ବୁଝାମଣା ପତ୍ର ସ୍ବାକ୍ଷରକୁ ମାସେ ବିତିବ: କେବେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ?

ଭୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ କେନ୍ଦ୍ର ସହ ଚୁକ୍ତି ହେବାର ମାସେ ବିତିବାକୁ ବସିଛି । ହେଲେ କେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ, ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ । ଖୁବ୍ ଶୀଘ୍ର ଲାଗୁ ହେବ କହି ଦିନ ଗଡ଼ାଇ ଚାଲିଛନ୍ତି ରାଜ୍ୟ ସରକାର । ଏହି ଦ୍ବନ୍ଦ୍ବ ଭିତରେ ଅନେକ ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧାରୁ ରୋଗୀଙ୍କୁ ବଞ୍ଚିତ କରୁଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଗତ ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ କେନ୍ଦ୍ର ସରକାର । ହେଲେ ଏଯାଏଁ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ବି ଗୋଟିଏ ଉତ୍ତର, ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ହେଲେ କେବେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇ ପାରୁ ନାହାନ୍ତି ନିର୍ଦ୍ଦିଷ୍ଟ ତାରିଖ । ସତେ ଯେପରି ଆୟୁଷ୍ମାନ ଭାରତକୁ ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଫେବୃଆରୀ ଦ୍ବିତୀୟ ସପ୍ତାହରେ ଏହା ଆରମ୍ଭ ହେବାର ଯେଉଁ ଚର୍ଚ୍ଚା ଚାଲିଥିଲା, ତାହା ଧୀରେ ଧୀରେ ସନ୍ଦେହ ଭିତରକୁ ଚାଲିଗଲାଣି । ନୂଆ ସଫ୍ଟଓ୍ବେର ଜରିଆରେ ବିଜୁ ସ୍ବାସ୍ଥ୍ୟ ଯୋଜନାର ପୁରୁଣା ହସ୍ପିଟାଲ ଗୁଡ଼ିକୁ ଆଇଟି ଇଣ୍ଟିଗ୍ରେସନ କରାଯାଉଥିବାରୁ ଏବେ ଏହାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ବଢିଲାଣି ।
ଆୟୁଷ୍ମାନ ଭାରତ ଆରମ୍ଭ ହୋଇ ପାରିନି । ସେପଟେ ଅନେକ ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହୋଇଯାଇଥିବା ସନ୍ଦେହରେ ରୋଗୀଙ୍କୁ ମାଗଣା ଚିକିତ୍ସା ନ ଯୋଗାଇ ଫେରାଇବାରେ ଲାଗିଲେଣି । ଆୟୁଷ୍ମାନ ଭାରତକୁ ନେଇ ରାଜ୍ୟ ସରକାର ଦ୍ବନ୍ଦ୍ବରେ ଥିବା ବିଜେଡି ଅଭିଯୋଗ କରିଛି । ଗରିବ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇବାକୁ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ ।
ଆଜି ବି ଓଡ଼ିଶାବାସୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝୁରୁଛନ୍ତି । କାରଣ ଯେଉଁଠି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୯୬.୫ ଆର୍ଥିକ ଅନଗ୍ରସର ପରିବାର ଚିକିତ୍ସା ସୁବିଧା ପାଉଥିଲେ, ଆୟୁଷ୍ମାନ ଭାରତରେ ୬୮.୭ ଲକ୍ଷ ପରିବାର ଯୋଡ଼ି ହେବେ ।