ଏଥର କେଉଁ ପରମ୍ପରା ଭାଙ୍ଗିବାକୁ ଚାହୁଁଛି ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ, ଜାଣନ୍ତୁ…….

1 min read

ଭୁବନେଶ୍ୱର,୧୮।୯(ବ୍ୟୁରୋ)- ଫଟାଫଟ୍ କ୍ରିକେଟ୍ ର ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)  । କୋଭିଜ କଟକଣା କାରଣରୁ ଚଳିତଥର ଭାରତରେ ନୁହେଁ, ୟୁଏଇରେ ଖେଳାଯିବ ସମସ୍ତ ମ୍ୟାଚ । ସେପ୍ଟେମ୍ବର ୧୯ ତଥା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟିଂର ମହାଲଢେଇ । ପ୍ରଥମ ମୁକାବିଲାରେ ସାମ୍ନାସାମ୍ନି ହେଉଛନ୍ତି ଡିଫେଡିଣ୍ଡିଂ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଟାଇଟର ଅନ୍ୟତମ ଦାବିଦାର ଚେନ୍ନାଇ ସୁପରକିଙ୍ଗ୍ସ ।

ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ସେହିପରି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇର ଅଧିନାୟକତ୍ୱ କରିବେ । ଏହି ଟୁର୍ଣ୍ଣାମେଣ୍ଟକୁ ୪ ଥର ଜିତିଥିବା ମୁମ୍ବାଇ ଉପରେ ସମସ୍ତଙ୍କ ନଜର ରହିଛି । ତେଣୁ ନୀତା ଅମ୍ବାନୀଙ୍କ ଏହି ଟିମ୍ ର କିପରି ପ୍ରସ୍ତୁତ ରହିଛି, ସେ ନେଇ କ୍ରିକେଟ ଫ୍ୟାନ ମହଲରେ ରହିଛି ଉତ୍ସାହ ।

୨୦୧୩, ୨୦୧୫,୨୦୧୭ ଏବଂ ୨୦୧୯ରେ ମୁମ୍ବାଇ ଆଇପିଏଲ୍ ଟାଇଟଲକୁ ଜିତିଥିଲା । ଆଉ ସମସ୍ତ ଥର ତାହାର ଅଧିନାୟକ ରହିଥିଲେ ରୋହିତ ଶର୍ମା । ତେଣୁ ଶର୍ମା ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ୧୦୪ ମ୍ୟାଚରେ ଅଧିନାୟକତ୍ୱ କରି ୬୦ ମ୍ୟାଚରେ ଦଳକୁ ବିଜୟୀ କରିଛନ୍ତି । ସେହପରି ୪୨ ମ୍ୟାଚରେ ଦଳ ତାଙ୍କର ପରାଜୟ ଲଭିଛି । ଅନୁରୂପଭାବେ ତାଙ୍କ ନେତୃତ୍ୱରେ ଖେଳାଯାଇଥିବା ୨ ମ୍ୟାଚ ଟାଇ ଭାବେ ମଧ୍ୟ ସମାପ୍ତ ହୋଇଛି । ଅଧିନାୟକ ହିସାବରେ ରୋହିତଙ୍କ ପ୍ରଦର୍ଶନ ହାର ପ୍ରାୟ ୫୯ ପ୍ରତିଶତ ରହିଛି ।

ହେଲେ ମୁମ୍ବାଇ ଚଳିତ ଥର ମଧ୍ୟ ଟାଇଟଲ ବିଜେତା ହେବାକୁ ଲକ୍ଷ୍ୟ ରଖିଛି । ଯଦି ଏହି ବର୍ଷ ରୋହିତ ଇଲେଭେନ ଏହି ଟାଇଟଲ ଜିତିବାରେ ସକ୍ଷମ ହୁଏ, ତେବେ ଏକ ନିଆରା ରେକର୍ଡରେ ରୋକ ଲାଗିବ । ଆପଣମାନେ ଭାବୁ ଥିବେ ଆମେ କେଉଁ ରେକର୍ଡ କଥା କହୁଛୁ । ହଁ ପାଠକ ବନ୍ଧୁ ଆପଣ ମନେ ପକାନ୍ତୁ ପ୍ରଥମଥର ୨୦୧୩ରେ ଚମ୍ପିୟାନ ହୋଇଥିବା ଏହି ଦଳ ୨୦୧୫,୨୦୧୭ ଏବଂ ୨୦୧୯ରେ ଏହି ସଫଳତା ଦୋହରାଇପାରିଥିଲା । ଅନ୍ୟବର୍ଷ ଗୁଡିକରେ ଯଥା ୨୦୦୮,୨୦୦୯,୨୦୧୬ ଏବଂ ୨୦୧୮ରେ ଲିଗ୍ ଷ୍ଟେଜରୁ ପରାଜିତ ହୋଇଥିଲା । ସେହିପରି ୨୦୧୧, ୨୦୧୨,୨୦୧୪ ଫ୍ଲେ ଅଫକୁ ଯାଇଥିଲା ।

ଏଠାରେ ଲକ୍ଷ୍ୟ କରୁଥିବେ ସାଧାରଣତଃ ଅଯୁଗ୍ମ ବର୍ଷ ଗୁଡିକରେ ମୁମ୍ବାଇ ଟାଇଟଲ ଜିତିବାକୁ ସକ୍ଷମ ହୋଇଛି । ଏହି ବର୍ଷଗୁଡିକ ହେଉଛି ୨୦୧୩, ୨୦୧୫,୨୦୧୭ ଏବଂ ୨୦୧୯ । କୌଣସି ଥର ଯୁଗ୍ମବର୍ଷ ଅର୍ଥାତ ୨୦୦୮,୨୦୧୦,୨୦୧୨,୨୦୧୪,୨୦୧୬,୨୦୧୮ରେ ଜିତିବାକୁ ସକ୍ଷମ ହୋଇନାହିଁ । ତେଣୁ ଚଳିତ ଥର ୨୦୨୦ ଅର୍ଥାତ ଆଉ ଏକ ଯୁଗ୍ମ ବର୍ଷ  । ତେଣୁ ଯଦି ଏଥର ମୁମ୍ବାଇ ଟାଇଟଲ ଜିତିବାକୁ ସକ୍ଷମ ହୁଏ, ତେବେ ପୂର୍ବଧାରା ଭାଙ୍ଗିବ ବୋଲି ସମୀକ୍ଷକମାନେ କହୁଛନ୍ତି । ଦେଖାଯାଉ ଏଥିରେ ରୋହିତ ଇଲେଭେନ୍ କେତେ ମାତ୍ରାରେ ସଫଳ ହେଉଛନ୍ତି ।

Leave a Reply