କେବେ ପଦାକୁ ଆସିବ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟାର ପ୍ରକୃତ କାରଣ ?

ବାଲେଶ୍ବର: କେବେ ପଦାକୁ ଆସିବ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟାର ପ୍ରକୃତ କାରଣ ? କ୍ରାଇମବ୍ରାଞ୍ଚ ତଦନ୍ତ ପରେ ମଧ୍ୟ ଘଟଣା ଉପରୁ ଉଠୁନି ପରଦା । ୬ ଦିନ ହେଲା ବାଲେଶ୍ବରରେ ଡେରା ପକାଇଛି ତଦନ୍ତକାରୀ ଟିମ୍ । କଲେଜ୍ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କରୁଛି ମାରାଥନ ଜେରା । ହଠାତ କଣ ଏମିତି ହେଲା ? କିଭଳି ଏତେବଡ଼ ଘଟଣା ଘଟିଗଲା ? ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ କିଏ ପ୍ରବର୍ତ୍ତାଇ ଥିଲା ? କିଏ ପେଟ୍ରୋଲ ଦେଇଥିଲା ଛାତ୍ରୀଙ୍କୁ ? ବାଲେଶ୍ବର ଛାତ୍ରୀ ଆତ୍ମହତ୍ଯା ପରେ ଏମିତି ଅନେକ ପ୍ରଶ୍ନ ଏବେ ଅନ୍ଧାରରେ । ୬ ଦିନ ହେଲା ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସନ୍ଦେହରେ କିଛି ଯୁବକ ଓ ଛାତ୍ରଙ୍କ ମୋବାଇଲକୁ ମଧ୍ୟ ସିଜ୍ କରିଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ କେହି ବାହାରକୁ ଯାଇ ପାରିବେ ନାହିଁ ବୋଲି ତାଗିଦ କରିଛି । ସୋମବାର ୫ ଜଣଙ୍କୁ ଡାକି ଝାଳବୁହା ଜେରା ବି କରିଛି । ଘଟଣା ଦିନ ପ୍ରିନ୍ସପାଲଙ୍କ ଚାମ୍ବର ଆଗରେ ପ୍ରତିବାଦ କରିବାକୁ ଛାତ୍ରମାନେ ପ୍ରସ୍ତୁତ ହୋଇ ଆସିଥିଲେ ବୋଲି କହିଛନ୍ତି କ୍ଯାମ୍ପସ ବାହାର ଜଣେ ଛାତ୍ର ।
ଘଟଣା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବରିଷ୍ଠ ଆଇନଜୀବୀ । ପାରିପାର୍ଶ୍ବିକ ପାରିସ୍ଥତି ଦେଖିଲେ ଆତ୍ମହତ୍ୟା ପଛରେ ଏକ ବଡ଼ ଘଟଣାକୁ ଲୁଚା ଯାଇଥିବା ସେ ସନ୍ଦେହ କରିଛନ୍ତି । ଛାତ୍ରୀ ଜଣଙ୍କ ପେଟ୍ରୋଲ ନିଜେ ନେଇ ଅଧ୍ୟକ୍ଷଙ୍କ କକ୍ଷ କୁ ଯାଇଥିଲେ ନା ପ୍ରକୃତରେ ଆଉ କିଏ ଆଣି ଦେଇଥିଲା ଏହାର ତଦନ୍ତ ନିହାତି ଆବଶ୍ୟକ । କ୍ରାଇମବ୍ରାଞ୍ଚ ନିରପେକ୍ଷ ଭାବରେ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ସେପଟେ ଜବତ ମୋବାଇଲକୁ ଫରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଛି କ୍ରାଇମବ୍ରାଞ୍ଚ ।