କଳାସାଆନ୍ତଙ୍କ କାମରେ କୁଚକ୍ରୀ କିଏ ?

ପୁରୀ: ବଡ଼ଦେଉଳ ବିକାଶରେ କିଏ ସାଜିଛି ଭିଲେନ ? ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମକୁ ମିଳିଛି ନୋ ଅବଜେକ୍ସନ ସାର୍ଟିଫିକେଟ । ହାତେ ହାତେ ଦସ୍ତାବିଜ ପ୍ରମାଣପତ୍ର । ତଥାପି ଶ୍ରୀକ୍ଷେତ୍ର ଐତିହାସିକ କରିଡରକୁ ରୋକିବାକୁ ଏତେ ଆଗ୍ରହ କାହିଁକି ? ଅଧା ମୋଡ଼ା ଚିଠିର ଖୋଲିଲା ଗୁମର ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ସମ୍ପୂର୍ଣ୍ଣ ଚିଠିର ଏକ୍ସକ୍ଲୁସିଭ ଦସ୍ତାବିଜ । ଏହି ସମ୍ପୂର୍ଣ ଚିଠିରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା କରିଡରର ନିର୍ମାଣକୁ ନେଇ ଏନଓସି ମିଳିଛି । ଯାହାକୁ ନେଇ କିଛି କୁଚକ୍ରୀ ବିଭ୍ରାନ୍ତି କର ମନ୍ତବ୍ୟ ଦେବା ସହ ଉନ୍ନତିମୂଳକ କାର୍ଯ୍ୟ କରାଇ ନଦେବାକୁ କରିଥିବା ଯୋଜନା ଏବେ ଫସର ଫାଟିଛି । ରାଜ୍ୟ ଏଏସଆଇର ବରିଷ୍ଠ ଅଧିକାରୀ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ଉନ୍ନତି ପାଇଁ କଳା ପାହାଡ଼ ସାଜିଥିବା ବେଳେ ପରୋକ୍ଷରେ ବିରୋଧୀଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୁରୀବାସୀ । ଏଭଳି ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ନାନାଦି ପ୍ରଶ୍ନ ଉଠୁଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅବଦାନ ଓ ପ୍ରଚେଷ୍ଟାକୁ ସେବାୟତ ଓ ପୁରୀବାସୀ ପ୍ରଶଂସା କରିଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଅବିସ୍ମରଣୀୟ ଉଦ୍ୟମ । ଏହାକୁ ବିରୋଧ କରିବା ନିନ୍ଦନୀୟ କାର୍ଯ୍ୟ । ପୁରୀ ବାସିନ୍ଦା, ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ନିମିତ୍ତ ବହୁ ତ୍ୟାଗ ଓ କଷ୍ଟ ସହିଛନ୍ତି । ତେବେ ପ୍ରକଳ୍ପ ନିର୍ମାଣକୁ ନେଇ ଉଠୁଥିବା ଚର୍ଚ୍ଚା ପଛରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ହାତ ରହିଛି । ତେଣୁ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ନଦେବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରକଳ୍ପ କାମର ପରିଦର୍ଶନ କରି ଏଏସଆଇ ଡିଜି ପଜିଟିଭ ପ୍ରତିକ୍ରିୟା ଦେଇଛନ୍ତି । ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ ଏନଓସି ଦେଇଛନ୍ତି । ହେଲେ ରାଜ୍ୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏହା ଜାଣି ମଧ୍ୟ ବିଭ୍ରାନ୍ତିକର ମନ୍ତବ୍ୟ ଦେବା କେତେ ଦୂର ଠିକ ? ନନ୍ଦିଘୋଷ ଟିଭି ପକ୍ଷରୁ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିବା ପରେ ତାଙ୍କ କାର୍ଯ୍ୟକଳାପ ନେଇ ସାଧାରଣରେ ସନ୍ଦେହ ବଢିଛି ।