ଆଲାସ୍କା ବୈଠକରେ ଟ୍ରମ୍ପଙ୍କ ଉପରେ ଭାରି ପଡ଼ିଲେ ପୁଟିନ

ନନ୍ଦିଘୋଷ ବ୍ୟୁରୋ: ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଯେତେବେଳେ ବୈଠକ ଚାଲିଥିଲା, ସାରା ବିଶ୍ବର ନଜର ଏହା ଉପରେ ଥିଲା । ଆଶା କରାଯାଉଥିଲା ୩ ବର୍ଷରୁ ଅଧିକ ହେବ ଚାଲିଥିବା ୟୁକ୍ରେନ ଯୁଦ୍ଧ ଶେଷ ହେବା ପାଇଁ କୌଣସି ବାଟ ବାହାରିବ । ଏହାସହ ଅସ୍ତ୍ରବିରତି ଘୋଷଣା ହୋଇପାରେ । ହେଲେ ବୈଠକରେ ସବୁ ଓଲଟ ପାଲଟ ହୋଇଗଲା । ନା ଅସ୍ତ୍ରବିରତି ହେଲା ନା ଋଷ ଉପରେ ନୂଆ ପ୍ରତିବନ୍ଧକ ଲାଗିଲା । ଏମିତି ସ୍ଥିତିରେ ଏବେ ଚର୍ଚ୍ଚା ହେଉଛି ବୈଠକ ପୂର୍ବରୁ ଦିଆଯାଇଥିବା କାହାର ଚେତାବନୀ ଫାଙ୍କାରେ ଗଲା ଓ କିଏ କାହା ଉପରେ ଭାରି ପଡ଼ିଲା । ତେବେ ଏହି ମିଟିଂ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ପାଓ୍ବାର ଗେମରେ ପୁଟିନ ହିଁ ଓ୍ବାଲ୍ଡର ବଶ ।
ବୈଠକ ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ, ଯୁଦ୍ଧ ବନ୍ଦ କରିବାକୁ ପୁଟିନ ରାଜି ନହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଋଷ ବିପକ୍ଷରେ ନା କିଛି ଶକ୍ତ ଘୋଷଣା କରାଯାଇଥିଲା ନା ଅସ୍ତ୍ରବିରତି କଥା ଉଠିଥିଲା । ଟ୍ରମ୍ପ କହିଥିଲେ ବର୍ତ୍ତମାନ ସବୁ କିଛି ଅଧାରେ ଲଟକିଛି ।
ଟ୍ରମ୍ପଙ୍କ ଚେତବାନୀ ପୁଟିନଙ୍କ ଜବାବ
ଆଲୋଚନା ପୂର୍ବରୁ ୟୁରୋପର ନେତା ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଟ୍ରମ୍ପ ଭରସା ଦେଇଥିଲେ କି ଆମେରିକା ଋଷ ଉପରେ ଚାପ ପକାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ପୁଟିନ ପଛକୁ ନହଟଇଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲିସ ଟ୍ରମ୍ପ ଚେତାବନୀ ଦେଇଥିଲେ । ହେଲେ ବୈଠକ ପରେ ସବୁ କିଛି କେବଳ ଫମ୍ପା ଭାଷଣ ଥିବା ଚର୍ଚ୍ଚା ହେଉଛି । ନା କେବଳ ପୁଟିନ ଆମେରିକାର ଚାପକୁ ପ୍ରତିହିତ କରିଥିଲେ ବରଂ ଟ୍ରମ୍ପଙ୍କୁ ପ୍ରଶଂସା କରିବାକୁ ବି ଭୁଲି ନଥିଲେ । ୨୦୨୨ରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ ୟୁକ୍ରେନ ଯୁଦ୍ଧ ହୋଇ ନଥାନ୍ତି ବୋଲି ପୁଟିନ କହିଥିଲେ । ଏହାସହ ପଶ୍ଚିମ ଦେଶଙ୍କୁ ଚେତାବନୀ ଦେଇ କହିଥିଲେ, ବୈଠକର ଅଗ୍ରଗତିକୁ ବ୍ୟାଘାତ କରିବାକୁ ଚେଷ୍ଟା କରାନଯାଉ ।
ବିଶେଷଜ୍ଞଙକ ମତରେ ଏହି ବୈଠକରୁ ପୁଟିନଙ୍କୁ ନା କେବଳ କୁଟନୈତିକ ଲାଭ ମିଳିଲା ବିନା କୌଣସି ବୁଝାମଣାରେ ଆମେରିକାକୁ କାବୁ କରିବାକୁ ସକ୍ଷମ ହେଲେ । ଏପରିକି ଟ୍ରମ୍ପଙ୍କୁ ଏକ ବନ୍ଧୁତ୍ବପୂର୍ଣ୍ଣ ମାହୋଲରେ ଫସାଇ ରଖିଲେ ।