ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଚାନକ ଦଳାଚକଟା ଘଟିଲା କାହିଁକି?

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗତକାଲି ରାତିରେ ଘଟିଥିବା ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଉକ୍ତ ଦଳାଚକଟାରେ ୧୫ ଜଣ ଆହତ ହୋଇଥିବା କୁହାଯାଉଛି  । ମୃତକଙ୍କ ମଧ୍ୟରେ ୯ ଜଣ ମହିଳା, ୪ ଜଣ ପୁରୁଷ ଓ ୫ ଜଣ ଶିଶୁ ରହିଛନ୍ତି । ମୃତକଙ୍କ ମଧ୍ୟରେ ବିହାରର ସର୍ବାଧିକ ୯ ଜଣ, ଦିଲ୍ଲୀର ୮ ଜଣ ଓ ହରିୟାଣାର ଜଣେ ରହିଛନ୍ତି । ରାତି ପାଖାପାଖି ୧୦ଟା ସମୟରେ ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଏହି ଘଟଣା ଘଟିଥିଲା । ପ୍ରୟାଗରାଜ ମହାକୁମ୍ଭ ଯିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ର ହୋଇଥିବା ବେଳେ ଏହି ଘଟଣା ଘଟିଥିଲା । ଟ୍ରେନରେ ଚଢ଼ିବାକୁ ଲୋକମାନେ ପ୍ରୟାସ କରୁଥିବା ବେଳେ ଅନେକ ମୃତାହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀର ଏଲଜି ଭି.କେ ସକ୍ସେନା ଓ ପୂର୍ବ ସିଏମ୍ ଆତିଶୀ ଆହତଙ୍କୁ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ ।

ତେବେ ସବୁଠାର ବଡ଼ ପ୍ରଶ୍ନ ହେଉଛି ଅଚାନକ ଏତେବଡ଼ ଅଘଟଣ ଘଟିଲା କାହିଁକି? ଦେଖଣାହାରୀଙ୍କ ଅନୁଯାୟୀ, ସବୁ ପ୍ଲାଟଫର୍ମରେ ବହୁତ ଭିଡ଼ ଥିଲା । ମାତ୍ର ପ୍ଲାଟଫର୍ମ ନମ୍ବର ୧୨, ୧୩, ୧୪ ଓ ୧୫ରେ ଅତ୍ୟଧିକ ଭିଡ଼ ଥିଲା । ରେଲଓ୍ବେ ତରଫରୁ ଟ୍ରେନ ରହିବାକୁ ନେଇ ବାରମ୍ବାର ପ୍ଲାଟଫର୍ମ ନମ୍ବର ବଦଳିବାର ଘୋଷଣା କରାଯାଇଥିଲା । ଏହାକୁ ନେଇ ପ୍ଲାଟଫର୍ମରେ ଚଳାଚକଟା ହୋଇଥିଲା । ରେଳ ଅଧିକାରୀଙ୍କ ବୟାନ ଅନୁସାରେ, ପ୍ରୟାଗରାଜ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧୪ରେ ଛିଡ଼ା ହୋଇଥିଲା । ପ୍ଲାଟଫର୍ମ ନମ୍ବର ୧୫ରେ ବନାରସ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ରହିଥିଲା । ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ ବିଳମ୍ବରେ ଚାଲୁଥିଲା । ଏହି ଦୁଇ ଟ୍ରେନର ଯାତ୍ରୀ ମଧ୍ୟ ପ୍ଲାଟଫର୍ମ ନମ୍ବର ୧୨, ୧୩ ଓ ୧୪ରେ ରହିଥିଲେ । ଭିଡ଼ ଆହୁରି ବଢ଼ିବା ଫଳରେ ପ୍ଲାଟଫର୍ମ ନମ୍ବର ୧୪ ଓ ୧୬ର ଏସ୍କେଲେଟର ନିକଟରେ ଅଚାନକ ଦଳାଚକଟା ଦେଖିବାକୁ ମିଳିଥିଲା । ରେଲଓ୍ବେ ଦ୍ବାରା ପ୍ରତି ଘଣ୍ଟାକୁ ୧୫୦୦ ସାଧାରଣ ଟିକେଟ ବିକ୍ରି ହେଉଥିଲ, ସେଥିପାଇଁ ଷ୍ଟେସନରେ ଭିଡ଼ ବଢ଼ିଥିଲା ଓ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି ।