କେବେ ଖୋଲିବ ଶ୍ରୀଗୁଣ୍ଡିଚା ? କେବେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ ଭକ୍ତ ?

କେବେ ଖୋଲିବ ଶ୍ରୀଗୁଣ୍ଡିଚା ? କେବେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନ କରିବେ ଭକ୍ତ ? ସୌନ୍ଦର୍ଯକରଣ ଆଳରେ କୋଭିଡ ପରଠାରୁ ଲାଗିଛି କଟକଣା । ତେଜୁଛି ଅସନ୍ତୋଷ । କାଳିଆ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଛୁଟି ଆସୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ମିଳିଯାଉଛି କିନ୍ତୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଦେଖିବାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ । କୋଭିଡ ପରଠୁ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କଟକଣା ଲାଗି ରହିଥିବାବେଳେ ଜନ୍ମବେଦିକୁ ଦର୍ଶନ କରି ନପାରି ନିରାଶ ଫେରୁଛନ୍ତି ଲୋକେ । ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ଟେଣ୍ଡର ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନକୁ ଆର୍ଥିକ ଲାଭ ମିଳୁଥିଲା । ତେବେ ନିର୍ମାଣ କାର୍ଯ୍ୟ ଆଳ ଦେଖାଇ ଏହାକୁ ବନ୍ଦ କରାଯିବ ସମିଚୀନ ନୁହେଁ ବୋଲି କହିଛନ୍ତି ସେବାୟତ ।
ଗୁଣ୍ଡିଚା ମନ୍ଦିରର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଏହା ସର୍ବସାଧାରଣ ପାଇଁ ଏହା ଖୋଲାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜନ୍ମ ବେଦିର ଭିତର ଓ ବାହାରେ ବ୍ୟପକ ମାତ୍ରାରେ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି । ଆଗାମୀ ରଥଯାତ୍ରା ସୁଦ୍ଧା ଏହାକୁ ଶେଷ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଏହା ବନ୍ଦ ଥିବାବେଳେ ପ୍ରଶାସନ ପକ୍ଷରୁ ଟିକେଟ ବ୍ୟବସ୍ଥା କରାଯାଇ ପ୍ରବେଶ ଅନୁମତି ପ୍ରଦାନ ଦିଗରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୁଣ୍ଡିଚା ମନ୍ଦିରକୁ ନେଇ ଧାର୍ମିକ ଭାବନା ଜଡି଼ତ ହୋଇ ଥିବାବେଳେ ଏଠାକୁ ପ୍ରବେଶ କଟକଣା ଦୂର ଦୁରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ନିରାଶ କରୁଛି ।