ରାଜନୀତିରୁ ଧର୍ମକୁ ଭିନ୍ନ ନକଲେ ବଢିବ ଘୃଣା ରାଜନୀତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ ସ୍ପିଚକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ହେଟ ସ୍ପିଚକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଧର୍ମ ଠାରୁ ରାଜନୀତିକୁ ଦୁରେଇବାକୁ ପଡିବ । ଧର୍ମରେ ରାଜନୀତି ମିଶିଲେ ହେଟ ସ୍ପିଚର ସୃଷ୍ଟି ହେଉଛି ବୋଲି କହିବା ସହ ସୁପ୍ରିମକୋର୍ଟ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଜନେତା କେବଳ ଶାସନ କରିବା ପାଇଁ ଧର୍ମକୁ ରାଜନୀତିରେ ମିଶ୍ରଣ କରୁଛନ୍ତି । ଯଦି ସରକାରଙ୍କୁ ସୁପର ପାଓ୍ବାର ହେବାର ଅଛି ତାହେଲେ ପ୍ରଥମେ ଆଇନ କାନୁନ ଶାସନ ଚାଲିଛି ବୋଲି ବିଶ୍ବାସ ସୃଷ୍ଟି କରିବାକୁ ହେବ ।

ଗୋ ଟୁ ପାକିସ୍ତାନ ଭଳି ବୟାନ ଯୋଗୁଁ ଆମେ ମାନେ କେତେ ତଳସ୍ତରକୁ ଯାଇଛେ ତାର ପ୍ରମାଣ ମିଳୁଛି । ଦେଶରେ ଜବାହାରଲାଲ ନେହେରୁ ଏବଂ ବାଜପେୟୀଙ୍କ ଭଳି ନେତା ଥିଲେ, ଯେଉଁମାନଙ୍କ ଭାଷଣ ଶୁଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ । ସେମାନଙ୍କ ଭାଷଣରେ ନୈତିକତା ଥିଲା । ଏବେ ନେତାଙ୍କର ହେଟସ୍ପିଚ ଶୁଣିବା ପାଇଁ ଲୋକେ ଏକାଠି ହେଉଛନ୍ତି ବୋଲି ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି । ଲୋକଙ୍କୁ ଏସବୁ ତତ୍ବରୁ ନିଜକୁ ଦୁରେଇ ରଖିବାକୁ ପଡିବ।

ସମାଜରେ କେହି କାହାକୁ ଧର୍ମ ନାଁରେ ଅପମାନିତ କରିପାରିବେ ନାହିଁ । ଯଦି ଏଭଳି ଘଟଣା ଘଟୁଛି ରାଜ୍ୟ ସରକାର ମାନେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ରାଜ୍ୟ ଗୁଡିକ ଶକ୍ତିହୀନ ହେବା ସହ ନଂପୁସକ ହୋଇଗଲେଣି । ଯଦି ରାଜ୍ୟ ସରକାର ଚୁପ ରହୁଛନ୍ତି, ତେବେ ସେମାନଙ୍କୁ ରାଜ୍ୟ ବୋଲି କାହିଁକି କୁହାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବର୍ତ୍ତମାନ ସମୟରେ ହେଟ ସ୍ପିଚ ରାଜନୀତି ପାଲଟିଗଲାଣି । ଏହା ଉପରେ ବ୍ରେକ ଲଗାଇବା ନିହାତି ଦରକାର । ଧର୍ମକୁ ରାଜନୀତିଠୁ ନ ଦୂରେଇଲେ ହେଟ ସ୍ପିଚ ବଢିବ ବୋଲି କୋର୍ଟ କହିଛନ୍ତି।

ହେଟସ୍ପିଚ କମାଇବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି କାହିଁକି ପ୍ରସ୍ତୁତ କରୁନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଦେଶରେ ଆଗରୁ ଭାଇଚାରାର ଭାବନା ଅତ୍ୟଧିକ ଥିଲା । କିନ୍ତୁ ଏବେ ଭାଇଚାରାର ଭାବନାରେ ଫାଟ ସୃଷ୍ଟି ହେଲାଣି ବୋଲି ବିଚାରପତି ନାଗରତ୍ନା ଦୁଃଖର ସହ କହିଛନ୍ତି । ହେଟସ୍ପିଚ ନେଇ ମାନହାନୀ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ବିଚାରପତି ।