ଅଟା କେଜି ପିଛା ୬ ଟଙ୍କା ବୃଦ୍ଧି, ସୁଜି ଓ ମଇଦା ଦର ବି ବଢିଲା

1 min read

ଭୁବନେଶ୍ବର: ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଋଷ-ୟୁକ୍ରେନକୁ ୟୁରୋପର ‘ରୁଟି ଝୁଡି’ ବୋଲି କୁହାଯାଇଥାଏ। ବିଶ୍ବ ବଜାରରେ ରହିଥିବା ଗହମର ୨୯% ଏବଂ ମକାର ୧୯% ମାଲିକ ହେଉଛନ୍ତି ୟୁକ୍ରେନ ଏବଂ ଋଷ।

ଏହି କାରଣରୁ ଋଷ ଏବଂ ୟୁକ୍ରେନରୁ ଗହମ ରପ୍ତାନି ମଧ୍ୟ ଯୁଦ୍ଧ ହେତୁ ପ୍ରଭାବିତ ହୋଇଛି। ଫଳରେ ଘରୋଇ ବଜାରରେ ଏବେ ଅଟା ମହଙ୍ଗା ହେବାରେ ଲାଗିଛି। ଏହି କାରଣରୁ ଗତ ୧୫ ଦିନ ମଧ୍ୟରେ ବଜାରରେ ଅଟା ଏବଂ ମଇଦା କିଲୋ ପିଛା ୬ ଟଙ୍କା ବଢ଼ିଯାଇଛି। ଗହମ କ୍ବିଣ୍ଟାଲ ପିଛା ୫୦୦ ଟଙ୍କା ମହଙ୍ଗା ହେବା ଯୋଗୁ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ରୁଟି ଖାଇବା ମହଙ୍ଗା ହେବ। ଏହାଛଡା ଗହମ ମୂଲ୍ୟ ବଢ଼ିବା ପରେ ଆଗାମୀ ଦିନରେ  ବିସ୍କୁଟ୍‌ ଦର ମଧ୍ୟ ବୃଦ୍ଧି ପାଇବ।

ଋଷ-ୟୁକ୍ରେନ ଯୁଦ୍ଧରେ ଦେଶକୁ ଗହମ ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛି ଏବଂ ଆଗାମୀ ଦିନରେ ଗହମ ଯୋଗାଣ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଗହମ  କ୍ବିଣ୍ଟାଲ ପିଛା ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ଘଟିଛି।  ମାତ୍ର ୧୫ ଦିନ ମଧ୍ୟରେ ଏହା କ୍ବିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି। ଘରୋଇ ବଜାରରେ ଅଟା କିଲୋଗ୍ରାମ ପିଛା ୬ ଟଙ୍କା ମହଙ୍ଗା ହୋଇଛି।

ଫଳରେ ବଜାରରେ ଅଟା କିଲୋ ପିଛା ୩୨ ଟଙ୍କାରେ ପହଞ୍ଚିଛି, ଯାହା ୧୫ ଦିନ ପୂର୍ବରୁ ୨୬ ଟଙ୍କା ପାଖାପାଖି ରହିଥିଲା। କେବଳ ଏତିକି ନୁହେଁ ବଜାରରେ ସୁଜି ଏବଂ ମଇଦା ଦର ମଧ୍ୟ ବୃଦ୍ଧି ପାଇଛି। ସୁଜି କିଲୋ ପିଛା ୩୬ ଟଙ୍କା ହୋଇଛି। ୧୫ ଦିନ ତଳେ ସୁଜି କିଲୋ ପ୍ରତି ୩୨ ଟଙ୍କା ରହିଥିଲା।

ଅପରପକ୍ଷେ ଗହମ ମୂଲ୍ୟ ବଢ଼ିବା ପରେ ବଜାରରେ ଏବେ ବିସ୍କୁଟ, ନୁଡୁଲ୍ସ, ପାଉଁରୁଟି, ପିଜା ଭଳି ଗହମରୁ ନିର୍ମିତ ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଯାଇଛି।  ଇତି ମଧ୍ୟରେ ନେସ୍‌ଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକ୍ ମୂଲ୍ୟ ୧୨ ରୁ ୧୪ ଟଙ୍କାକୁ ବୃଦ୍ଧି କରିଛି। ଖାଲି ଏତିକି ନୁହେଁ ମ୍ୟାଗିର ବ୍ୟକ୍ତିଗତ ପ୍ୟାକ୍ ମୂଲ୍ୟ ୯ରୁ ୧୬%କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ ଖୁବ୍‌ ଶୀଘ୍ର ବଜାରରେ ପାର୍ଲେ-ଜି ବିସ୍କୁଟ ମଧ୍ୟ ମହଙ୍ଗା ହୋଇପାରେ। ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ସମ୍ପ୍ରତି ଋଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଯୋଗାଣ ସଙ୍କୁଚିତ ହେବାର ସମ୍ଭାବନା ଦେଖାଦେଇଛି। ଇତି ମଧ୍ୟରେ କମ୍ପାନୀଗୁଡିକ ଅଟା ଦର କିଲୋ ପିଛା ପାଖାପାଖି ୬ ଟଙ୍କା ବଢ଼ାଇ ଦେଇଛନ୍ତି।

 

ମାର୍ଚ୍ଚ ୧୪ରେ କେନ୍ଦ୍ର ସରକାର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିଛନ୍ତି। ଫେବୃଆରୀରେ ସାଧାରଣ ଲୋକ ମୁଦ୍ରାସ୍ଫୀତି ଜନିତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଏବଂ ତେଜରାତି ସାମଗ୍ରୀ  ପର୍ଯ୍ୟନ୍ତ ସବୁକିଛିର ଦର  ମହଙ୍ଗା ହୋଇଗଲା। ଫେବୃଆରୀରେ ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତର ୬.୦୭%କୁ ବୃଦ୍ଧି ପାଇଛି। ଜୁନ୍ ୨୦୨୧ରେ ଏହା ୬.୨୬% ରହିଥିଲା।