ଆଜି ରାକେଶ ଶର୍ମାଙ୍କ ଜନ୍ମଦିନ, ଝିଅ ମୃତ୍ୟୁ ଖବର ଶୁଣିବା ପରେ ବି ଭରିଥିଲେ ମହାକାଶକୁ ଉଡ଼ାଣ

1 min read

୧୯୮୦ ଦଶକରେ ଦୁଇ ଜଣ ଭାରତୀୟଙ୍କ ନାମ ସମସ୍ତଙ୍କ ମୁହଁରେ ଥିଲା । ଜଣେ ଥିଲେ ରବିଶ ମହ୍ଲୋତ୍ରା ଓ ଅନ୍ୟ ଜଣେ ଥିଲେ ରାକେଶ ଶର୍ମା । ଭାରତୀୟ ବାୟୁସେନାର ଏହି ଦୁଇ ପାଇଲଟଙ୍କୁ ଏଭଳି ଗୋଟିଏ ମିଶନ ପାଇଁ ଅନେକଙ୍କ ମଧ୍ୟରୁ ବଛାଯାଇଥିଲା,ଯାହା ଭାରତକୁ ମହାକାଶ ଅଭିଯାନରେ ସାମିଲ କରିବାକୁ ଯାଉଥିଲା । ୮୦ ଦଶକରେ ଏମିତି ଖୁବ କମ ଲୋକ ଥିବେ ଯେଉଁମାନେ ରାକେଶ ଶର୍ମାଙ୍କ ନାମ ଶୁଣିନଥିବେ । ଭାରତୀୟଙ୍କ ପାଇଁ ଏହା ବଡ ଗୌରବର କଥା ଥିଲା ଯେ, ସେମାନଙ୍କ ଦେଶରୁ କେହି ମହାକାଶକୁ ଯାଉଛି ।

ରାକେଶ ଶର୍ମାଙ୍କ ମହାକାଶ ଅଭିଯାନକୁ ୩୬ରୁ ଅଧିକ ବର୍ଷ ହୋଇଗଲାଣି । ମହାକାଶ ଯାତ୍ରା ପାଇଁ ରାକେଶଙ୍କୁ ପ୍ରାୟ ୨ ବର୍ଷର କଠିନ ଟ୍ରେନିଂ ନେବାକୁ ପଡଥିଲା । ଏହି ଟ୍ରେନିଂ ସେ ତତ୍କାଳୀନ ସୋଭିଏସତ ସଂଘର ରାଜଧାନୀ ମସ୍କୋରେ ନେଇଥିଲେ । ମସ୍କୋର ୟୁରି ଗାଗାରିନ୍ ଅନ୍ତରିକ୍ଷ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ରାକେଶଙ୍କ ସହ ଏକ ଅଭାବନୀୟ ଘଟଣା ଘଟିଥିଲା ।

ଝିଅର ମୃତ୍ୟୁ

ରାକେଶ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହି ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନରେ ଆସିଥିଲା ଝଡ । ମସ୍କୋରେ ଥିବା ବେଳେ ତାଙ୍କର ୬ ବର୍ଷର ଝିଅ ମାନସୀର ଦେହାନ୍ତ ହୋଇଯାଇଥିଲା । ଝିଅକୁ ହରାଇବାର ଦୁଃଖକୁ ଛାତିରେ ଚାପି ସେ ଦେଶ ପାଇଁ ମହାକାଶକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ।

୩ ଏପ୍ରିଲ ୧୯୮୪

ଏପ୍ରିଲ ତି । ୧୯୮୪ । ଏମିତି ଗୋଟିଏ ବର୍ଷ ଯାହାକୁ ଭାରତୀୟ କେବେ ମଧ୍ୟ ଭୁଲିବେ ନାହିଁ । ସେହିଦିନ ପୁରା ଭାରତର ହୃଦସ୍ପନ୍ଦନ ବଢିଯାଇଥିଲା । ସୋୟୁଜ୍ ଟି-୧୧ ଅନ୍ତରୀକ୍ଷ ଯାନ ମହାକାଶ ଅଭିମୁଖେ ଉଡାଣ ଭରିଥିଲା । ଆଉ ଏହା ସହିତ କୋଟି କୋଟି ଭାରତୀୟଙ୍କ ମନ ମଧ୍ୟ ଆଶା ଓ ଆଶଙ୍କାକୁ ନେଇ ଉତ୍କଣ୍ଠିତ ହୋଇଥିଲା । ସବୁକିଛି ସୁରୁଖୁରୁରେ ହୋଇଥିଲା । ୭ ଦିନ ୨୧ ଘଣ୍ଟା ୪୦ ମିନଟ୍ ମହାକାଶରେ ସେଲ୍ୟୁତ୍ ୭ ସ୍ପେଶ ଷ୍ଟେଶନରେ ବିତାଇବା ସହିତ ପୃଥିବୀକୁ ଫେରିଥିଲେ ରାକେଶ । ପୃଥିବୀକୁ ଫେରିବା ବେଳକୁ ରାକେଶ ଭାରତର ହିରୋ ପାଲଟି ସାରିଥିଲେ ।

ସାରେ ଯାହାଁ ସେ ଆଛା..

ମହାକାଶରେ ଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାକେଶଙ୍କୁ ପଚାରିଥିଲେ ମହାକାଶରୁ ଭାରତ କେମିତି ଦେଖାଯାଉଛି । ରାକେଶଙ୍କ ଉତ୍ତର ଥିଲା ସାରେ ଯାହାଁ ସେ ଆଛ.. ସମଗ୍ର ଦୁନିଆରେ ସବୁଠୁ ସୁନ୍ଦର । ତାଙ୍କର ଏହି ଉତ୍ତର ଆଗକୁ ଚାଲି ପ୍ରତି ଭାରତୀୟଙ୍କ ମୁହଁରେ ଥିଲା ।

ମହାକାଶରେ ଯୋଗ

ମହାକାଶରେ ରାକେଶ ପ୍ରତିଦିନ ୧୦ ମିନଟ ଯୋଗ କରୁଥିଲେ । ମହାକାଶରୁ ଫେରିବା ପରେ ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ରାକେଶ ନିଜ ଅନୁଭବ ଅନ୍ୟମାନଙ୍କ ସହିତ ବାଣ୍ଟିଥିଲେ ।

୧୯୮୭ରେ ବାୟୁସେନାରୁ ଅବସର

୧୯୮୭ ମସିହାରେ ରାକେଶ ବାୟୁସେନାରୁ ଅବସର ନେଇଥିଲେ । ମହାକାଶକୁ ଯିବା ବେଳେ ରାକେଶ ବାୟୁସେନାର ସ୍କ୍ୱଡନ ଲିଡର ଥିଲେ । ଏହା ପରେ ତାଙ୍କୁ ୱିଙ୍ଗ୍ କମାଣ୍ଡର ପଦବିକୁ ପଦୋନ୍ନତି ମିଳିଥିଲା । ସେ ୱିଙ୍ଗ୍ କମାଣ୍ଡର ଭାବେ ଅବସର ନେଇଥିଲେ ।
ଅବସର ନେବା ପରେ ସେ ନାସିକରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଟେଷ୍ଟ୍ ପାଇଲଟ୍ ଭାବେ ଯୋଗ ଦେଇଥିଲେ । ତେଜସ ବିମାନର ଟେଷ୍ଟ ଉଡାଣ ସହିତ ସେ ସକ୍ରିୟତାର ସହ ଜଡିତ ଥିଲେ ।

ଆଜି ୭୨ ତମ ଜନ୍ମଦିନ

ଆଜି ରାକେଶ ଶର୍ମା ନିଜର ୭୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୩ ଜାନୁଆରି ୧୯୪୯ରେ ରାକେଶଙ୍କ ଜନ୍ମ ପଟିୟାଲାରେ ହୋଇଥିଲେ । ତେବେ ତାଙ୍କ ସ୍କୁଲ ଓ କଲେଜ ଶିକ୍ଷା ହାଇଦ୍ରାବାଦରେ ହୋଇଥିଲେ । ହାଇଦ୍ରାବାଦ ବାୟୁସେନା ଘାଟି ପାଖରେ ରାକେଶଙ୍କ ଘର ଥିଲା । ତେଣୁ ପିଲା ଦିନୁ ସେ ବାୟୁସେନା ପ୍ରତି ଆକୃଷ୍ଟ ହୋଇଥିଲେ ।

ଏବେ କ’ଣ କରୁଛନ୍ତି ରାକେଶ ?

ରାକେଶ ଶର୍ମା ଅନେକ ବର୍ଷ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରହିଥିଲେ । ପରେ ସେ ତାମିଲନାଡୁରେ ହିଲ ଷ୍ଟେଶନ କୁନୁରକୁ ଚାଲି ଯାଇଥିଲେ । ଏବେ ସେ ବେଙ୍ଗାଲୁରୁରେ ଏକ କମ୍ପାନୀ କେଡିଲା ଲାବସର ନନ୍ ଏଗଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି । ଏହା ବୀମା କମ୍ପାନୀଙ୍କ ଇଣ୍ଟେଲିଜେନ୍ସ ଅଟୋମେସନ ପ୍ରୋଭାଇଡ୍ କରିଥାଏ ।

ରାକେଶଙ୍କର ଦୁଇ ପୁଅ ଓ ଝିଅ । ପୁଅ କପିଲ ଫିଲ୍ମ ନିର୍ଦ୍ଦେଶକ ହୋଇଥିବା ବେଳେ ଝିଅ ମିଡିଆରେ ଆର୍ଟ୍ ଡିଭିଜନରେ କାମ କରୁଛନ୍ତି । ରାକେଶ ଖାଲି ସମୟରେ ଗଲ୍ଫ ଖେଳିବାକୁ ଓ ଗୀତ ଶୁଣିବାକୁ ଭଲ ପାନ୍ତି ।

Leave a Reply