କେବେ ସରିବ ଦାଦନ ଯନ୍ତ୍ରଣା ? ଲକ୍ଷାଧିକ ଶ୍ରମିକଙ୍କୁ କରାଯାଉଛି ଚାଲାଣ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରୁ ଦାଦନ ଶ୍ରମିକଙ୍କ ମୂଳପୋଛ କରିବାକୁ ବିଜେପି ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ଟାସ୍କଫୋର୍ସର ମୁଖ୍ୟ ଭାବେ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି । ହେଲେ ଟାସ୍କଫୋର୍ସ ଗଠନ ପରେବି ଶ୍ରମିକ ଚାଲାଣ ଥମିବାର ନାଁ ଧରୁନି । କଥାରେ ଟାସ୍କଫୋର୍ସ କିନ୍ତୁ ସର୍ଦ୍ଦାରଙ୍କ ଭିତିରି ବୁଝାମଣାରେ ଚାଲିଛି ବେଆଇନ ଶ୍ରମିକ ଚାଲାଣ । ଏହି ଫଟୋ ଓ ଭିଡିଓରୁ ସ୍ପଷ୍ଟ ବୁଝାପଡୁଛି କେମିତି ଚାଲିଛି ଟାସ୍କଫୋର୍ସ ଓ ଶ୍ରମିକ ଚାଲାଣ ରୋକିବାକୁ କେତେ ତତ୍ପର ପୋଲିସ ଓ ଜିଲ୍ଲା ଶ୍ରମ ବିଭାଗ । ରାଜ୍ୟ ବାହାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଉ କିମ୍ବା ଶ୍ରମିକ ନିର୍ଯାତନାର ଶିକାର ଏସବୁ ଘଟଣାରେ ପାଟଣାଗଡ଼ ପୋଲିସ ବଦନାମ ହେବାରେ ଲାଗିଛି । କାରଣ ପାଟଣାଗଡ଼ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଓ ଦାଦନ ସର୍ଦ୍ଦାର ଶ୍ରୀଧର କୁମାର କିପରି କଣ୍ଟାବାଞ୍ଜିର ରାଜରାସ୍ତା ଉପରେ ଚା ଖଟିରେ ମଉଜ କରୁଛନ୍ତି ତା ଫଟୋ ଭାଇରାଲ ହେବାରେ ଲାଗିଛି । ଖାଲି ଏତିକି ନୁହେଁ ଥାନା ବାବୁ ଜଣକ ସର୍ଦ୍ଦାର ଗାଡିରେ ପାଟଣାଗଡ଼ରୁ କଣ୍ଟାବାଞ୍ଜି ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦାଦନ ସର୍ଦ୍ଦାର ନିର୍ଯ୍ୟାତନା ମାମଲାର ତଦନ୍ତ ପାଇଁ ଖୋଦ ଥାନା ବାବୁ ସର୍ଦ୍ଦାର ଗାଡିରେ ବୁଲିବେ। ସର୍ଦ୍ଦାର ସହ ଚା ପିଇବେ ତାହେଲେ ତାଙ୍କ ପାଖରୁ ନିରପେକ୍ଷ ତଦନ୍ତ କେମିତି ଆଶା କରାଯିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରମିକ ନେତା ।
ଗତ କିଛି ଦିନ ତଳେ ପାଟଣାଗଡ଼ କଦଳୀମୁଣ୍ଡା ଗାଁର ଅଜିତ ବାଗ ନାମକ ଜଣେ ଶ୍ରମିକଙ୍କୁ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ସୁରେଶ ରାଓ ଅପହରଣ କରି ଜଙ୍ଗଲ ଭିତରେ ଉଲଗ୍ନ କରି ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଏତଲା ପରେ ପୋଲିସ ଚୁପ୍ ରହିଥିଲା । ଗତ ୨୪ ତାରିଖରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଗତ କିଛି ଦିନ ତଳେ ପାଟଣାଗଡ଼ ଥାନା ଅଧିକାରୀ ଘଟଣାର ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଥିଲେ । ତାହା ପୁଣି ସାଦା ପୋଷାକରେ ଅନ୍ୟ ଏକ ଦାଦନ ସର୍ଦ୍ଦାର ଗାଡିରେ । ସେହିପରି କିଛି ଦିନ ତଳେ ପାଟଣାଗଡ଼ ଥାନା ଭିତରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଘଟଣାକୁ ନେଇ ବିବାଦକୁ ଆସିଥିଲେ ଥାନା ବାବୁ । ଥାନା ବାବୁଙ୍କ ନାଁରେ ବିଭିନ୍ନ ଅଭିଯୋଗ ପରେ ବି ଜିଲ୍ଲା ପୋଲିସ ମୁଖିଆ ଚୁପ୍ ରହୁଥିବାରୁ ଥାନା ବାବୁ ଆଉ ଇନ୍ଦ୍ରଚନ୍ଦ୍ର ମାନୁ ନ ଥିବା ଚର୍ଚ୍ଚା ଚାଲିଛି । ତେବେ ସେ କଣ ପାଇଁ ଦାଦନ ସର୍ଦ୍ଦାର ଗାଡିରେ ଯାଇଥିଲେ ତାହାର ଉପଯୁକ୍ତ ତଦନ୍ତ ହେଲେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି ଦାବି ଜୋର ଧରିଛି ।