କାହିଁକି ବିଶ୍ବକପରେ ଭୂତ ସାଜି ଡରାଉଛି ନ୍ୟୁଜିଲାଣ୍ଡ ? ଏହି ୫ ଘଟଣା ଭାଙ୍ଗି ଦେଇଥିଲା ହୃଦୟ

ବିଶ୍ବକପରେ ଲଗାତର ୯ଟି ମୁକାବଲା ଜିତି ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ  । ସେପଟେ ଭାରତୀୟ ଫ୍ୟାନ୍ସଙ୍କ ଛାତିରେ ଛନକା ପଶିଛି  । ଏକାଧିକ ଥର ସେମିରେ ନିରାଶ ହେବା ପରେ ଏଥର ବି ଆଶା ଆଶଙ୍କାରେ ଭାରତୀୟ ଟିମ୍‌  । କେବଳ ୨୦୧୯ ବିଶ୍ବକପ ସେମିଫାଇନାଲ ନୁହେଁ ଅନେକ ଥର କିୱି ଟିମ୍‌ ଠୁ ହାରି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି ଇଣ୍ଡିଆ  । ଏଥର ପୁଣି ଥରେ କିୱି ଟିମ୍‌ ସହ ମୁହାଁମୁହିଁ ହେବ ମେନ୍‌ ଇନ ବ୍ଲୁ  ।

୨୦୨୧ ଟି ୨୦ ବିଶ୍ବକପ

ଦୁବାଇରେ ସୁପର ୧୨ ମୁକାବିଲାରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡର ଘାତକ ବୋଲିଂ ଭାରତୀୟ ଟିମ୍‌କୁ ମାତ୍ର ୧୧୦ ରନ୍‌ରେ ଅଟକାଇ ଦେଇଥିଲା  । କେଏଲ ରାହୁଲ ମାତ୍ର ୧୮ ରନ୍‌ କରି ପାଭିଲିଅନ ଫେରିଥିବା ବେଳେ ୧୪ ରନ୍‌ କରି ସୋଢୀଙ୍କ ଶିକାର ହୋଇଥିଲେ ରୋହିତ ଶର୍ମା  । ଏହାର ଜବାବରେ ଡେରିଲ ମିସେଲ ଓ ଅଧିନାୟକ ୱିଲିୟମସନ୍‌ଙ୍କ ଯୋଡି ୭୨ ରନ ସଂଗ୍ରହ କରିଥିଲେ  । ଅତି ଦୟନୀୟ ଭାବେ କିୱି ଟିମ୍‌ ଠୁ ହାରି ସେମିଫାଇନାଲ ରେସ୍‌ରୁ ବିଦା ହୋଇଥିଲା ଭାରତୀୟ ଟିମ  ।

୨୦୨୧ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ

ସେହିପରି ଆଇସିସି ବିଶ୍ବଟେଷ୍ଟ ଚାମ୍ପିଅନସିପର ଉଦଘାଟନ ସଂସ୍କରଣର ଫାଇନାଲରେ ବି ଏଭଳି କିଛି ଦେଖିବାକୁ ମିଳିଥିଲା  । ନ୍ୟୁଜିଲାଣ୍ଡ ଠୁ ହାରି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ କ୍ରିକେଟର  । ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା  । ହେଲେ ମାତ୍ର ୨୧୭ ରନ ସଂଗ୍ରହ କରଥିଲା ଟିମ୍‌  । କିୱିର ଦ୍ରୁତ ବୋଲର ସାଉଦି, ଟ୍ରେଟ ବୋଲ୍ଟ, ଜେମିସନ ଓ ନୀଲ ବେଗନରଙ୍କ ସାମନାରେ ତିଷ୍ଠି ପାରିନଥିଲେ ଭାରତୀୟ ଖେଳାଳୀ  । ୱିଲିୟମସନ ଓ ଟେଲରଙ୍କ ଶକ୍ତିଶାଳୀ ପାର୍ଟନରସିପ ବଳରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ  ।

୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ

ୱିଲିୟମସନ ଓ ରସ୍‌ ଟେଲରଙ୍କ ପାର୍ଟନରସିପ ମଧ୍ୟରେ ନ୍ୟୁଜିଲାଣ୍ଡ ଟିମ ୮ ୱିକେଟ ହରାଇ ୨୩୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା  । ମଜାଦାର କଥା ହେଉଛି ଯେ ବର୍ଷା କାରଣରୁ ୪୬.୧ ଓଭର ପରେ ଖେଳ ବାତିଲ ହୋଇଯାଇଥିଲା  । ଏହାର ପରଦିନ ଭାରତ ସହଜରେ ଟାର୍ଗେଟ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା  । କିନ୍ତୁ ଭାରତର ବ୍ୟାଟିଂ ସମୟରେ ପାଗ ଖରାପ ଯୋଗୁଁ ଏହାର ଫାଇଦା ନେଇଥିଲେ କିୱି ବୋଲର  ।ଜଣକ ପରେ ଜଣେ ବ୍ୟାଟସମ୍ୟାନ୍‌ ପାଭିଲିଅନକୁ ଫେରି ଭାରତୀୟ ଟିମ୍‌କୁ ଦୁର୍ବଳ କରି ଦେଇଥିଲେ  । ଭାରତ ୪୯.୩ ଓବରରେ ୨୨୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା  । ଧୋନିଙ୍କ ରନ୍‌ ଆଉଟ ମ୍ୟାଚର ଟର୍ଣ୍ଣି୍ଂ ପଏଣ୍ଟ ରହିଥିଲା  ।

୨୦୧୬ ଟି ୨୦ ବିଶ୍ବକପ

ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା  । ଭାରତୀୟ ଟିମର ଘାତକ ବୋଲିଂରେ ମାତ୍ର ୧୨୬ ରନ କରି ୭ ୱିକେଟ ହରାଇଥିଲା  । ଭାରତ ପାଇଁ ଏହା ଏକ ସହଜ ଲକ୍ଷ୍ୟ ବୋଲି ମନେ ହେଉଥିଲା  । କିନ୍ତୁ ଆଶାନୁରୂପ ଫଳ ପାଇନଥିଲା ଭାରତୀୟ ଟିମ୍‌  । ଅଧିନାୟକ ମହେନ୍ଦ୍ର ସିଂ ଧୋନି, ବିକାଟ କୋହଲି ଓ ଅଶ୍ବିନୀଙ୍କୁ ବାଦ୍‌ ଦେଲେ ଭାରତୀୟ ବ୍ୟାଟସମ୍ୟାନ ଦୁଇ ଅଙ୍କ ରନ୍‌ ଛୁଇଁ ପାରିନଥିଲେ । ୧୮ ଓଭରରେ ମାତ୍ର ୭୯ ରନ ସଂଗ୍ରହ କରି ଲଜ୍ୟାଜନକ ପରାଜୟର ସାମନା କରିଥିଲା ଟିମ ଇଣ୍ଡିଆ  ।

୨୦୦୦ ଆଇସିସି ନକଆଉଟ ଫାଇନାଲ

ଦମଦାର ବ୍ୟାଟିଂରୁ ଓପନର ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକର ଭାରତର ବିଜୟ ଏକ ପ୍ରକାର ସୁନିଶ୍ଚିତ କରିଥିଲେ  । ଅଧିନାୟକ ୧୧୭ ରନ କରିଥିବାବେଳେ ଦୁହିଁଙ୍କ ପାର୍ଟନରସିପ୍‌ ୧୪୧ ରନ ସଂଗ୍ରହ କରିଥିଲା  ।

କିନ୍ତୁ ଦୁଇ ଖେଳାଳୀ ଆଉଟ୍‌ ହେବା ପରେ ଭାରତର ମିଡିଲ ଅର୍ଡର ବିପର୍ଯ୍ୟସ୍ତ ହୋଇପଡିଥିଲା  । ୫୦ ଓଭରରେ ୬ ୱିକେଟ ହରାଇ ଭାରତୀୟ ଟିମ ୨୬୪ ରନ ସଂଗ୍ରହ କରିଥିଲା  । ଏହାର ଜବାବରେ ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ୧୩୨ ରନରେ ସଂଘର୍ଷ କରୁଥିଲା  କିନ୍ତୁ ଅଲରାଉଣ୍ଡର କ୍ରିସ କେନର୍ସ ୧୧୩ ବଲରେ ୧୦୨ ରନ କରି କିୱିଟିମକୁ ବିଜୟ ଉପହାର ଦେଇଥିଲେ  ।