କୁଆଡ଼େ ଗଲା ଚୋରା ଚାଉଳ : ଟ୍ରକ ଦୁର୍ଘଟଣାର ୧୦ ଦିନ ପରେ ବି ଟେର୍ ପାଉନି ପୋଲିସ
ନନ୍ଦିଘୋଷ ବ୍ୟୁରୋ : କୁଆଡ଼େ ଗଲା ଚୋରା ଚାଉଳ । ଟ୍ରକ ଦୁର୍ଘଟଣାର ୧୦ ଦିନ ପରେ ବି ଟେର୍ ପାଉନି ପୋଲିସ । ବଲାଙ୍ଗୀର ଦେଓଗାଁ ଥାନା ରଜାମୁଣ୍ଡା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ୮ ଶହ ବସ୍ତା ଚାଉଳ ଚୋରି ଘଟଣାରେ ଦିନକୁ ଦିନ ବଢୁଛି ଦ୍ବନ୍ଦ୍ବ । ଏନେଇ ବିଭାଗ କିମ୍ବା ପୋଲିସ ମୁହଁ ଖୋଲୁ ନଥିବାବେଳେ ଘଟଣା ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ସୂଚନା ଅଧିକାର କର୍ମୀ ।
ଚାଉଳ ଚୋରି ପଛରେ ଦୁର୍ନୀତିର ଗନ୍ଧ । ଘଟଣା ଚପାଇଦେବାକୁ ବଡ଼ ଡିଲ ହୋଇଥିବା ସନ୍ଦେହ । ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ରାତାରାତି କୁଆଡ଼େ ଉଭାନ ହୋଇଗଲା ପିଡିଏସ । ବିଭାଗ ଓ ପୋଲିସର ନୀରବତାକୁ ନେଇ ଉଠିଲା ପ୍ରଶ୍ନ । ଗତ ୧୬ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଳା ଦେଓଗାଁ ଥାନା ରଜାମୁଣ୍ଡା ଛକ ନିକଟରେ ଠାରେ ଚାଉଳ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛତିଶଗଡ ରାୟପୁରରୁ କଣ୍ଟାବାଞ୍ଜି, ପାଟଣାଗଡ଼ ଗଲାବାଟ ଦେଇ ତୁଷୁରାର ଜଣେ ଅଣଓଡିଆ ବ୍ୟବସାୟୀଙ୍କ ରାଇସ ମିଲକୁ ଆସୁଥିଲା ଚାଉଳ । ଟ୍ରକରେ ଥିବା ୮ ଶହ ବସ୍ତା ପିଡିଏସ୍ ଚାଉଳ ଚୋରି ହୋଇଥିବା ଟ୍ରକ ମାଲିକ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ମାତ୍ର ୫୦ ବସ୍ତା ବିଭିନ୍ନ ଲୋକଙ୍କ ଠାରୁ ଜବତ କରିଛି । ଘଟଣା ପରେ ଟ୍ରକ୍ ମାଲିକ ଚାଉଳ ବିଶାଖାପାଟଣାକୁ ଚାଲାଣ ହେଉଥିବା ନେଇ ଦୁଇଟି ବିଲ୍ ଦେଖାଇଛନ୍ତି । ବିଲରେ ଶହେ ବସ୍ତା ଚାଉଳ ଥିଲା ବୋଲି ଉଲ୍ଲେଖ ରହିଛି I ତେବେ ବିଲରେ ୫୦ କ୍ବିଣ୍ଟାଲ ଉଲ୍ଲେଖ ଥିବାବେଳେ କିପରି ୮ ଶହ ବସ୍ତା ଚାଲାଣ ହେଉଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଗତ କିଛି ମାସ ପୂର୍ବରୁ ଏହି ରାସ୍ତାରେ ଧାନ ଚୋରାଚାଲାଣ ହେଉଥିବା ବେଳେ ଦୁଇଟି ଟ୍ରକରୁ ଏକ ହଜାର ୨୬୦ ବସ୍ତା ଧାନ ଜବତ ହୋଇଥିଲା । ତେଣୁ ଘଟଣା ପଛରେ ଏକ ବଡ଼ ରାକେଟ କାମକରୁଥିବା ସନ୍ଦେହ କରିଛନ୍ତି ବୁଦ୍ଧିଜୀବୀ ।
ଦୁର୍ଘଟଣା ଗ୍ରସ୍ତ ଟ୍ରକର ରୋଡ ପରମିଟ୍ ନଥିଲା । ସେପଟେ ୧୦ ଲକ୍ଷ ଟଙ୍କାର ଚାଉଳ ଚୋରି ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଓ ବିଭାଗୀୟ ଅଧିକାରୀ ଏନେଇ ମୁହଁ ଖୋଲୁ ନଥିବା ଘଟଣାକୁ ଚପାଇ ଦେବାକୁ ଉଦ୍ଯମ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଚୋରା ବାଟ ଦେଇ ମିଲକୁ ରାୟପୁରରୁ ନିମ୍ନମାନର ଚାଉଳ ଆଣୁଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ସେପଟେ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଏସଡିପିଓ ।
