୬ଦିନରେ ବିଶ୍ବକପ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିପାରନ୍ତି ଏହି ୫ ଟିମ୍

ନୂଆଦିଲ୍ଲୀ: ଚଳିତ ବିଶ୍ବକପ ବେଶ ରୋମାଞ୍ଚକ ହେଉଛି । କେଉଁ ମ୍ୟାଚ୍ କାହା ସପକ୍ଷରେ ଯିବ ଜାଣିବା କଷ୍ଟସାଧ୍ୟ ହୋଇ ପଡ଼ୁଛି । ପାକିସ୍ତାନ ଭଳି ଶକ୍ତିଶାଳି ଟିମ୍ ଚଳିତ ବିଶ୍ବକପରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡଠାରୁ ହାରି ସାରିଛି । ସେମିଫାଇନାଲରେ କେଉଁ ୪ଟିମ ସ୍ଥାନ ପକ୍କା କରିବେ ତାକୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ ଉପୁଜୁଛି । ତେବେ ଆସନ୍ତା ୬ ଦିନ ମଧ୍ୟରେ ୫ ଟିମ ବିଶ୍ବକପ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିପାରନ୍ତି ।

ପଏଣ୍ଟ ଟେବୁଲ ଉପରେ ଯଦି ନଜର ପକାଇବା ତାହେଲେ ଏବେ ଭାରତ ୫ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇଁ ଟେବୁଲ ଶୀର୍ଷରେ ରହିଛି । ଭାରତ ସେମିଫାଇନାଲ ଟିକେଟ ପାଇଁ ଆଉ ମାତ୍ର ଗୋଟିଏ ବିଜୟ ଆବଶ୍ୟକ । ଭାରତର ୪ଟି ମ୍ୟାଚ ବାକି ଥିବାବେଳେ ଭାରତ ସେମିରେ ପହଞ୍ଚିବା ଏକପ୍ରକାର ନିଶ୍ଚିତ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଉଛନ୍ତି । ସେପଟେ ଭାରତ ସାଙ୍ଗକୁ ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଯଦି ମ୍ୟାଚ ଗୁଡ଼ିକ ଉପରେ ନଜର ପକାଇବା ତାହେଲେ ଏମାନେ ମଧ୍ୟ ସେମିଫାଇନାଲ ଯିବା ରାସ୍ତା ଏକପ୍ରକାର ସଫା ରହିଛି ।

ଚତୁର୍ଥ ସ୍ଥାନ କଥା ଯଦି ବିଚାର କରିବା ତାହେଲେ କେଉଁ ଦଳ ଯିବ ତାକୁ ନେଇ ଏବେ ଅନେକ ବିଚାରବିମର୍ଶ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୩ ବିଜୟ ସହ ଚତୁର୍ଥ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ନେଦରଲାଣ୍ଡକୁ ଏକ ବଡ଼ ରନ ବ୍ୟବଧାନରେ ହରାଇଛି । ଦଳ ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛି । ଅଷ୍ଟ୍ରଲିଆ ପଛକୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ୫ ମ୍ୟାଚରୁ ୨ଟି ବିଜୟ ହାସଲ କରି ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି । ପାକିସ୍ତାନର ଲଗାତାର ପରାଜୟ ପରେ ଦଳ ବହୁ ସମାଲୋଚନାକୁ ସାମନା କରିଛି ।

ଏଣୁ ଆଗାମି ମ୍ୟାଚରେ ଦଳ ସଂଘର୍ଷ କରିବା ସହ ଟୁର୍ଣ୍ଣାମେଣ୍ଟକୁ ଫେରିବା ସହ ସେମି ଦୌଡ଼ରେ ରହିବ । ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଚତୁର୍ଥ ସ୍ଥାନ ପାଇଁ ଟକ୍କର ହେବାର ସମ୍ଭାବନା ଅଧିକ ରହିଛି । ସେପଟେ ନେଦରଲାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । କିନ୍ତୁ କୌଣସି ଟିମ୍ ଏଯାବତ ସେମି ଦୌଡ଼ରୁ ବାଦ ପଡ଼ିନଥିବାବେଳେ ସଂଘର୍ଷ ଜୋରଦାର ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।