ଅନ୍‌ଲକ୍‌ ୩.୦: ଅଗଷ୍ଟ ମାସରେ କଣ ରହିବ ସ୍ଥିତି ? ଖୋଲିବ ସିନେମା ହଲ୍-ଜିମ୍‌..!

ଭୁବନେଶ୍ୱର: ଅଗଷ୍ଟ ମାସରେ ଦେଶରେ କଣ ରହିବ ସ୍ଥିତି ? କେଉଁଠି ରହିବ କଟକଣା, କେଉଁଠି ଖୋଲିବ ତାଲା ? ଆସନ୍ତା ୩୧ ତାରିଖରେ ଅନଲକ୍‌ ଇଣ୍ଡିଆ ୨.୦ର ଅବଧି ସରୁଥିବା ବେଳେ ଆରମ୍ଭ ହେବ ଅନ୍‌ଲକ୍‌ ୩.୦ ପର୍ଯ୍ୟାୟ । ଏଥିରେ କିଛି ସ୍ଥାନରେ କଟକଣା ରହିବା ସହ ଅନେକ ସ୍ଥାନରେ ହଟିବ ବୋଲି କୁହାଯାଉଛି । ସିନେମା ହଲ୍‌ ଓ ଜିମ୍ ଖୋଲିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଏନେଇ ଆଲୋଚନା କରିବେ ।

Unlock 3.0

ମଝିରେ ଆଉ କିଛି ଦିନ ବାକି ଥିବା ବେଳେ ଏବେଠୁ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । କେଉଁଠି କଟକଣା ରହିବ କେଉଁଠି ହଟିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ତେବେ ଅନଲକ୍ ୩.୦ରେ ଦେଶରେ ସିନେମା ହଲ ଖୋଲିବ ବୋଲି ଚର୍ଚ୍ଚା ହେଉଛି । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ମାଲିକ ମାନେ ସିନେମା ଦେଖାଇବାକୁ ରାଜି ଅଛନ୍ତି । ତେବେ କେନ୍ଦ୍ର ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ରାଜି ହୋଇଥିବା ଜଣାପଡିଛି । ସେପଟେ ଜିମ୍ ଖୋଲିବା ନେଇ ମଧ୍ୟ କେନ୍ଦ୍ର ସରକାର କିଛି ନିଷ୍ପତି ନେବେ ବୋଲି କୁହାଯାଉଛି । ଏନେଇ ଖୁବଶିଘ୍ର ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏଥିସହ ମେଟ୍ରୋ ଓ ସ୍କୁଲ ଖୋଲିବା ନେଇ ପୂର୍ବପରି କଟକଣା ଜାରି ରହିବ ।

ଦେଶରେ ବର୍ତ୍ତମାନ ଦିନକୁ ପାଖାପାଖି ୫୦ ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ପ୍ରତ୍ୟେକ ଦିନ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ସ୍ଥିତିକୁ ନଜରରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ହଟାଇବା ନେଇ ନିଷ୍ପତ୍ତି ନେବେ । ସେପଟେ ଦେଶରେ କରୋନା ଟିକା ନଆସିବା ପର୍ଯ୍ୟନ୍ତ କିଛିଟା କଟକଣା ଜାରି ରହିବ ବୋଲି ମଧ୍ୟ କୁହାଯାଉଛି ।

Leave a Reply