ଗୋଟିଏ ପଟେ ସୁଭଦ୍ରାର କିସ୍ତି ବଣ୍ଟନ, ଅନ୍ୟପଟେ ବିବାଦୀୟ ବୟାନ: ବିଜେପି ନେତାଙ୍କ ଏଭଳି ବିକୃତ ମାନସିକତା କାହିଁକି?

ସମ୍ବଲପୁର: ଓଡିଶା ଅସ୍ମିତା କଥା କହୁଥିବା ବିଜେପି ନେତାଙ୍କ ବିକୃତ ମାନସିକତା । ଗୋଟେପଟେ ଓଡିଆ ଏବଂ ଓଡିଶା ଅସ୍ମିତାର ସୁରକ୍ଷା କଥା କହୁଛନ୍ତି, ହେଲେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସାମିଲ ହେବା କୋଶଳବାସୀଙ୍କ ସବୁଠାରୁ ବଡ ଐତିହାସିକ ଭୁଲ ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସବୁବେଳେ ରାଜ୍ୟ ବିଭାଜନର ମାନସିକତା ରଖୁଥିବା ଜୟନାରାୟଣ ମିଶ୍ର ଆଜି ବି ଉପକୂଳ ଓ ପଶ୍ଚିମ ଓଡିଶା ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ହୀନ ଚେଷ୍ଟା କରିଛନ୍ତି । ସରକାରୀ କାର୍ଯ୍ୟକ୍ରମ ସୁଭଦ୍ରାର ଦ୍ବିତୀୟ କିସ୍ତି ବଣ୍ଟନ ସମାରୋହରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ଜୟନାରାୟଣ । ସିଧାସଳଖ ଭାବେ ସେ ନିଜ ଦଳର ସରକାରଙ୍କୁ ବି ସମାଲୋଚନା କରିଛନ୍ତି । କାହିଁକି ସବୁବେଳେ ଉତ୍କଳର ଜୟଗାନ ହେଉଛି ଏବଂ କଳିଙ୍ଗ କି କୋଶଳର ଜୟଗାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି । ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ବରକୁ ବୁଝାଯାଉଛି । ପଶ୍ଚିମ ଓଡିଶାବାସୀଙ୍କୁ ସବୁବେଳେ ଶୋଷଣ କରାଯାଉଛି । ଆମର ଖଣି, ଜମି ଓ ଜଙ୍ଗଲକୁ ଲୁଟ କରାଯାଉଛି ଆଉ ପଶ୍ଚିମ ଓଡିଶାକୁ ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।