କେବେ ସରିବ ଅତ୍ୟାଧୁନିକ କ୍ୟାନ୍ସର କେୟାର ସେଣ୍ଟର କାମ ? ୩ ବର୍ଷ ବିତିଥିଲେ ବି ସରୁନି ନିର୍ମାଣ କାର୍ଯ୍ୟ । ରୋଗୀଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ଆରମ୍ଭ କରିଥିଲେ ପୂର୍ବ ସରକାର । ବ୍ରହ୍ମପୁର MKCG ମେଡିକାଲ କଲେଜ ଖେଳପଡ଼ିଆ ନିକଟରେ ୧୪ ହଜାର ବର୍ଗଫୁଟ ଜମିରେ ଚାଲିଛି ନୂତନ କର୍କଟ ସେବାକେନ୍ଦ୍ର । କୋଲକତାର ମାକିନଟୋସ ବର୍ଷ ଲିମିଟେଡ ନାମ ଏକ ସଂସ୍ଥା ନେଇଛି ନିର୍ମାଣ ଦାୟିତ୍ବ । ଏଥିପାଇଁ ୨୦୨୨ରେ ୭୬ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ ପୂର୍ବ ସରକାର । ୨୦୨୩ରେ ଏହାର କାମ ସାରିବାକୁ ଲକ୍ଷ୍ୟ ରଖା ଯାଇଥିଲା । ତେବେ ସରକାର ବଦଳିବା ପରେ ଏହାର ନିର୍ମାଣ କାମ ମନ୍ଥର ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।
୪ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ଶହ ଶଯ୍ୟା ସହ ଆଉଟଡୋର, ସମ୍ମିଳନୀ କକ୍ଷ, ଓପନସ୍ପେସ, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପ୍ରତିକ୍ଷାଳୟ ନିର୍ମାଣ କରାଯିବାକୁ ଯୋଜନା ରହିଛି । କିଛିମାସ ତଳେ ସେବାକେନ୍ଦ୍ର ପାକିଂ ସ୍ଥଳର ଆକାର ବୃଦ୍ଧି ସାଙ୍ଗକୁ ପ୍ରସସ୍ଥ ରାସ୍ତା, ଏକାଧିକ ସ୍ଥାନରେ ଗ୍ରୀଲ ସ୍ଥାପନ, ଚତୁପାର୍ଶ୍ଵରେ ପାଚେରୀ ନିର୍ମାଣ ସହ ଲିଫ୍ଟ ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିପାଇଁ ପୁଣି ଏକ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ବାରମ୍ବାର ପ୍ଲାନ ପରିବର୍ତ୍ତନ ଯୋଗୁଁ କାମ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ଏମକେସିଜି ମେଡିକାଲର କ୍ୟାନସର ବିଭାଗକୁ ଦୈନିକ ୨୦ରୁ ଅଧିକ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ବିଶେଷ ସୁବିଧା ନଥିବାରୁ ଅଧିକାଂଶ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହୋଇଛି ।

