ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି
ରାଉରକେଲା: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି । ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ । ଏଫଏକ୍ୟୁ ମାନର ମାଣ୍ଡିଆ କୁଇଣ୍ଟାଲ ପିଛା ୩୨୯୫ ଟଙ୍କାରେ କିଣାଯିବ । ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଶୁକ୍ରବାର ଦିନ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜଣେ ଚାଷୀଙ୍କଠାରୁ ହେକ୍ଟର ପିଛା ସର୍ବାଧିକ ୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଣ୍ଡିଆ କିଣାଯିବ । ଚଳିତ ବର୍ଷ ଡିସେମ୍ବର ୧୨ରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ଭିତରେ ମାଣ୍ଡିଆ କ୍ରୟ କରାଯିବ ।
ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ପାଇଁ ଚାଷୀମାନେ ଲ୍ୟାମ୍ପସ ମାଧ୍ୟମରେ ନିଜର ନାଁ ପଞ୍ଜୀକୃତ କରିବେ । ଏନେଇ ଅକ୍ଟୋବର ୨୦ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ । ଚାଷୀମାନେ ଚାହିଁଲେ ଭିଏଡବ୍ଲ୍ୟୁ, ସହକାରୀ କୃଷି ଅଧିକାରୀ, ଆରଏମସି, ଲ୍ୟାମ୍ପସ କିମ୍ବା କୃଷି ବିଭାଗ ଦ୍ୱାରା ଅନୁବନ୍ଧିତ ସାମାଜିକ ସଙ୍ଗଠନର ସହଯୋଗ ନେଇ ନାଁ ପଞ୍ଜୀକୃତ କରିପାରିବେ । ପଞ୍ଜୀକରଣ ବେଳେ ଚାଷୀଙ୍କୁ ଫର୍ମ ପୂରଣ କରିବା ସହ ନିଜର ଜମି ପଟ୍ଟା, ଭୋଟର ପରିଚୟପତ୍ର, ଜାତୀୟକରଣ ବ୍ୟାଙ୍କ ଖାତାର ପ୍ରଥମ ପୃଷ୍ଠା, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ଦେବାକୁ ପଡ଼ିବ ।
ଏହି ବୈଠକରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିଏମଏଫ ସିଇଓ ଏବଂ ଡିଆରସିଏସଙ୍କ ସମେତ କୃଷି ବିଭାଗ, ଟିଡିସିସି, ପୁଷ୍ଟିଶସ୍ୟ ମିଶନ ଏବଂ ମାଣ୍ଡିଆ ଚାଷ ସହ ସଂପୃକ୍ତ ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ୮ଟି ବ୍ଲକରେ ୨୫୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି । ବାଲିଶଙ୍କରା, ହେମଗିରି, ଟାଙ୍ଗରପାଲି, ଲେଫ୍ରିପଡ଼ା, କୁଆରମୁଣ୍ଡା, କୁତ୍ରା, ରାଜଗାଙ୍ଗପୁର ଏବଂ ନୂଆ ଗାଁ ବ୍ଲକର ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ମାଣ୍ଡିଆ କିଣାଯିବ । ବର୍ତ୍ତମାନ ମଣ୍ଡି ମାଧ୍ୟମରେ ସରକାର କିଣୁଥିବା ମାଣ୍ଡିଆକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରାଯାଉଛି। ତା’ସହିତ ସୁନ୍ଦରଗଡ଼ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ମାଣ୍ଡିଆ ଲଡ଼ୁ ବଣ୍ଟନ କାର୍ଯ୍ୟକ୍ରମ ଲାଗି ଏହା ବ୍ୟବହାର କରାଯିବ।