କାହିଁକି ବିଶ୍ବକପରେ ଭୂତ ସାଜି ଡରାଉଛି ନ୍ୟୁଜିଲାଣ୍ଡ ? ଏହି ୫ ଘଟଣା ଭାଙ୍ଗି ଦେଇଥିଲା ହୃଦୟ
ବିଶ୍ବକପରେ ଲଗାତର ୯ଟି ମୁକାବଲା ଜିତି ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ସେପଟେ ଭାରତୀୟ ଫ୍ୟାନ୍ସଙ୍କ ଛାତିରେ ଛନକା ପଶିଛି । ଏକାଧିକ ଥର ସେମିରେ ନିରାଶ ହେବା ପରେ ଏଥର ବି ଆଶା ଆଶଙ୍କାରେ ଭାରତୀୟ ଟିମ୍ । କେବଳ ୨୦୧୯ ବିଶ୍ବକପ ସେମିଫାଇନାଲ ନୁହେଁ ଅନେକ ଥର କିୱି ଟିମ୍ ଠୁ ହାରି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଛି ଇଣ୍ଡିଆ । ଏଥର ପୁଣି ଥରେ କିୱି ଟିମ୍ ସହ ମୁହାଁମୁହିଁ ହେବ ମେନ୍ ଇନ ବ୍ଲୁ ।
୨୦୨୧ ଟି ୨୦ ବିଶ୍ବକପ
ଦୁବାଇରେ ସୁପର ୧୨ ମୁକାବିଲାରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡର ଘାତକ ବୋଲିଂ ଭାରତୀୟ ଟିମ୍କୁ ମାତ୍ର ୧୧୦ ରନ୍ରେ ଅଟକାଇ ଦେଇଥିଲା । କେଏଲ ରାହୁଲ ମାତ୍ର ୧୮ ରନ୍ କରି ପାଭିଲିଅନ ଫେରିଥିବା ବେଳେ ୧୪ ରନ୍ କରି ସୋଢୀଙ୍କ ଶିକାର ହୋଇଥିଲେ ରୋହିତ ଶର୍ମା । ଏହାର ଜବାବରେ ଡେରିଲ ମିସେଲ ଓ ଅଧିନାୟକ ୱିଲିୟମସନ୍ଙ୍କ ଯୋଡି ୭୨ ରନ ସଂଗ୍ରହ କରିଥିଲେ । ଅତି ଦୟନୀୟ ଭାବେ କିୱି ଟିମ୍ ଠୁ ହାରି ସେମିଫାଇନାଲ ରେସ୍ରୁ ବିଦା ହୋଇଥିଲା ଭାରତୀୟ ଟିମ ।
୨୦୨୧ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ
ସେହିପରି ଆଇସିସି ବିଶ୍ବଟେଷ୍ଟ ଚାମ୍ପିଅନସିପର ଉଦଘାଟନ ସଂସ୍କରଣର ଫାଇନାଲରେ ବି ଏଭଳି କିଛି ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ଠୁ ହାରି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲେ ଭାରତୀୟ କ୍ରିକେଟର । ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ମାତ୍ର ୨୧୭ ରନ ସଂଗ୍ରହ କରଥିଲା ଟିମ୍ । କିୱିର ଦ୍ରୁତ ବୋଲର ସାଉଦି, ଟ୍ରେଟ ବୋଲ୍ଟ, ଜେମିସନ ଓ ନୀଲ ବେଗନରଙ୍କ ସାମନାରେ ତିଷ୍ଠି ପାରିନଥିଲେ ଭାରତୀୟ ଖେଳାଳୀ । ୱିଲିୟମସନ ଓ ଟେଲରଙ୍କ ଶକ୍ତିଶାଳୀ ପାର୍ଟନରସିପ ବଳରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ ।
୨୦୧୯ ଦିନିକିଆ ବିଶ୍ବକପ ସେମିଫାଇନାଲ
ୱିଲିୟମସନ ଓ ରସ୍ ଟେଲରଙ୍କ ପାର୍ଟନରସିପ ମଧ୍ୟରେ ନ୍ୟୁଜିଲାଣ୍ଡ ଟିମ ୮ ୱିକେଟ ହରାଇ ୨୩୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ମଜାଦାର କଥା ହେଉଛି ଯେ ବର୍ଷା କାରଣରୁ ୪୬.୧ ଓଭର ପରେ ଖେଳ ବାତିଲ ହୋଇଯାଇଥିଲା । ଏହାର ପରଦିନ ଭାରତ ସହଜରେ ଟାର୍ଗେଟ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଭାରତର ବ୍ୟାଟିଂ ସମୟରେ ପାଗ ଖରାପ ଯୋଗୁଁ ଏହାର ଫାଇଦା ନେଇଥିଲେ କିୱି ବୋଲର ।ଜଣକ ପରେ ଜଣେ ବ୍ୟାଟସମ୍ୟାନ୍ ପାଭିଲିଅନକୁ ଫେରି ଭାରତୀୟ ଟିମ୍କୁ ଦୁର୍ବଳ କରି ଦେଇଥିଲେ । ଭାରତ ୪୯.୩ ଓବରରେ ୨୨୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଧୋନିଙ୍କ ରନ୍ ଆଉଟ ମ୍ୟାଚର ଟର୍ଣ୍ଣି୍ଂ ପଏଣ୍ଟ ରହିଥିଲା ।
୨୦୧୬ ଟି ୨୦ ବିଶ୍ବକପ
ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମର ଘାତକ ବୋଲିଂରେ ମାତ୍ର ୧୨୬ ରନ କରି ୭ ୱିକେଟ ହରାଇଥିଲା । ଭାରତ ପାଇଁ ଏହା ଏକ ସହଜ ଲକ୍ଷ୍ୟ ବୋଲି ମନେ ହେଉଥିଲା । କିନ୍ତୁ ଆଶାନୁରୂପ ଫଳ ପାଇନଥିଲା ଭାରତୀୟ ଟିମ୍ । ଅଧିନାୟକ ମହେନ୍ଦ୍ର ସିଂ ଧୋନି, ବିକାଟ କୋହଲି ଓ ଅଶ୍ବିନୀଙ୍କୁ ବାଦ୍ ଦେଲେ ଭାରତୀୟ ବ୍ୟାଟସମ୍ୟାନ ଦୁଇ ଅଙ୍କ ରନ୍ ଛୁଇଁ ପାରିନଥିଲେ । ୧୮ ଓଭରରେ ମାତ୍ର ୭୯ ରନ ସଂଗ୍ରହ କରି ଲଜ୍ୟାଜନକ ପରାଜୟର ସାମନା କରିଥିଲା ଟିମ ଇଣ୍ଡିଆ ।
୨୦୦୦ ଆଇସିସି ନକଆଉଟ ଫାଇନାଲ
ଦମଦାର ବ୍ୟାଟିଂରୁ ଓପନର ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକର ଭାରତର ବିଜୟ ଏକ ପ୍ରକାର ସୁନିଶ୍ଚିତ କରିଥିଲେ । ଅଧିନାୟକ ୧୧୭ ରନ କରିଥିବାବେଳେ ଦୁହିଁଙ୍କ ପାର୍ଟନରସିପ୍ ୧୪୧ ରନ ସଂଗ୍ରହ କରିଥିଲା ।
କିନ୍ତୁ ଦୁଇ ଖେଳାଳୀ ଆଉଟ୍ ହେବା ପରେ ଭାରତର ମିଡିଲ ଅର୍ଡର ବିପର୍ଯ୍ୟସ୍ତ ହୋଇପଡିଥିଲା । ୫୦ ଓଭରରେ ୬ ୱିକେଟ ହରାଇ ଭାରତୀୟ ଟିମ ୨୬୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ୧୩୨ ରନରେ ସଂଘର୍ଷ କରୁଥିଲା କିନ୍ତୁ ଅଲରାଉଣ୍ଡର କ୍ରିସ କେନର୍ସ ୧୧୩ ବଲରେ ୧୦୨ ରନ କରି କିୱିଟିମକୁ ବିଜୟ ଉପହାର ଦେଇଥିଲେ ।