୨୦୧୯-୨୦ ବଜେଟରେ ମୋଦି ସରକାରର ଫୋକସରେ କ’ଣ ଥିଲା ?

1 min read

ଭୁବନେଶ୍ବର: କିଛିଦିନ ପରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ସୂଚନା ଅନୁସାରେ ଜୁଲାଇ ୨୩ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାହେବ ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟ । ୨୪ ନିର୍ବାଚନରେ ମୋଦି ଗ୍ଯାରେଣ୍ଟି ଥିଲା ବିଜେପିର ଏକ ପ୍ରମୁଖ ପ୍ରତିଶ୍ରୁତି । ଏବେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବା ମୋଦି ସରକାରର ପ୍ରାଥମିକତା ରହିବା ସହ ଚ୍ଯାଲେଞ୍ଜ ଭରା ହେବ । ଦ୍ବିତୀୟ ପାଳିର ୨୦୧୯-୨୦ ବଜେଟରେ ମୋଦି ସରକାରଙ୍କ ଫୋକସ୍ କ’ଣ ଥିଲା ? ୨୦୨୪-୨୫ ର ଅନ୍ତରୀଣ ବଜେଟରେ କାହାକୁ ଗୁରୁତ୍ବ ଦିଆଯାଇଥିଲା, ତାହା ଉପରେ ଥରେ ନଜର ପକାନ୍ତୁ ।

୨୦୧୯-୨୦ ଆର୍ଥିକ ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ।  ମୁଖ୍ୟତଃ ଭିତ୍ତିଭୂମିର ବିକାଶ ଓ ଦେଶର ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ବଜେଟର ମୂଳ ଆଭିମୁଖ୍ୟ ଥିଲା । ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନରେ ପହଞ୍ଚାଇବା ପାଇଁ ବଜେଟରେ ହୋଇଥିଲା ବ୍ୟୟ ବରାଦ । ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ବଜେଟରେ ହୋଇଥିଲା ବ୍ୟୟ ବରାଦ । ଏହି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଯୋଜନା ବାବଦରେ ବ୍ୟୟ ବରାଦ ହୋଇ ନଥିଲା । ସେହିବର୍ଷ ବଜେଟ୍ ଆକାର ଥିଲା ୨୭ ଲକ୍ଷ ୮୬ ହଜାର ୩୪୯ କୋଟି ଟଙ୍କା । ପ୍ରତ୍ୟକ୍ଷ କର ବ୍ୟବସ୍ଥାରେ ରିହାତିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ, ଟିକସ ଦାତା ଯେପରି ସେମାନଙ୍କର ଆୟର ସବୁ ହିସାବ ଟିକିନିଖି ଭାବେ ଆୟକର ବିଭାଗ ପାଖରେ ଦାଖଲ କରିବେ ସେ ନେଇ ଟିକସ ଫାଇଲ ବ୍ୟବସ୍ଥାରେ ସରଳୀକରଣ କରାଯାଇଥିଲା ।

ମଧ୍ୟବିତ୍ତ ହେଉ କି ଗରିବ ଲୋକ ଯେପରି ବିମାନ ଯାତ୍ରାର ସୁବିଧା ପାଇବେ, ସେଥିପାଇଁ ଉଡାନ ଯୋଜନାରେ ଅଧିକ ବ୍ୟୟ ବରାଦ କରି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିମାନବନ୍ଦର ପ୍ରତିଷ୍ଠା କରିବା କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ । ଖୁଚୁରା ବ୍ୟବସାୟୀଙ୍କୁ ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମନ ଧନ ଯୋଜନା ମାଧ୍ୟମରେ ପେନସନ ଦେବାକୁ ହୋଇଥିଲା ବ୍ୟବସ୍ଥା । ଆର୍ଥିକ ଅନଗ୍ରସର ଲୋକଙ୍କୁ କମ ସୁଧରେ ସୁବିଧାରେ ଗୃହ ଋଣ ସମେତ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ପାଇଁ କର୍ପୋରେଟ୍ ଟିକସ ୧୫ ପ୍ରତିଶତରୁ ହ୍ରାସ କରାଯାଇଥିଲା । ମୁଦ୍ରା, ଉଜ୍ଜଳା ଓ ସୌଭାଗ୍ୟ ଯୋଜନାରେ ଗରିବ ଲୋକଙ୍କ ଆର୍ଥିକ ରୂପାନ୍ତରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ରୋଡମ୍ୟାପ୍ ।

ସେହିପରି ଏବର୍ଷ ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଆଗତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଆକାର ଥିଲା ୪୭ ଲକ୍ଷ ୬୦ ହଜାର କୋଟି । ମହିଳା, ଚାଷୀ, ଆତ୍ମନିର୍ଭର ଭାରତକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିଲେ ବଜେଟ୍ । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ସହିତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସୌରଶକ୍ତି ବିକାଶ ଦ୍ବାରା ଲୋକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ହୋଇଛି ବ୍ୟୟ ବରାଦ । ୨୦୭୦ ସୁଦ୍ଧା ପ୍ରଦୂଷଣ ମାତ୍ରା ଶୂନ କରିବାକୁ ଅକ୍ଷୟ ଶକ୍ତି ବିକାଶକୁ ଜୋର ଦିଆଯାଇଛି । ଗରିବ କଲ୍ୟାଣ ଯୋଜନା ଦ୍ବାରା ୨୫ କୋଟି ଗରିବ ଦାରିଦ୍ର ସୀମାରେଖା ଉପରକୁ ଉଠିଛନ୍ତି । ୯ରୁ ୧୪ ବର୍ଷ ବୟସର ଝିଅଙ୍କୁ ସର୍ଭାଇକାଲ କ୍ୟାନସର ଟୀକାକରଣ ପାଇଁ ବଜେଟରେ ଅର୍ଥ ବ୍ୟୟ ବରାଦ ହୋଇଛି । ଆଗାମୀ ୫ ବର୍ଷରେ ୨ କୋଟି ଅତିରିକ୍ତ ପିଏମ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୮୦ ହଜାର ୬୭୧ ଆବାସିକ ଗୃହ ନିର୍ମାଣ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ପ୍ରଦାନ କରାଯାଇଛି ।

ନୂଆ ଟିକସ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଆୟକର ଦାତାଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବନି । କିନ୍ତୁ ଆୟକର ଛାଡ଼ ସୀମା ପୁରୁଣା ଓ ନୂଆ ଟିକସ ବ୍ୟବସ୍ଥାରେ ଯଥାକ୍ରମେ ଅଢ଼େଇ ଲକ୍ଷ ଓ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖାଯାଇଛି ।