ମିଶନ ମୁନ୍: ରେସ୍ରେ ବିଶ୍ବ, ୩୩ ଥର ଋଷ ୩୧ ଥର ଆମେରିକା କରିଛି ପ୍ରୟାସ
ନନ୍ଦିଘୋଷ ବ୍ୟୁରୋ: ୭ ଦଶକରେ ଚନ୍ଦ୍ରରେ ହୋଇଛି ୧୧୧ ମିଶନ । ୬୬ ଟି ମିଶନକୁ ସଫଳତା ମିଳିଥିବାବେଳେ ୪୧ଟି ମିଶନ ଅସଫଳ ହୋଇଛି । ସଫ୍ଟ ଲ୍ୟାଣ୍ଡିଂ ପାଇଁ ୩୮ ଥର ଚେଷ୍ଟା ହୋଇଛି । ୫୨% ସଫଳତା ମିଳିଛି । ଆମେରିକା, ଋଷ ଓ ଚୀନ ୩ଟି ଦେଶକୁ ସଫ୍ଟ ଲ୍ୟାଣ୍ଡିଂରେ ମିଳିଛି ସଫଳତା ।
ଋଷର ଲୁନା ୨ ମିଶନ ମୁନ ପାଇଁ ଦୁନିଆର ପ୍ରଥମ ମହାକାଶ ଯାନ ଅଟେ । ୧୨ ସେପ୍ଟେମ୍ବର ୧୯୫୯ରେ ପ୍ରଥମ ଥର ଏହାକୁ ଲଞ୍ଚ କରିଥିଲା ଋଷ ।୩ ଫେବୃଆରୀ ୧୯୬୬ରେ ଲୁନା ୯ ଚନ୍ଦ୍ର ଉପରେ ଅବକରଣ କରିଥିବା ପ୍ରଥମ ମିଶନ ଅଟେ । ଦୁଇଟି ମିଶନରେ ଲୁନା ଚନ୍ଦ୍ରପୃଷ୍ଠରୁ ମାଟି ଆଣିବାରେ ସକ୍ଷମ ହୋଇଥିଲା । ୧୯୭୬ରେ ଲୁନା ୨୪ ଚନ୍ଦ୍ରପୃଷ୍ଠରୁ ୧୭୦ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଥିଲା । ଏହାର ୪୭ ବର୍ଷ ପରେ ଋଷ ଲୁନା ୨୫ କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା । କିନ୍ତୁ ଅଗଷ୍ଟ ୨୧ରେ କ୍ରାସ ହୋଇଯାଇଥିଲା ଲୁନା । ଋଷ ଚନ୍ଦ୍ରପୃଷ୍ଠକୁ ୩୩ଟି ମିଶନ ପଠାଇଥିବା ବେଳେ ୨୬ଟି ଫେଲ୍ ହୋଇଯାଇଛି ।
ସେହିପରି ଆମେରିକା ଆପୋଲୋ ୧୧ ଜରିଆରେ ପ୍ରଥମ ଥର ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା । ପ୍ରଥମେ ୧୯୬୯ ପରେ ୧୯୭୨ରେ ଆପୋଲୋକୁ ଚନ୍ଦ୍ର ଅଭିମୁଖେ ଲଞ୍ଚ କରିଥିଲା ଆମେରିକୀୟ ସ୍ପେଶ ଏଜେନ୍ସୀ ନାସା । ରାତିରେ ଲଞ୍ଚ ହୋଇଥିବା ଏହା ପ୍ରଥମ ମିଶନ ଥିଲା । ଆମେରିକା ଚନ୍ଦ୍ରପୃଷ୍ଠକୁ ୩୧ଟି ମିଶନ ପଠାଇ ଥିବାବେଳେ ୧୭ ଟିରେ ବିଫଳ ହୋଇଛି ।
ଚନ୍ଦ୍ରପୃଷ୍ଠକୁ ୨୦୦୭ରେ ପ୍ରଥମ ମିଶନ ଲଞ୍ଚ କରିଥିଲା ଚୀନ । ଚୀନ ବର୍ତ୍ତମାନ ସୁଦ୍ଧା ୫ଟି ମିଶନ ଲଞ୍ଚ କରିଛି । ୭ ଡିସେମ୍ବର ୨୦୧୮ରେ ଚୀନ ପଠାଇଥିବା ଚୋଙ୍ଗାଇ ୪ରେ ଚୀନ ଏକ ବାକ୍ସ ପଠାଇଥିଲା । ଯେଉଁଥିରେ କପା ଓ ଆଳୁ ସମେତ ଅନେକ ଚାରା ଥିଲା । ଚୀନ ପଠାଇଥିବା ଏହି ଚାରା ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ମଧ୍ୟ କରାଯାଇଛି । ସେହିପରି ଚୀନର ଚାଙ୍ଗୋଇ ୫ ମିଶନ ୨୦୨୦ରେ ଚନ୍ଦ୍ରପୃଷ୍ଠରୁ ୧୭୩୧ ଗ୍ରାମ ମାଟି ସଂଗ୍ରହ କରି ପୃଥିବୀ ଫେରିଛି ।