ବିଡେନଙ୍କ ବିଜୟର ଭାରତ ଉପରେ କ’ଣ ରହିବ ପ୍ରଭାବ

1 min read

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରୋମାଂଚକ ମୋଡରେ ପହଂଚି ସାରିଛି । ଜୋ ବିଡେନ୍ ରାଷ୍ଟ୍ରପତି ହେବା ପ୍ରାୟ ସୁନିଶ୍ଚିତ ଲାଗୁଛି । କିନ୍ତୁ ଟ୍ରମ୍ପ ବି କିଛି କମ ନୁହନ୍ତି । ଏବେଠାରୁ କହିସାରିଲେଣି ସୁପ୍ରିମ କୋର୍ଟ ଯିବି । ମତଗଣନାରେ ଗଡବଡ ହୋଇଛି । ଏମିତିରେ ଟ୍ରମ୍ପ ଯଦି ନିର୍ବାଚନରେ ପରାସ୍ତ ହୁଅନ୍ତି ଓ ହ୍ୱାଇଟ୍ ହାଉସ୍ ଖାଲି କରନ୍ତି ନାହିଁ ତେବେ କ’ଣ ହେବ ? ପୁଣି ଆଉ ଗୋଟିଏ ପ୍ରଶ୍ନ ହେଉଛି ବିଡେନ୍ ଯଦି ବିଜୟୀ ହୁଅନ୍ତି ତେବେ ଭାରତ ପାଇଁ ଏହାର ଅର୍ଥ କ’ଣ ରହିବ ?

ଆମେରିକାରେ ଡେମୋକ୍ରାଟ୍ ଏଥର ବାଜି ମାରିବେ ବୋଲି ଲାଗୁଛି । ବିଡେନ୍ ଟ୍ରମ୍ପଙ୍କୁ ବିଦା କରି ହ୍ୱାଇଟ ହାଉସରେ ଗୃହ ପ୍ରବେଶ କରିବା ସମ୍ଭାବନା ଅଧିକ । ଇଲେକ୍ଟୋରାଲ ଭୋଟରେ ବିଡେନ୍ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି । ଏମିତିରେ ସମସ୍ତଙ୍କ ନଜର ବିଡେନ୍ ଯଦି ଜିତନ୍ତି ତେବେ ଭାରତ-ଆମେରିକା ସଂପର୍କ କେମିତି ରହିବ ? ଏହି ସମ୍ପର୍କ ଥଣ୍ଡା ହେୋଇଯିବନି ତ ? ବିଡେନ୍ ଙ୍କ ପାକିସ୍ତାନ ପ୍ରେମ୍ ଦକ୍ଷୀଣ ଏସିଆରେ ଶକ୍ତି ସନ୍ତୁଳନକୁ ବିଗାଡି ଦେବନି ତ’ ? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି ବିଡେନଙ୍କ କାଶ୍ମୀର,ଧାରା ୩୭୦,CAAକୁ ନେଇ ଆଗରୁ ଆସିଥିବା ବୟାନ । ବିଡେନ୍ ସିଏଏକୁ ବିରୋଧ କରୁଥିଲେ,ଧାରା ୩୭୦ ଉଛେଦକୁ ବିରୋଧ କରୁଥିଲେ । ତାଙ୍କ ସହ ଉପରାଷ୍ଟ୍ରପତି ପଦ ଦୌଡରେ ଥିବା କମଲା ହାରିସ ଭାରତୀୟ ବଂଶୋଦ୍ଭବ ହେଲେ ମଧ୍ୟ କାଶ୍ମୀରକୁ ନେଇ ଅଲଗା ରାଗ ଆଳାପ କରନ୍ତି । ସେ ଗୋଟିଏ ବକ୍ତବ୍ୟରେ ଥରେ କହିଥିଲେ କାଶ୍ମୀର ବାସିନ୍ଦା ଭାବନ୍ତୁ ନାହିଁ ଯେ, ଆମେ ତାଙ୍କୁ ଭୁଲି ଯାଇଛୁ ।

ଏହିଭଳି ଷ୍ଟାଣ୍ଡକୁ ନେଇ ଡେମୋକ୍ରାଟ ସରକାର ଆସିଲେ ଭାରତ ଆମେରିକା ସଂପର୍କ ଉପରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଯଦି ଅତୀତକୁ ଫେରାଯାଏ,ତେବେ ଦେଖିବାକୁ ମିଳିବ ଯେ, ଜୋ ବିଡେନ୍ ଅନେକ ସମୟରେ ଭାରତର ତରଫଦାରୀ କରିଛନ୍ତି । ୨୦୦୮ର ଭାରତ ଆମେରିକା ପରମାଣୁ ଚୁକ୍ତିକୁ ନିଆଯାଉ । ଏହି ଚୁକ୍ତିକୁ ସିନେଟରେ ପାସ କରାଇବାରେ ବିଡେନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଆକ୍ଟୋର ୨୦୦୮ରେ ସିନେଟରେ ଏହାକୁ ନେଇ ଭୋଟ୍ ହୋଇଥିଲା । ସେ ସମୟରେ ସିନେଟର ଥିବା ବିଡେନ୍ ଏହା ପକ୍ଷରେ ଭୋଟ ଦେଇଥିଲେ । ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭର ଏହି ଡିଲ୍ ପକ୍ଷରେ ୨୯୮ ଓ ବିରୋଧରେ ୧୧୭ ଭୋଟ ପଡିଥିଲା । ସେତେବେଳେ ପାକିସ୍ତାନ ଲବି ଡିଲକୁ ଡିରେଲ୍ କରିବାକୁ ସବୁ ଚେଷ୍ଟା କରିଥିଲା । ଅନ୍ୟପକ୍ଷରେ ସିନେଟରେ ପକ୍ଷରେ ୮୬ ଓ ବିପକ୍ଷରେ ୧୩ ଭୋଟ୍ ପଡିଥିଲା ।
ସେ ସମୟରେ ବିଡେନ୍ ସିନେଟରେ ଫରେନ୍ ରିଲେସନ କମିଟିର ମୁଖ୍ୟ ଥିଲେ । ସେ କହିଥିଲେ ଯେ, ମୋ ନେତୃତ୍ୱରେ ଭାରତ-ଆମେରିକା ମଧ୍ୟରେ ଐତିହାସିକ ଡିଲରେ ସାଇନ୍ ହୋଇଥିାଲ । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ସଂପର୍କ ମଜବୁତ ହୋଇଥିଲା ।

ଏହା ବ୍ୟତିତ ୧୯୯୮ ପୋଖରାନ୍ ପରମାଣୁ ପରୀକ୍ଷଣ ବେଳେ ବିଡେନ୍ ଖୋଲାଖୋଲି ଭାରତକୁ ସମର୍ଥନ କରିଥିଲେ । ସେତେବେଳ ସେ କହିଥିଲେ ଯେ, ଭାରତର ଆଭିମୁଖ୍ୟକୁ ଭୁଲ ବୁଝା ଯାଉଛି । ଭାରତ ଏଭଳି ଦେଶ ନୁହେଁ ଯାହା ସମସ୍ୟା ସୃଷ୍ଟି କରିବ । ଭାରତ ଲିବ୍ୟା,ଇରାକ କିମ୍ବା ଉତ୍ତର କୋରିଆ ନୁହେଁ । ଏହା ଛଡା ବିଡେନ୍ କହି ସାରିଛନ୍ତି ଯେ,ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଦୁଇ ଦେଶଙ୍କ ମଧ୍ୟରେ ବିଶ୍ୱ ଶାନ୍ତି ପାଇଁ ସହଯୋଗ ଜରୁରୀ । ଭାରତ ଆମେରିକ ବନ୍ଧୁତ୍ୱ ଉପରେ ଦୁନିଆର ସୁରକ୍ଷା ନିର୍ଭର କରୁଛି ।

ଆଉ ଗୋଟିଏ କଥା ହେଉଛି ,ଆମେରିକା ସବୁବେଳେ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଏ । ପରିବର୍ତିତ ବିଶ୍ୱ ବ୍ୟବସ୍ଥାରେ ଏବେ ଚୀନ୍ ଆମେରିକାକୁ ଟକ୍କର ଦେଉଛି । ଏମିତିରେ ଚୀନକୁ ଚେକ୍ ମେଟ୍ କରିବାକୁ ଭାରତ ଜରୁରୀ । ଆଜିକା ସମୟରେ ଭାରତ ଆମେରିକାକୁ ଯେତିକି ଆବଶ୍ୟକ କରେନି,ଆମେରିକା ଡ୍ରାଗନ ବିରୋଧରେ ଭାରତକୁ ସେତିକି ଦରକାର କରେ । ତେଣୁ ଭାରତ ଆମେରିକା ସମୀକରଣ ସେତେ ବଦଳିବାର ସମ୍ଭାବନା ନାହିଁ ।

ଏବେ ଆସନ୍ତୁ ଜାଣିବା ଯଦି ଟ୍ରମ୍ପ ହାରିଲା ପରେ ମଧ୍ୟ ହ୍ୱାଇଟ ହାଉସ ଛାଡନ୍ତି ନାହିଁ ତେବେ କ’ଣ ହେବ ? ନୂଆ ରାଷ୍ଟ୍ରପତି ସିକ୍ରେଟ୍ ସର୍ଭସ ସାହାଯ୍ୟ ନେଇ ପୁରୁଣା ରାଷ୍ଟ୍ରପତିଙ୍କୁ ହ୍ୱାଇଟ ହାଉସରୁ ବାହାର କରି ପାରିବେ । କୁହାଯାଉଛି ଯେ, ରାଷ୍ଟ୍ରପତିଙ୍କ ପାଖରେ ଏମିତି ଶକ୍ତି ରହିଛି । ତେବେ ଆଶା କରାଯାଉଛି ସେମିତି କିଛି ହେବନାହିଁ ।

Leave a Reply