ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

2 min read

ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ହେବ ନାହିଁ । ବଡଦାଣ୍ଡରେ ଗଡିବେ ନାହିଁ ତିନି ରଥ । କରୋନା କାଳରେ ଏହା ଓଡ଼ିଆ ଓ ଜଗନ୍ନାଥ ଭକ୍ତଙ୍କ ପାଇଁ ବଡ ଝଟକା । କରୋନା କାରଣରୁ ରଥଯାତ୍ରା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ।

ଚଳିତ ବର୍ଷର ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କାଳରେ ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ ଯେ,ରଥଯାତ୍ରା ଯଦି ଅନୁମତି ଦିଆଯାଏ ତେବେ ଭଗବାନ ଜଗନ୍ନାଥ କେବେ ମଧ୍ୟ ଆମକୁ କ୍ଷମା କରିବେ ନାହିଁ ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ, ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ ।

ସଲିସିଟର ଜେନରାଲ ତୁଷାର ମେହେଟ୍ଟା ବିନା ଜନସମାଗମରେ କିଛି ନୀତି ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଧାନ ବିଚାରପତି କହିଥିଲେ ଯେ,ଯେତେବେଳେ ବି କିଛି କାର୍ଯ୍ୟ ପାଇଁ ଅନୁମତି ଦିଆଯାଏ ସେତେବେଳେ ଲୋକ ଗହଳି ହେବାର ଆମ ପାଖରେ ଅନୁଭୂତି ରହିଛି ।

କରୋନା ଭଳି ମହାମାରୀ କାଳରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ରଥଯାତ୍ରା ନକରିବା ପାଇଁ ଆଦେଶ ଜନହିତରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

 

Leave a Reply