ବୁମ୍ରାଙ୍କ ବିନା ଟିମ୍ ଇଣ୍ଡିଆର ବିଜୟ ସମ୍ଭାବନା କମ୍ ହୋଇଯାଉଛି? କ’ଣ କହୁଛି ରେକର୍ଡ

ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମ୍ରାଙ୍କ ଟେଷ୍ଟ ରେକର୍ଡ ବହୁତ ଶାନଦାର ରହିଛି । ବୁମ୍ରା ୪୭ଟି ଟେଷ୍ଟ ମ୍ୟାଚରୁ ୧୯.୪୮ ହାରରେ ୨୧୭ଟି ଓ୍ବିକେଟ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ୨୦୦ରୁ ଅଧିକ ଓ୍ବିକେଟ ନେଇଥିବା ବୋଲରଙ୍କ ମଧ୍ୟରେ କେବଳ ବୁମ୍ରାଙ୍କ ହାର ୨୦ ତଳକୁ ରହିଛି । ଏବେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୨ଟି ମ୍ୟାଚରେ ବୁମ୍ରା ୧୨ଟି ଓ୍ବିକେଟ ହାସଲ କରିଛନ୍ତି । ସେଥିମଧ୍ୟରେ ବୁମ୍ରା ୨ ଥର ୫ଟି ଓ୍ବିକେଟ ନେଇଛନ୍ତି । ଲିଡସ ଓ ଲର୍ଡସରେ ଖେଳିଥିବା ବୁମ୍ରାଙ୍କୁ ଏଜବେଷ୍ଟନ ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା । ଆସନ୍ତା ୨୩ ତାରିଖରେ ମାଞ୍ଚେଷ୍ଟର ଟେଷ୍ଟରେ ବୁମ୍ରାଙ୍କ ଖେଳିବା ନେଇ ସ୍ପଷ୍ଟ ହୋଇନି ।

ଚଳିତ ସିରିଜରେ ବୁମ୍ରା ଖେଳିଥିବା ୨ଟି ମ୍ୟାଚରେ ଭାରତର ପରାଜୟ ହୋଇଥିବା ବେଳେ ଏଜବେଷ୍ଟନ ଟେଷ୍ଟରେ ୩୩୬ ରନରେ ଜିତିଥିଲା । ଏକ ଡିବେଟରେ ଇଂଲଣ୍ଡର ପୂର୍ବ କ୍ରିକେଟର ଡେଭିଡ ଲୟଡ କହିଛନ୍ତି, ଭାରତୀୟ ଟିମ୍ ପାଇଁ ବୁମ୍ରା ଖେଳିଲେ ଦଳର ଅଧିକ ପରାଜୟ ହେଉଛି । ୨୦୧୮ରେ ବୁମ୍ରା ଦକ୍ଷିଣ ଆଫିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେହି ସମୟରୁ ଏଯାବତ୍ ଭାରତ ୭୪ଟି ଟେଷ୍ଟ ଖେଳିଥିବା ବେଳେ ୪୭ଟି ମ୍ୟାଚରେ ବୁମ୍ରା ଖେଳିଥିଲେ । ସେଥିମଧ୍ୟରୁ ଭାରତ ୨୦ଟିରେ ଜିତିଥିଲା ଓ ୨୩ଟିରେ ହାରିଥିଲା । ବୁମ୍ରା ଖେଳିବାରେ ଦଳର ଓ୍ବିନିଂ ପ୍ରତିଶତ ୪୨.୫୫ ରହିଛି । ବୁମ୍ରା ଖେଳିନଥିବା ୨୭ଟି ମ୍ୟାଚ ମଧ୍ୟରୁ ଭାରତୀୟ ଟିମ୍ ୧୯ଟିରେ ଜିତିଛି । ଭାରତ କେବଳ ୫ଟି ମ୍ୟାଚ ହାରିଛି ଓ ୩ଟି ମୁକାବିଲା ଡ୍ର ରହିଛି । ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ଟିମର ବିଜୟ ପ୍ରତିଶତ ୭୦.୩୭ ରହିଛି ।