମାର୍ଗଦର୍ଶକ ଭାବେ ମଧ୍ୟ ଜଣାଶୁଣା । ସେ ଅହିଂସା ବିଶ୍ୱଭାରତୀ ନାମକ ସଂସ୍ଥା ଚଳାଉଛନ୍ତି । ଏହି ଧର୍ମଗୁରୁ ଜଣକ ଭୃଣ ହତ୍ୟା, ନିଶା ନିବାରଣ, ପରିବେଶ ପ୍ରଦୂଷଣ ଓ ସ୍ୱଚ୍ଛତା ପ୍ରତି ଲୋକଙ୍କୁ ଜାଗ୍ରତ କରାଇବା ପାଇଁ ଅନେକ ସାମାଜିକ ଆନ୍ଦୋଳନ କରିଛନ୍ତି ।

୨୦୦୭ ମସିହାରେ ଅକାଳ ତଖତ୍ ଓ ଡେରା ସଚ୍ଚା ସୌଦା ମଧ୍ୟରେ ଥିବା ବିବାଦର ସମାଧାନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେତେବେଳେ ଡେରା ସଚ୍ଚା ସୌଦା ସିଖ ଧର୍ମ ମାନ୍ୟତା ବିରୋଧରେ କାମ କରୁଥିଲା । ଫଳରେ ଏହା ସିଖ୍ ଅନୁଗାମୀଙ୍କ ଟାର୍ଗେଟରେ ରହିଥିଲା । ଉଭୟ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ସେସମୟରେ ବିବାଦର ସମାଧାନ ପାଇଁ ଆଚାର୍ଯ୍ୟ ଡ. ଲୋକେଶ ମୁନିଙ୍କୁ ଏକ ପ୍ରତିନିଧି ମଣ୍ଡଳର ମୁଖିଆ ଭାବେ ଦାୟିତ୍ୱ ଦିଆଯାଇଥିଲା। ପରେ ସଫଳତାର ସହ ବିବାଦର ସମାଧାନ କରିଥିଲେ । ଯେଉଁଥିପାଇଁ ତାଙ୍କୁ ୨୦୧୦ରେ ଉପରାଷ୍ଟ୍ରପତି ହମିଦ ଅନସାରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନ୍ୟାସନାଲ୍ କମ୍ୟୁନାଲ୍ ହାର୍ମନି ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

ସେହିପରି ୨୦୧୩ରେ ଲୋକେଶ ମୁନି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଲଣ୍ଡନ ଯାଇଥିଲେ । ଠିକ୍ ସେହି ସମୟରେ ୟୁପିର ମୁଜାଫରନଗରରେ ଦଙ୍ଗା ହୋଇଥିଲା । ଖବର ପାଇ ତୁରନ୍ତ ଭାରତ ଆସି ସେ ପ୍ରଭାବିତ ପରିବାରକୁ ଭେଟିଥିଲେ । ପ୍ରଭାବିତ ଲୋକଙ୍କୁ ଭେଟିବା ପାଇଁ ସେ ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ଅପିଲ୍ କରିଥିଲେ ।

ଖାଲି ଭାରତ ନୁହେଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଆଚାର୍ଯ୍ୟ ଲୋକେଶଙ୍କ ପ୍ରଶଂସକ। ୨୦୨୨ରେ ଲସଏଞ୍ଜଲେସରେ ବାଇଡେନ୍ ତାଙ୍କୁ ସାକ୍ଷାତ କରିଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ମଧ୍ୟ ଆଚାର୍ଯ୍ୟ ଲୋକେଶଙ୍କ ବିଚାରଧାରାରେ ଖୁବ୍ ପ୍ରଭାବିତ ।