ଆପଣଙ୍କ ମୋବାଇଲରେ ରହିଛି କି ହ୍ୱାଟ୍ସଆପ୍ ? ହେଉଛି ଡାଟା ଚୋରୀ, ପଢନ୍ତୁ କଣ କରିବେ ?
1 min readନୂଆଦିଲ୍ଲୀ : ୪ଶହ ମିଲିୟନ ଭାରତୀୟ ବ୍ୟବହାରକାରୀଙ୍କ ଲାଇଫ୍ ଲାଇନ ପାଲଟିଥିବା ବିଶ୍ୱର ଲୋକପ୍ରିୟ ଆପ୍ଲିକେସନ୍ ହ୍ବାଟସ୍ଆପକୁ ନେଇ ଝଡ଼ । ଏହା ଜରିଆରେ ମୋଦି ସରକାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରୁଥିବା ନେଇ ସାଙ୍ଘାତିକ ଆରୋପ ଲଗାଇଛି କଂଗ୍ରେସ । ଯାହାକୁ ନେଇ ସୃଷ୍ଟି ହୋଇଛି ରାଜନୀତିକ ଘମାସାନ । କିଛି ଦିନ ହେବ ନୀରବ ଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ପ୍ରସଙ୍ଗ ସହ ପୁଣି ରାଫେଲକୁ ଯୋଡ଼ି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାପରେ ପ୍ରାଇଭେସିକୁ ନେଇ ଦେଶରେ ଚାଲିଥିବା ବଡ଼ ବିତର୍କ ନିଆଁରେ ପୁଣି ଥରେ ଢାଳି ହୋଇଛି ଘିଅ । ଏଯାଏ ଯେଉଁମାନଙ୍କ ଧାରଣା ଥିଲା ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଓ ବାର୍ତ୍ତାଳପ ହ୍ବାଟସଆପ୍ ଜରିଆରେ ସୁରକ୍ଷିତ, ସେମାନଙ୍କ ଭରସା ଏକ ଲମ୍ବା ଆଶଙ୍କା ଆଡ଼କୁ ଠେଲି ହୋଇଯାଇଛି ।
ଏ ସଂପର୍କତ ଅଭିଯୋଗକୁ ସ୍ୱୀକାର କରିଛନ୍ତି ହ୍ୱାଟସଆପ ଅଧିକାରୀ । ଇସ୍ରାଏଲ କମ୍ପାନୀ NSO ଗ୍ରୁପ ଏକ ହ୍ୟାକିଂ ସଫ୍ଟଓ୍ବୟାର ଜରିଆରେ ପାଖାପାଖି ୧୪ଶହ ଲୋକଙ୍କ ଫୋନ୍ ହ୍ୟାକ କରିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିଛି । ଯାହାକୁ ନେଇ NSO ଗ୍ରୁପ ନାଁରେ ଆମେରିକାରେ ମାମଲା ରୁଜୁ କରିଛି ହ୍ୱାଟସଆପ୍ । ଭାରତରେ ବ୍ୟକ୍ତିଗତ ତଥ୍ୟ ଚୋରୀର ଶିକାର ହୋଇଥିବା ବ୍ୟବହାରକାରୀଙ୍କ ଭିତରେ ଅଛନ୍ତି ଦେଶର ଲବ୍ଧପ୍ରତିଷ୍ଠିତ ସରକାରୀ ଅଧିକାରୀ, ବିରୋଧୀ ଦଳ ନେତା, ବିଚାରପତି, ଆଇନଜୀବୀ, ସାମ୍ବାଦିକ, ସୂଚନା ଓ ମାନବାଧିକାର କର୍ମୀ । ଯଦିଓ ଏଯାଏ କେତେ ଭାରତୀୟଙ୍କ ତଥ୍ୟ ଚୋରୀ ହୋଇଛି ସେ ସଂପର୍କରେ ହ୍ୱାଟସଆପ ତଥ୍ୟ ପ୍ରଦାନ କରିନି କିନ୍ତୁ କିଛି ପୀଡ଼ିତ ଏହାକୁ ନେଇ ସାମ୍ନାକୁ ଆସିଛନ୍ତି । ଏବଂ ଅଭିଯୋଗ ହୋଇଛି କେନ୍ଦ୍ର ସରକାର ନିଜ ଏଜେନ୍ସି ଜରିଆରେ ଏମାନଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନଙ୍କ ନାଁରେ ଅର୍ବାନ ନକ୍ସଲର ମାମଲା ଚାଲିଛି ସେମାନେ ବି ଏଥିରେ ସାମିଲ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ବିସ୍ତୃତ ତଥ୍ୟ :
କେମିତି ହେଉଛି ହ୍ୟାକିଂ ?
-ଇସ୍ରାଏଲ ଗ୍ରୁପ NSO ଦ୍ବାରା ନିର୍ମିତ ସଫ୍ଟଓ୍ବୟାର ‘ପିଗାସସ୍’ ଜରିଆରେ ଫୋନ ହ୍ୟାକିଂ କରିଛି ଅପରେଟର
-ଏହି ସଫ୍ଟଓ୍ବୟାର ଜରିଆରେ ହ୍ୱାଟସଆପ୍ ସର୍ଭରକୁ ବାଇପାସ୍ କରିଛି NSO
-କମ୍ପାନୀ ପଠାଇଥିବା ଲିଙ୍କକୁ ୟୁଜର କ୍ଲିକ କଲେ ଆପେଆପେ ଇନଷ୍ଟଲ ହୋଇଯାଏ ପିଗାସସ୍ ଆପ୍
-ପିଗାସସ୍ ଇନଷ୍ଟଲ ହେବା ନେଇ କୌଣସି ବି ସୁରାକ ପାଆନ୍ତିନି ବ୍ୟବହାରକାରୀ
-ତାପରେ ହ୍ବାଟସଆପ୍ ୟୁଜର୍ର ସବୁ ତଥ୍ୟ ପହଁଚିଯାଏ ଏଜେନ୍ସି ପାଖରେ
-ଏଯାଏ ବିଶ୍ୱରେ ୧୪ ଶହ ଫୋନ୍ ଉପରେ ଜାସୁସି ହୋଇଥିବା ଅଭିଯୋଗ ରହିଛି
-୪ଟି ମହାଦେଶର ବଛା ବଛା ଲୋକ ଏଥିରେ ପୀଡ଼ିତ ଥିବା କୁହାଯାଉଛି
ଜାସୁସି ନେଇ ଏଯାଏ ମାନିଥିବା ଭାରତୀୟ:
ନିହାଲ ସିଂ ରୋଠୋର, ଆଇନଜୀବୀ
ବେଲା ଭାଟିଆ, ମାନବାଧିକାର କର୍ମୀ
ପ୍ରସାଦ ଚୌହାନ, ମାନବାଧିକାର କର୍ମୀ
NSO ଗ୍ରୁପ୍ର ସଫେଇ :
୧.ପିଗାସସ୍ ନାମକ ଜାସୁସି ସଫ୍ଟଓ୍ୱେୟାର ଜନକ ନେଇ ମାନିଛି NSO ଗ୍ରୁପ
୨.କିନ୍ତୁ ପ୍ରତିଷ୍ଠିତ ଭାରତୀୟଙ୍କ ଉପରେ ଏହାର ପ୍ରୟୋଗ ନେଇ ଅସ୍ୱୀକାର କରିଛି
୩.ଏହାର ଲାଇସେନ୍ସ ସରକାରୀ ଏଜେନ୍ସିକୁ ଦିଆଯାଇଥିବାର ଅଭିଯୋଗ ହୋଇଛି
କଣ ପଦକ୍ଷେପ ନେଇଛନ୍ତି ସରକାର ?
୧.ହ୍ୱାଟସ୍ଆପକୁ ନୋଟିସ୍ ପଠାଇଛି ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
୨.୪ ନଭେମ୍ବର ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି
୩.୨୦୧୯ ମେ’ ମାସର ଦୁଇ ସପ୍ତାହରେ ତଥ୍ୟ ଯୋଗାଡ଼ ହୋଇଥିବା ନେଇ ପଚରାଯାଇଛି
ନଜର ରହିବ ଏ ମାମଲାରେ କଣ ସଫେଇ ରଖୁଛି ହ୍ୱାଟସଆପ୍ ଓ କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି । ଯଦି ମୋଦି ସରକାର ଉପରେ କଂଗ୍ରେସର ଅଭିଯୋଗ ସତ ତାହାଲେ ସାଙ୍ଘାତିକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତଥ୍ୟ ସୁରକ୍ଷିତକୁ ନେଇ ପୂର୍ବରୁ ବାରମ୍ବାର ସଫେଇ ଦେଉଥିବା ହ୍ୱାଟସଆପ, ଏ ଘଟଣା ପରେ ଲୋକଙ୍କ ଆସ୍ଥା ବଳବତ୍ତର ରଖିପାରିବ ତ ?
ଏଇଠି ଆମେ ବ୍ୟବହାରକାରୀଙ୍କ ପାଇଁ କହିରଖୁଛୁ, ଆବଶ୍ୟକ ନଥିଲେ ହ୍ବାଟସଆପ୍ ଜରିଆରେ ଆପଣଙ୍କ ଅତି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସେୟାର କରନ୍ତୁ ନାହିଁ । ଯଦି ପଠାଉଛନ୍ତି ତୁରନ୍ତ ନିଜ ପଟରୁ ଡାଉନଲୋଡ କିମ୍ବା ସିନ୍ ପରେ ଡିଲିଟ୍ କରନ୍ତୁ । କୌଣସି ତଥ୍ୟ ସେଠାରେ ସେଭ୍ ରଖନ୍ତୁ ନାହିଁ । ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଏପରିକି ବ୍ୟାଙ୍କ ସମ୍ବନ୍ଧୀୟ କିଛି ସୂଚନା କିମ୍ବା ପାସଓ୍ବାର୍ଡ କେବେ ବି ସେୟାର କରନ୍ତୁ ନାହିଁ । ଯଥା ସମ୍ଭବ ଭାଇରାଲ ମ୍ୟାସେଜ୍, ଭାଇରାଲ ଭିଡ଼ିଓ ଓ ଭାଇରାଲ ଲିଙ୍କ୍କୁ ମୋବାଇଲ୍ରେ ଖୋଲନ୍ତୁ ନାହିଁ । ଏହା ସହ ଅଧିକ ଗ୍ରୁପ୍ ଓ ବଲ୍କ ମ୍ୟାସେଜ ଗ୍ରୁପ୍ରେ ଆଡମିନ୍ ନରହିବାକୁ ଚେଷ୍ଟା କରନ୍ତୁ । ')}