ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ

1 min read

ନନ୍ଦିଘୋଷ ବ୍ୟୁରୋ : ରୁଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ ଲାଗି ଭାରତର ଉଦ୍ୟମ ଆରମ୍ଭ । ମସ୍କୋରେ ପିସ୍ ପ୍ଲାନ ପ୍ରସଙ୍ଗରେ ରୁଷିଆର ନିରାପତ୍ତା ପରିଷଦ ସଚିବ ସର୍ଜେଇ ସୋଇଗୁଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ । ଯୁଦ୍ଧର ପରିସମାପ୍ତି ଲାଗି ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ।

ବୈଦେଶିକ ବ୍ଯାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ରୁଷିଆ ଓ ୟୁକ୍ରେନ ଯୁଦ୍ଧ କ୍ଷେତ୍ରରୁ ବାହାରି ଶାନ୍ତିପୂର୍ଣ୍ଣ ଆଲୋଚନା କରନ୍ତୁ। ଦୁଇ ଦେଶ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଭାରତ ଉଦ୍ଯମ କରିବ । ଭାରତର ପ୍ରସ୍ତାବକୁ ଦୁଇ ଦେଶ ଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଯୁଦ୍ଧର ଅବସାନ ଦିଗରେ ଭାରତ ପଦକ୍ଷେପ ନେବ ବୋଲି କୁହାଯାଇଛି। ସେପଟେ ବର୍ଲିନରେ ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଜୟଶଙ୍କର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଓ ୟୁକ୍ରେନ ଗସ୍ତ ସମୟରେ ଭାରତର ଭୂମିକା ସ୍ପଷ୍ଟ ହୋଇଥିଲା ।

ପୁଟିନ ବି କହିଛନ୍ତି, ଯୁଦ୍ଧର ପରିସମାପ୍ତି ଲାଗି ଯେଉଁ ତିନିଟି ରାଷ୍ଟ୍ର ଲଗାତାର ଉଦ୍ଯମ କରିଆସୁଛନ୍ତି ସେମାନଙ୍କ ମଧ୍ଯରେ ଭାରତ ଅନ୍ୟତମ। ଦୁଇ ବର୍ଷ ଛଅ ମାସରୁ ଅଧିକ କାଳ ଧରି ଚାଲିଥିବା ଯୁଦ୍ଧରେ ଗଲାଣି ହଜାର ହଜାର ଲୋକଙ୍କ ଜୀବନ ।