ପୁଣି ଫେରିଲା ପେଗାସସ ବିବାଦ, ଚୋରି ହୋଇଛି ଭାରତୀୟଙ୍କ ହ୍ବାଟ୍ସଆପ୍ ଡାଟା

ଭୁବନେଶ୍ବର : ଶହେ ଜଣ ଭାରତୀୟଙ୍କ ହ୍ବାଟସ୍ଆପ୍ ହ୍ୟାକ ହୋଇଛି ! ମେକସିକୋ ପରେ ଭାରତୀୟଙ୍କ ଡାଟା ଚୋରି ବିଶ୍ବରେ ଦ୍ବିତୀୟ । ୬ ବର୍ଷ ପରେ ପୁଣି ଥରେ ଫେରିଲା ପେଗାସସ୍ ବିବାଦ । ୨୦୧୯ରେ ଫେସ୍ବୁକ ଓ ହ୍ବାଟସ୍ଆପ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ପେଗାସସ୍ ବିକଶିତ କରିଥିବା ଇସ୍ରାଏଲି ସଂସ୍ଥା ଏନ୍ଏସ୍ଓ ବିରୋଧରେ ଆମେରିକା କୋର୍ଟରେ ମାମଲା ଦାଏର କରିଥିଲେ । ଏକ ଜାତୀୟସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଜୁକରବର୍ଗଙ୍କ ମାମଲାରୁ ଏହି ନୂଆ ତଥ୍ୟ ସାମନାକୁ ଆସିଛି । ୨୦୨୧ରେ ୨୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ନେଇ ଅଭିଯୋଗ ଉଠିଥିଲା । ଯେଉଁଥିରେ ବିଶିଷ୍ଟ ରାଜନେତା ଓ ସାମ୍ବାଦିକଙ୍କ ସାମିଲ ଥିଲେ । ଏହାକୁ ନେଇ ସଂସଦରେ ଝଡ ଉଠିବା ସହ ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଦୁଇଟି କମିଟିର ତଦନ୍ତ ପରେ ମାତ୍ର ୫ ଜଣଙ୍କ ଫୋନ ପ୍ରଭାବିତ ହୋଇଥିବା ଖବର ସାମନାକୁ ଆସିଥିଲା । ଏବେ ପୁଣି ଥରେ ଏନ୍ଏସ୍ଓ ଗୃପ୍ର କାରନାମା ସାମନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ବିରୋଧୀ ।
ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟାକୁ ସୁରକ୍ଷା ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ଆଜିକାଲି ଟଙ୍କାଠୁ ଆରମ୍ଭ କରି ଜମିବାଡ଼ି ସବୁ କିଛି ଲୋକେ ଡିଜିଟାଲରେ କାରବାର କରୁଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଡିଜିଟାଲ ପ୍ଲାଟଫର୍ମର ବିକାଶ କରିଛନ୍ତି । କିନ୍ତୁ ଏହି ଡାଟା ଯେ କାଲି କୌଣସି ମାଲଓ୍ବେର୍ କିମ୍ବା ସ୍ପାଇଓ୍ବେର ଜରିଆରେ ଚୋରି ହେଉନଥିବା କିଏ କହିବ ? ଖୋଦ ସରକାରୀ ଓ୍ବେବସାଇଟ ବି ହ୍ୟାକ ହେଉଛି । ଯଦି ବିକଶିତ ରାଷ୍ଟ୍ର ଆମେରିକାରେ ଉଦବେଗ ପ୍ରକାଶ ପାଉଛି । ଏଠି କେନ୍ଦ୍ର ସରକାର ଭାରତୀୟଙ୍କ ଡାଟା କିପରି ସୁରକ୍ଷିତ ରହିବ ? ସେ ନେଇ ଦୃଢ଼ ପଦକ୍ଷେପ ନେବାକୁ ବିଶେଷଜ୍ଞ ଦାବି କରିଛନ୍ତି । ପୋଗାସସ୍ ଜରିଆରେ ୫୧ଟି ରାଷ୍ଟ୍ରର ୧୨୨୩ ଲୋକଙ୍କ ଡାଟା ଚୋରି ନେଇ ତଥ୍ୟ ଆସିଛି । ମେକ୍ସିକୋରେ ସର୍ବାଧିକ ୪୫୬ ଡଣଙ୍କର ଥିବାବେଳେ ଭାରତରେ ୧୦୦ ଜଣ, ବାହାରିନରେ ୮୨, ମରୋକ୍କୋରେ ୬୦, ପାକିସ୍ତାନରେ ୫୮, ଇଣ୍ଡୋନେସିଆରେ ୫୪ ଓ ଇସ୍ରାଏଲରୁ ୫୧ ଜଣଙ୍କର ଡାଟା ଚୋରି ହୋଇଥିବା ଅଭିଯୋଗ ହୋଇଛି ।