ପୁଟିନଙ୍କ ବିରୋଧରେ ପ୍ରାଇଭେଟ୍ ଆର୍ମି ୱାଗନାର ଗ୍ରୁପର ବିଦ୍ରୋହ
1 min read
ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତିନିକଟତମ ବ୍ୟକ୍ତି ତଥା ପ୍ରାଇଭେଟ୍ ଆର୍ମି ୱାଗନାର ଗ୍ରୁପର ମାଲିକ ୟେବଗିନି ପ୍ରିଭୋଝିନ୍ ବିଦ୍ରୋହ ଘୋଷଣା କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ଋଷ ସେନାକୁ ସାହାଯ୍ୟ କରୁଥିବା ୱାଗନର ଗ୍ରୁପର ଅଚାନକ ବିଦ୍ରୋହ ସମସ୍ତଙ୍କୁ ଚକିତ କରିଥିବା ବେଳେ ଋଷରେ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ୱାଗନର ଗ୍ରୁପ ରେସ୍ତୋଭ ସହରରେ ଥିବା ଋଷର ଆଞ୍ଚଳିକ ସେନା ମୁଖ୍ୟାଳୟ ଉପରେ କବଜା କରିଥିବା ପାଶ୍ଚାତ୍ୟ ମିଡିଆ ଦାବି କରିଛି। ପ୍ରିଗୋଝିନ୍ ଋଷ ସୈନିକଙ୍କ ଉପରେ ଆକ୍ରମଣର ଧମକ ଦେଇଛି। ପ୍ରିଗୋଝିନ୍ କହିଛନ୍ତି ଯେ, ତାଙ୍କର ୨୫ ହଜାର ସୈନିକ ମରିବା କିମ୍ବା ମାରିବା ପାଇଁ ପ୍ରସ୍ତୁତ ଅଛନ୍ତି। BNO ନ୍ୟୁଜ୍ ଅନୁସାରେ ପିଗ୍ରୋଝିନ୍ କହିଛନ୍ତି ଯେ, ଆମ ପାଖରେ ଏକ ଲକ୍ଷ୍ୟ ରହିଛି। ଯେଉଁଥିପାଇଁ ଆମେ ମରିବାକୁ ଓ ମାରିବାକୁ ପ୍ରସ୍ତୁତ ଅଛୁ। କାରଣ ଆମେ ଆମ ମାତୃଭୂମି ପାଇଁ ମରିବୁ। ଆମେ ଋଷୀୟଙ୍କ ପାଇଁ ମରୁଛୁ,ଯେଉଁମାନଙ୍କୁ ସେହି ଲୋକଙ୍କଠାରୁ ମୁକ୍ତ କରିବା ଆବଶ୍ୟକ ଯେଉଁମାନେ ନାଗରିକଙ୍କ ହତ୍ୟା କରୁଛନ୍ତି।
ଋଷୀୟ ମିଡିଆ ଅନୁସାରେ ୱାଗନର ସେନା ସେନା ମୁଖ୍ୟାଳୟ, ସହର ପ୍ରଶାସନ ଭବନ,ଋଷ ଗୁଇନ୍ଦା ଏଜେନ୍ସି ଏଫଏସବିର କାର୍ଯ୍ୟାଳୟକୁ ଘେରି ରଖିଛି। ସ୍ଥାନୀୟ ମିଡିଆ ଅନୁସାରେ, ୱାଗନର ଗ୍ରୁପ ସହିତ ବିଦ୍ରୋହୀ ଋଷୀୟ ସୈନିକ ମଧ୍ୟ ଯୋଗ ଦେଇଛନ୍ତି। ଏଣେ ମସ୍କୋର ଦକ୍ଷୀଣରେ ଥିବା ଲିପେତ୍ସକ ଅଂଚଳର ରାଜ୍ୟପାଳ ଇଗୋର ଆର୍ଟାମୋନୋଭ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି।
ଦେଶକୁ ସମ୍ବୋଧନ କରିବେ ପୁଟିନ୍
ଏସବୁ ଭିତରେ ରାଷ୍ଟ୍ରପତି ପୁଟିନ ଦେଶକୁ ସମ୍ବୋଧନ କରିବେ ବୋଲି ଜଣା ପଡ଼ିଛି। ଏଣେ ସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ପାଇଁ ୱାଗନର ଗ୍ରୁପକୁ ଆହ୍ୱାନ କରାଯାଇଛି। ସୂଚନାଯୋଗ୍ୟ ଯେ, ୱାଗନର ପ୍ରାଇଭେଟ୍ ଆର୍ମି ଋଷ ସେନାକୁ ସାହାଯ୍ୟ କରିଥାଏ। ପିଗ୍ରୋଝିନ୍ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ବୋଲି ଜଣାଶୁଣା। ୨୦୦୮ର ଜର୍ଜିଆ ବିରୋଧରେ ୮ ଦିନିଆ ଯୁଦ୍ଧରେ ମଧ୍ୟ ଏହି ପ୍ରାଇଭେଟ୍ ଆର୍ମିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।
ଭଡ଼ାଟିଆ ସୈନିକଙ୍କୁ ନେଇ ସାମ୍ରାଜ୍ୟ
ପିଗ୍ରୋଝିନ୍ ଭଡ଼ାଟିଆ ସୈନିକଙ୍କୁ ନେଇ ନିଜ ପ୍ରାଇଭେଟ୍ ଆର୍ମି ତିଆରି କରିଛି। ଆମେରିକା ଅନୁସାରେ ପିଗ୍ରୋଝିନର ପ୍ରାଇଭେଟ୍ ଆର୍ମିରେ ୫୦ ହଜାରରୁ ଅଧିକ ସୈନିକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅପରାଧୀ ବୋଲି ଦାବି କରାଯାଏ। ବାକି ସେନାରୁ ଅବସର ନେଇଥିବା ସୈନିକ। ଋଷ ବାହାରେ ଋଷ ଓ ପୁଟିନଙ୍କ ପ୍ରଭାବ ବିସ୍ତାର ଥିଲା ୱାଗନରର ମୁଖ୍ୟ କାମ। ଏହା ୨୦୧୬ର ସିରିଆ ଗୃହଯୁଦ୍ଧରେ ମଧ୍ୟ ସାମିଲ ଥିଲା। ସୁଦାନରେ ଏବେ ମଧ୍ୟ ୱାଗନର ସକ୍ରୀୟ ଅଛି। ସୁଦାନର ସୁନା ଖଣି ଉପରେ କବଜା ବଦଳରେ ଏହା ବିଦ୍ରୋହୀଙ୍କୁ କ୍ଷମତା ଦଖଲରେ ସହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି। ମାଲିର ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏକ ହଜାର ୱାଗନର ଯୋଦ୍ଧା ମୁତ୍ତୟନ ଅଛନ୍ତି। ଏଥିପାଇଁ ମାସିକ ୧୦ ଲକ୍ଷ ଡଲାର ନେଉଛି ୱାଗନର। ମାଲି ରାଷ୍ଟ୍ରପତି ୱାଗନର ସାହାଯ୍ୟରେ କ୍ଷମତାକୁ ଆସିଛନ୍ତି।
ଅପରାଧିରୁ ପ୍ରାଇଭେଟ୍ ଆର୍ମିର ମାଲିକ
ପିଗ୍ରୋଝିନ୍ ବିଭିନ୍ନ ଅପରାଧ ପାଇଁ ସୋଭିଏତ ଋଷର ପତନ ପରେ ୧୦ ବର୍ଷ ଜେଲରେ ଥିଲେ। ଜେଲରୁ ମୁକୁଳିବା ପରେ ସେ ଗୋଟିଏ ଫୁଡ୍ ଷ୍ଟଲ ଖୋଲିଥିଲେ। ଏହା ପରେ ରେସ୍ତୋଁରା ମାଲିକ ହୋଇଥିଲେ। ପୁଟିନ୍ ଓ ପିଗ୍ରୋଝିନ୍ ଉଭୟଙ୍କ ଗୃହ ସହର ହେଉଛି ସେଣ୍ଟ୍ ପିଟର୍ସବର୍ଗ, ଯାହା ଆଗରୁ ଲେନିନ୍ ଗ୍ରାଡ୍ ନାମରେ ପରିଚିତ ଥିଲା। ପୁଟିନଙ୍କ ସହିତ ସମ୍ପର୍କ ହେବା ସହିତ ପିଗ୍ରୋଝିନଙ୍କ ଗ୍ରାଫ୍ ବଢିଥିଲା। ସେ ଏକ ପ୍ରାଇଭେଟ୍ ଆର୍ମି ଗଠନ କରିଥିଲେ। ତେବେ ୟୁକ୍ରେନ ଯୁଦ୍ଧରେ ମତଭେଦ କାରଣରୁ ଏବେ ପିଗ୍ରୋଝିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଛି।