କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ?

ଭୁବନେଶ୍ୱର(ଚିନ୍ମୟ ମହାପାତ୍ର): ସେପ୍ଟେମ୍ବର ମାସରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ସଂସଦ ଢାଞ୍ଚାରେ ଅଧିବେଶନ ବସିବ ନା ଆଉ କିଛି ପନ୍ଥାକୁ ଆପଣାଯିବ ସେନେଇ ବିଚାରବିମର୍ଷ କରୁଛନ୍ତି ବାଚସ୍ପତି । ତେବେ, କରୋନା ପାଇଁ ବିଧାନସଭା ଭିତରେ କି ଲୋକସେବା ଭବନର ନୂତନ କକ୍ଷରେ ଅଧିବେଶନ ବସିବ ତାହା ଏପର୍ଯ୍ୟନ୍ତ ସ୍ଥିର  ହୋଇନାହିଁ । ତାରିଖ ସ୍ଥିର ହେବା ପରେ ସବୁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ତୁରନ୍ତ ଅଧିବେଶନ ଆରମ୍ଭ କରିବାକୁ ବିରୋଧୀ ଦାବି କରିଛନ୍ତି ।

କେବେ ବସିବ ବିଧାନସଭାର ମୌସୁମୀ ଅଧିବେଶନ ?

ବିଧାନସଭା ପରିସର ନା ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ହେବ ଅଧିବେଶନ । ଏନେଇ ପୁଣି ଆରମ୍ଭ ହୋଇଛି ବିଚାରବିମର୍ଷ । ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ସ୍ଥିର ହେବା ପରେ ଏ ଚର୍ଚ୍ଚା ଜୋର ଧରିଛି । କୋଭିଡ୍ ନିୟମ ଓ ସାମାଜିକ ଦୂରତା ବଜାୟ ରଖି ତୁରନ୍ତ ବିଧାନସଭା ଅଧିବେଶନ ଡକାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ତାରିଖ ସ୍ଥିର ହୋଇନଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ପ୍ରସଙ୍ଗ ତାଲିକା ସହ  ଗୃହରେ ଶାସକ ଦଳକୁ ଘେରିବା ପାଇଁ ସଜବାଜ ଆରମ୍ଭ କରିଛନ୍ତି । ସେପଟେ ନିୟମ ଅନୁସାରେ ଅଧିବେଶନ ହେବ ଓ ବିରୋଧୀ ଯାହା ପ୍ରସଙ୍ଗ ଆଣିବେ ତାହା ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ବୋଲି କହିଛି ବିଜେଡି ।

ସେପଟେ ବିଧାନସଭା ଅଧିବେଶନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ତେବେ ତାରିଖ ସ୍ଥିର ହେବା ପରେ ଅଧିବେଶନ ବିଧାନସଭା ଭିତରେ ବସିବ କି ବାହାରେ ବସିବ ତାହା ସ୍ଥିର ହେବ । ଏହାସହ ଅଧିବେଶନରେ ଗଣମାଧ୍ୟମକୁ ଅନୁମତି ଦିଆଯିବ କି ନାହିଁ ସେ ନିଷ୍ପତ୍ତି ନିଆଯିବ ।

କୋଭିଡ୍ ୧୯ ଯୋଗୁଁ ପ୍ରଥମଥର ଲାଗି ବଜେଟ୍ ଅଧିବେଶନ ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ବସିଥିଲା । ତେବେ ସେଠାରେ ୧୩୭ ଜଣ ବସିବାର ବ୍ୟବସ୍ଥା ଅଛି । ଯଦି ଆବଶ୍ୟକ ପଡ଼ିବ ସେଠାରେ ଅଧିବେଶନ ବସିପାରେ । ସେହିପରି କୋଭିଡ଼ ନିୟମ ଭିତରେ ଅଧିବେଶନ କରିବାକୁ ହେଲେ ବିଧାନସଭାର ପ୍ରେସ୍ ଗ୍ୟାଲେରୀ ଓ ଦର୍ଶକ ଗ୍ୟାଲେରୀ ବ୍ୟବହାର କରି ବିଧାୟକ ବସିବାର ବ୍ୟବସ୍ଥା ହୋଇପାରେ ବୋଲି କହିଛନ୍ତି ବାଚସ୍ପତି । ବର୍ଷକୁ ୬୦ ଦିନ ବିଧାନସଭା ବସିବାର ନିୟମ ଥିବାରୁ ସେପ୍ଟେମ୍ବର ୩୦ ତାରିଖ ଭିତରେ ଅଧିବେଶନ ବସିବା ନିଶ୍ଚିତ ।

Leave a Reply